Covid-19 ପଜିଟିଭ ଚିହ୍ନଟ ହେଲେ ପୁଣି ଜଣେ କେନ୍ଦ୍ରମନ୍ତ୍ରୀ, ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପାଦ ନାୟକ ହୋଇଛନ୍ତି ସଂକ୍ରମିତ

Published By : Prameya-News7 Bureau | August 12, 2020 IST

ନୂଆଦିଲ୍ଲୀ ୧୨।୮: କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଶ୍ରୀପାଦ ୟେସୋ ନାୟକ କୋରନା ଆକ୍ରାନ୍ତ ହୋଇଛନ୍ତି। ନାୟକ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। କୋଭିଡ-୧୯ ସଂକ୍ରମିତ ହୋଇଥିବା ନେଇ ନିଜେ ଶ୍ରୀପାଦ ନାୟକ ଟ୍ୱିଟ୍‌ ମାଧ୍ୟମରେ ସୂଚିତ କରିଛନ୍ତି। ବୁଧବାର ଅପରାହ୍ନରେ ନାୟକ ପୋଷ୍ଟ କରିଥିବା ଟ୍ୱିଟ୍‌ରେ ସେ ତାଙ୍କର କରୋନା ଟେଷ୍ଟିଂ କରିଥିବା ଉଲ୍ଲେଖ କରିଛନ୍ତି। ଯେଉଁଥିରେ ସଂକ୍ରମିତ ଥିବା ଜଣାପଡିଛି ବୋଲି ଉଲ୍ଲେଖ କରିଛନ୍ତି।

ବର୍ତ୍ତାରେ ନାୟକ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଓ ଘରେ ଆଇସୋଲେସନରେ ଥିବାର ସୂଚନା ଦେଇଛନ୍ତି। ତେବେ ଗତ କିଛି ସମୟରୁ ତାଙ୍କ ସହ ସମ୍ପର୍କରେ ଆସିଥିବା ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ଲାଗି ନାୟକ ନିବେଦନ କରିଥିବା ବେଳେ ଡାକ୍ତରଙ୍କ ଦ୍ୱାରା କୋଭିଡ ଯାଞ୍ଚ କରାଇନେବାକୁ ପରାମର୍ଶ ଦେଇଛନ୍ତି। ତେବେ କରୋନା ଆକ୍ରାନ୍ତ ହେବାରେ ନାୟକ ଦେଶର ପ୍ରଥମ ମନ୍ତ୍ରୀ ନୁହନ୍ତି। ତାଙ୍କ ପୂର୍ବରୁ କେନ୍ଦ୍ର ଭାରୀଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘବାଲ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦି ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଦେଶରେ କରୋନାର ଦ୍ରୁତ ସଂକ୍ରମଣ ହେଉଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩ ଲକ୍ଷ ଟପି ଥିବା ବେଳେ କେବଳ ଗତ ୨୪ ଘଣ୍ଟାରେ  ୬୦ହଜାର ୯୬୩ ନୂଆ କେଶ ସାମ୍ନାକୁ ଆସିଛି। ସଂକ୍ରମିତଙ୍କ ମଧ୍ୟରୁ ୮୪୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ କରୋନା ହାର ଯେପରି ବଢି ବଢି ଚାଲିଛି ସେହିପରି ସୁସ୍ଥତା ହାର ମଧ୍ୟ ବଢିବଢି ଚାଲିଛି। ୧୬ଲକ୍ଷ ୩୯ହଜାର ୬୦୦ ଲୋକେ ସଂକ୍ରମଣ ମୁକ୍ତ ହୋଇଥିବା ବେଳେ ୬ଲକ୍ଷ ୪୩ହଜାର ୯୪୮ ଜଣ ଆକ୍ଟିଭ କେସ୍ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.