ଚାଷୀଙ୍କ ସହ ଅଧିକ ଆଲୋଚନା ଚାହୁଁଛନ୍ତି କେନ୍ଦ୍ର ସରକାର, ପ୍ରସ୍ତାବର ପୁନର୍ବିଚାର ଲାଗି ପୁଣି ନିବେଦନ କଲେ କେନ୍ଦ୍ର କୃଷିମନ୍ତ୍ରୀ

Published By : Prameya-News7 Bureau | December 10, 2020 IST

ନୂଆଦିଲ୍ଲୀ ୧୦।୧୨: କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୁରୁବାର ପୁଣି ଥରେ ସଂଶୋଧିତ କୃଷିଆଇନ-୨୦୨୦କୁ ବିରୋଧରେ  ବିକ୍ଷୋଭ କରୁଥିବା ଚାଷୀଙ୍କୁ ଆନ୍ଦୋଳନରୁ ଓହରି ଯିବାକୁ ନିବେଦନ କରିଛନ୍ତି। ସରକାର ଚାଷୀଙ୍କୁ ଏକ ଲିଖିତ ପ୍ରସ୍ତାବ ଦେଇଥିଲେ। ଯେଉଁଥିରେ ଚାଷୀଙ୍କୁ ସେମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦିଆଯାଇଥିଲା। ଏହା ସତ୍ତ୍ୱେ ସେମାନେ କୌଣସି ନିଷ୍ପତ୍ତିରେ ଉପନୀତ ହୋଇ ନପାରିବା ଦୁର୍ଭାଗ୍ୟଜନକ କହିଛନ୍ତି। ତେବେ ଚାଷୀଭାଇଙ୍କୁ ଏମଏସପି ପୂର୍ବବତ ଜାରି ରହିବ ବୋଲି ସେ ବିଶ୍ୱାସ ଦେଇଛନ୍ତି।

ସେପଟେ ଚାଷୀ ସରକାରଙ୍କୁ ଦେଇଥିବା ଅଲ୍ଟିମେଟମ ପୂରଣ ହୋଇସାରିଥିବା କହିଛନ୍ତି। ଡିସେମ୍ବର ୧୦ ତାରିଖ ସୁଧା ସରକାର ଆଇନ ପ୍ରତ୍ୟାହାର କରିବେ କି ନା ସେ ନେଇ ନିଷ୍ପତ୍ତି ନେବାକୁ କହିଥିଲେ। ତେବେ ପ୍ରଧାନମନ୍ତ୍ରୀ ଆଇନ ପ୍ରତ୍ୟାହାର ଜିଦରେ ଅଟଳ ରହିବା ବାସ୍ତବିକ ଦୁର୍ଭାଗ୍ୟଜନକ ବୋଲି କୃଷକ ନେତାମାନେ କହିଛନ୍ତି। ଏଣୁ ଏପର୍ଯ୍ୟନ୍ତ ରାଜରାସ୍ତାରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସେମାନେ ରେଳ ଲାଇନକୁ ସ୍ଥାନାନ୍ତର କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।

{"id":375855,"sizeSlug":"large","linkDestination":"none"}

ଆନ୍ଦୋଳନର ନୂଆ ରଣନୀତି ନେଇ ଚାଷୀମାନେ ଗୁରୁବାର ବୈଠକ କରିଥିଲେ। ଏଥିରେ ପୁରା ଭାରତକୁ ରେଳଲାଇନକୁ ନେବା ଲାଗି ସେମାନେ ନିଷ୍ପତ୍ତି ନେଇଛନ୍ତି ବୋଲି କୃଷକନେତା ବୁଟା ସିଂହ କହିଛନ୍ତି। ତେବେ ପରିବର୍ତ୍ତିତ ଆନ୍ଦୋଳନ ନେଇ ମିଳିତ କୃଷକ ମଞ୍ଚ ଖୁବ୍ ଶୀଘ୍ର ତାରିଖ ଧାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ଏହା ଛଡା ଡିସେମ୍ବର ୧୪ ତାରିଖ ଦିନ ପଞ୍ଜାବର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଧାରଣା ଦେବେ ବୋଲି ବୁଟା ସିଂହ ସିଂଘୁ ବର୍ଡରରେ ଘୋଷଣା କରିଛନ୍ତି।

କୃଷକନେତା ବୁଟା ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ଚାହାନ୍ତି ଆଲୋଚନା ଜାରି ରହୁ, ଆମେବି ଏହାକୁ ସ୍ୱୀକାର କରୁଛୁ। ହେଲେ କୃଷିମନ୍ତ୍ରୀ କହୁଛନ୍ତି ଯଦି ଚାଷୀ ସଂଶୋଧନ ପ୍ରସ୍ତାବକୁ ମାନିବେ ତେବେ ଆଲୋଚନା ହେବ। ଆମ ଉପରେ ସରକାର ସର୍ତ୍ତ ପରେ ସର୍ତ୍ତ ଲଦିବାରେ ଲାଗିଛନ୍ତି। ଏହାକୁ ଆମେ ନିନ୍ଦା କରୁଛୁ। ପ୍ରଧାନମନ୍ତ୍ରୀ ଗୋଟେ କଥା କହୁଥିବା ବେଳେ ଗୃହମନ୍ତ୍ରୀ ଆଉ ଗୋଟେ କଥା କହୁଛନ୍ତି କୃଷିମନ୍ତ୍ରୀଙ୍କ କଥାରେ ତ ଠିକଠିକଣା ବି ନାହିଁ। ଏଥିରେ ଆମେ କରିବୁ ତ କଣ କରିବୁ ବୋଲି ବୁଟା ସିଂହ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସରକାର ପ୍ରସଙ୍ଗକୁ ଏପର୍ଯ୍ୟନ୍ତ ଗୁରୁତର ସହ ଗ୍ରହଣ କରିନାହାନ୍ତି ଅଥବା ସରକାରରେ ମେଳ ନାହିଁ। ଯେଉଁଥିପାଇଁ ରାଜରାସ୍ତାରେ ଚାଷୀ ବସି ରହିଛନ୍ତି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.