କରୋନା ଭାଇରସ୍ ଲକ୍‌ଡାଉନ୍ ପରେ ଡିସେମ୍ବର ସୁଦ୍ଧା ଭାରତରେ ଜନ୍ମ ହେବେ ୨ କୋଟି ଶିଶୁ: UNICEF

Published By : Prameya-News7 Bureau | May 07, 2020 IST

ନ୍ୟୁୟର୍କ ୦୭।୦୫: ମିଳିତ ଜାତିସଂଘ ବାଲ କୋଷ(ୟୁନିସେଫ୍) ଅନୁମାନ କରିଛି, ମାର୍ଚ୍ଚ ମାସରେ କୋଭିଡ୍-୧୯  ବିଶ୍ଵ ମହାମାରୀ ଘୋଷିତ ହେବା ପରଠୁ ନଅ ମାସ ଭିତରେ ଅର୍ଥାତ ଡିସେମ୍ବର ସୁଦ୍ଧା ଭାରତରେ ରେକର୍ଡ ଦୁଇ କୋଟିରୁ ଅଧିକ ଶିଶୁ  ଜନ୍ମ ହେବାର ସମ୍ଭାବନା ରହିଛି। ୟୁନିସେଫ୍ ସତର୍କ କରାଇଛି ଯେ, ସମଗ୍ର ଦୁନିଆରେ ବିଶ୍ଵ ମହାମାରୀ କରୋନା ସମୟରେ ଗର୍ଭବତୀ ମହିଳା ଓ ଏହି ସମୟରେ ଜନ୍ମ ନେଉଥିବା ଶିଶୁ ଉତ୍ପନ ସ୍ଵାସ୍ଥ୍ୟ ସେବା ସଙ୍କଟର ସାମ୍ନା କରୁଛନ୍ତି।

ମାତୃ ଦିବସ ପୂର୍ବରୁ ୟୁନିସେଫ୍‌ ଏକ ଆକଳନରେ କହିଛି, ସାରା ଦୁନିଆରେ କୋଭିଡ୍-୧୯ ମହାମାରୀର ପ୍ରକୋପ ମଧ୍ୟରେ ୧୧.୬ କୋଟି ଶିଶୁ ଜନ୍ମ ହେବେ।  ବିଶ୍ଵ ମାତୃ ଦିବସ ମେ ୧୦ରେ ପାଳନ ହେଉଛି। ମାର୍ଚ୍ଚ ୧୧ରେ କରୋନାକୁ ବିଶ୍ଵ ମହାମାରୀ ଘୋଷଣା କରାଯାଇଥିଲା। ମାର୍ଚ୍ଚ ୧୧ରୁ ଡିସେମ୍ବର ୧୬ ମଧ୍ୟରେ ଭାରତରେ ପ୍ରାୟ ୨ କୋଟିରୁ ଅଧିକ ନବଜାତ ଶିଶୁ ଜନ୍ମ ହେବାର ସମ୍ଭାବନା ରହିଛି।

ଏହା ପରେ ଚୀନରେ ୧.୩୫ କୋଟି, ନାଇଜେରିଆରେ ୬୪ ଲକ୍ଷ, ପାକିସ୍ତାନରେ ୫୦ ଲକ୍ଷ ଓ ଇଣ୍ଡୋନେସିଆରେ ୪୦ ଲକ୍ଷ ଶିଶୁ ଜନ୍ମ ହେବାର ସମ୍ଭାବନା ରହିଛି। ୟୁନିସେଫର ଆକଳନ ଅନୁଯାୟୀ ଭାରତରେ ୨୦୨୦ ଜାନୁଆରୀରୁ ଡିସେମ୍ଵର ମଧ୍ୟରେ ୨ କୋଟି ୪୦ ଲକ୍ଷ ଶିଶୁ ଜନ୍ମ ହେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.