ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସରକାର ବିଫଳ: ଦେଶରେ ବଢୁଛନ୍ତି ବେକାର, ୪ ମାସ ମଧ୍ୟରେ ବେରୋଜଗାର ହାର ସର୍ବାଧିକ
2/03/2020 at 8:55 PM

ନୂଆଦିଲ୍ଲୀ, ୦୨ ମାର୍ଚ୍ଚ: ଦେଶରେ ବେରୋଜଗାର ସମସ୍ୟା କମ ହେବା ବଦଳରେ ବଢିବାରେ ଲାଗିଛି। ଫେବ୍ରୁଆରୀ ମାସରେ ମଧ୍ୟ ରୋଜଗାର ସୁଯୋଗ ହ୍ରାସ ପାଇଛି। ଚଳିତ ମାସର ବେରୋଜଗାରୀ ହାର ବୃଦ୍ଧି ପାଇ ୭.୭୮ ପ୍ରତିଶତରେ ପହଁଚିଛି। ଏହା ଗତ ୪ ମାସ ମଧ୍ୟରେ ସର୍ବାଧିକ, ଯାହା ଅତ୍ୟନ୍ତ ଚିନ୍ତାଜନକ। ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଫଳ ହୋଇଥିବା ଏଥିରୁ ପ୍ରମାଣିତ ହୋଇଛି।

ଫେବ୍ରୁଆରୀ ମାସରେ ବେରୋଜଗାରୀ ଦର ଜାନୁଆରୀ ତୁଳନାରେ ୦.୬୨ ପ୍ରତିଶତ ବୃଦ୍ଧି ପାଇଛି। ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମୀ ବା ସିଏମଆଇଇ ସୋମବାର ଏହି ରିପୋର୍ଟ ଜାରି କରିଛି। ଯେଉଁଥିରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ବେରୋଜଗାରୀ ଦର ଅକ୍ଟୋବର ୨୦୧୯ ପରେ ସବୁଠାରୁ ଅଧିକ।

ରିପୋର୍ଟ ଅନୁସାରେ, ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଦେଶର ଆର୍ଥିକ ଅବସ୍ଥା ଉପରେ ପଡିଛି। ୨୦୧୯ର ଶେଷ ତିନୋଟି ମାସରେ ଅର୍ଥବ୍ୟବସ୍ଥାର ବୃଦ୍ଧି ୬ ବର୍ଷ ମଧ୍ୟରେ ସର୍ବନିମ୍ନ ରହିଥିଲା। ଫେବ୍ରୁଆରୀରେ ଗ୍ରାମାଞ୍ଚଳର ଲୋକଙ୍କୁ ସବୁଠାରୁ କମ ରୋଡଗାର ମିଳିଛି।ଏହା ଜାନୁଆରୀରେ ୫.୯୭ ଥିଲା। ଯାହା ୭.୩୭କୁ ବୃଦ୍ଧି ପାଇଛି। ତେବେ ସହରାଞ୍ଚଳରେ ବେରୋଜଗାର ଦର କମ ବୋଲି ସୂଚନା ମିଳିଛି। ଜାନୁଆରୀରେ ଏହା ୯.୭୦ ପ୍ରତିଶତ ଥିବା ବେଳେ ଫେବ୍ରୁଆରୀରେ ଏହା ୮.୬୫ ପ୍ରତିଶତ ହୋଇଛି।