ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଟିମ୍ ଇଣ୍ଡିଆ ରଚିବ ଇତିହାସ, ଅଷ୍ଟ୍ରେଲିଆକୁ ହରାଇବା ସହ ନିଜ ନାଁରେ କରିବ ରେକର୍ଡ

Published By : Prameya-News7 Bureau | June 24, 2024 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ର ସୁପର-୮ ରାଉଣ୍ଡରେ ଟିମ୍ ଇଣ୍ଡିଆ ନିଜର ଶେଷ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । ଉଭୟ ଟିମ୍ ସେଣ୍ଟ ଲୁସିଆର ଡ୍ୟାରେନ ସାମି ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ଏହି ଟିମ୍ ଇଣ୍ଡିଆ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ଟିମ୍ ଏହି ମ୍ୟାଚ୍‌କୁ ଜିତି ସେମିଫାଇନାଲରେ ନିଜ ସ୍ଥାନ ପକା କରିବା ଲକ୍ଷ୍ୟ ରଖିଛି । ଅନ୍ୟପଟେ ଟିମ୍ ଇଣ୍ଡିଆ ଯଦି ଏହି ମ୍ୟାଚକୁ ଜିତେ ତେବେ ନିଜ ନାଁରେ ଏକ ବିଶ୍ୱ ରେକର୍ଡ କରିବ ।

ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବେଶ ଚମତ୍କାର ରହିଛି । ଟିମ୍ ଟି-୨୦ ବିଶ୍ୱକପରେ ଏବେ ସୁଦ୍ଧା ୪୯ ମ୍ୟାଚ୍ ଖେଳିଛି । ଏଥିରୁ ସେ ୩୩ଟି ବିଜୟୀ ହୋଇଛି । ୧୫ଟି ମ୍ୟାଚରେ ପରାଜିତ ହୋଇଛି । ବର୍ତ୍ତମାନ ସମୟରେ ଟି-୨୦ ବିଶ୍ୱକପରେ ସବୁଠୁ ଅଧିକ ମ୍ୟାଚ୍ ଜିତିବା ମାମଲାରେ ଶ୍ରୀଲଙ୍କା ସହ ମିଳିତ ଭାବେ ପ୍ରଥମ ସ୍ଥାନରେ ଅଛି । ଏପରିସ୍ଥଳେ ଯଦି ରୋହିତ ବାହିନୀ ଅଷ୍ଟ୍ରେଲିଆକୁ ହରାଏ, ତେବେ ଟି-୨୦ ବିଶ୍ୱକପରେ ସବୁଠୁ ଅଧିକ ମ୍ୟାଚ୍ ଜିତିବାର ରେକର୍ଡ ନିଜ ନାଁ କରିବ ।

ଟି-୨୦ ବିଶ୍ୱକପରେ ଭାରତ ଏବଂ ଶ୍ରୀଲଙ୍କା ୩୩ଟି ଲେଖାଏ ମ୍ୟାଚ୍ ଜିତି ସଂଯୁକ୍ତ ଭାବେ ପ୍ରଥମ ସ୍ଥାନରେ ଅଛନ୍ତି । ଦକ୍ଷିଣ ଆଫ୍ରିକା ୩୧ଟି ମ୍ୟାଚ୍ ଜିତିବା ସହ ଦ୍ୱିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ୩୦ ଲେଖାଏ ମ୍ୟାଚ୍ ଜିତି ମିଳିତ ଭାବେ ତୃତୀୟ ସ୍ଥାନରେ ଅଛନ୍ତି ।

ଭାରତ ଗ୍ରୁପ୍‌-୧ରେ ୪ ପଏଣ୍ଟ ସହ ଶୀର୍ଷରେ ରହିଛି । ଦଳର ନେଟ୍‌ ରନରେଟ୍‌ ୨.୪୨୫ ସହ ଉନ୍ନତ ରହିଛି । ଅଷ୍ଟ୍ରେଲିଆର ରନରେଟ୍ ୦.୨୨୩ ଓ ଆଫଗାନିସ୍ତାନର -୦.୬୫୦ ୨ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ଗ୍ରୁପ୍‌ରେ ବାଂଲାଦେଶ ୨ଟି ମ୍ୟାଚ୍‌ ପରାଜିତ ହୋଇଛି ।  ଭାରତକୁ ୪୧ ରନ୍‌ରେ ହରାଇଲେ ଅଷ୍ଟ୍ରେଲିଆ ୪ ପଏଣ୍ଟ ସହ ନେଟ୍‌ ରନରେଟ୍‌ରେ ଶୀର୍ଷକୁ ଉଠିପାରିବ । ଏହାପରେ ବାଂଲାଦେଶ-ଆଫଗାନିସ୍ତାନ ମ୍ୟାଚ୍‌ ଫଳାଫଳ ଉପରେ ଭାରତର ଭାଗ୍ୟ ନିର୍ଭର କରିବ । ଆଫଗାନିସ୍ତାନ ୮୩ ରନ୍‌ରେ ବାଂଲାଦେଶକୁ  ହରାଇଲେ ଭାରତର ନେଟ୍‌ ରନ୍‌ରେଟ୍‌କୁ ଟପି ପାରିବ ଏବଂ ସେମିରେ ପ୍ରବେଶ କରିବ । ତେବେ ଭାରତ ଓ ବାଂଲାଦେଶ ଜିତିଲେ ଆଫଗାନିସ୍ତାନ ବାଦ୍‌ ପଡ଼ିବ ଏବଂ ଅଷ୍ଟ୍ରେଲିଆ ସେମିକୁ ଉନ୍ନୀତ ହୋଇ ପାରିବ । ଅଷ୍ଟ୍ରେଲିଆ ଓ ବାଂଲାଦେଶ ଜିତିଲେ ଭାରତ ଓ ଅଷ୍ଟ୍ରେଲିଆ ସେମିରେ  ପ୍ରବେଶ କରିବେ । ସେହିପରି ଭାରତ ଓ ଆଫଗାନିସ୍ତାନ ଜିତିଲେ ଅଷ୍ଟ୍ରେଲିଆର ଅଭିଯାନ ଶେଷ ହେବ ।   ପ୍ରତିଶୋଧ ଲକ୍ଷ୍ୟରେ ଭାରତ ରେକର୍ଡ଼ ଏବଂ ବର୍ତ୍ତମାନର ପ୍ରଦର୍ଶନକୁ ଦେଖିଲେ ଭାରତର ପଲା ଭାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.