କରୋନାରୁ ମୁକୁଳିଗଲେ ବି ମାନ୍ଦାବସ୍ଥା ବିରୋଧରେ ଲଢିପାରିବେନି ଗରିବ ଦେଶ : UNCTAD ରିପୋର୍ଟ
5/12/2020 at 8:31 PM

ୱାସିଂଟନ : ବିଶ୍ୱର ସବୁଠୁ ଗରିବ ଦେଶ ଏବେ ଗତ ୩୦ ବର୍ଷରେ ସବୁଠୁ ଖରାପ ଆର୍ଥିକ ସ୍ଥିତି ମଧ୍ୟ ଦେଇ ଗତିକରୁଛନ୍ତି। ଜାତିସଂଘ ଟ୍ରେଡ ଏଣ୍ଡ ଡେଭଲପେମେଣ୍ଟ କନଫରେନ୍ସ (ୟୁଏନସିଟିଏଡି)ରେ ଜାରି ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ସବୁଠୁ ଗରିବ ଦେଶଙ୍କ ସମ୍ପର୍କରେ ଉପସ୍ଥାପିତ ବାର୍ଷିକ ରିପୋର୍ଟରେ ମହାମାରୀ ଲାଗି ଆମଦାନୀ ସ୍ତର ହ୍ରାସ, ବ୍ୟାପକ ବେକାରୀ ଓ ବଢୁଥିବା ମୌଦ୍ରିକ ଘାଟା ଅନୁନ୍ୟ ୪୭ଟି ଦେଶର ୩.୨କୋଟି ଲୋକଙ୍କୁ ଅତ୍ୟନ୍ତ ଦାରିଦ୍ର୍ୟତା ମଧ୍ୟକୁ ନେଇଯାଇପାରେ ବୋଲି ଆଶଙ୍କା କରାଯାଇଛି।
ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ଅର୍ଗାନାଇଜେସନ ରିପୋର୍ଟରେ ଏହି ସବୁ ଦେଶଙ୍କ ଲାଗି କରୋନା ଭାଇରସ ମହାମାରୀରେ ଯେପରି ସ୍ୱାସ୍ଥ୍ୟଗତ ସଂକଟର ଆଶଙ୍କା କରାଯାଉଥିଲା ସେପରି କିଛି ହୋଇନଥିଲେ ହେଁ ଲୋକଙ୍କ ଆର୍ଥିକ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଥିବା କୁହାଯାଇଛି। ଅକ୍ଟୋବର ୨୦୧୦ରୁ ଅକ୍ଟୋବର ୨୦୨୦ ମସିହା ମଧ୍ୟରେ ଏପରି ଦେଶଙ୍କ ବିକାଶ ଆକଳନ ୫ ପ୍ରତିଶତରୁ ହ୍ରାସ ହୋଇ ଏବେ ୦.୪ ପ୍ରତିଶତରେ ପହଞ୍ଚିଯାଇଛି। ଏଣୁ ଏହି ସବୁ ଦେଶର ମୁଣ୍ଡପିଛା ଆୟରେ ୨.୬ ପ୍ରତିଶତ ହ୍ରାସ ନେଇ ରିପୋର୍ଟରେ ଆଶଙ୍କା କରାଯାଇଛି।

ୟୁଏନସିଟିଏଡିଙ୍କ ସାଧାରଣ ସମ୍ପାଦକ ମୁକସା କିତୁଇ ରିପୋର୍ଟର ପ୍ରସ୍ତାବନାରେ ‘ସବୁଠୁ କମ ବିକଶିତ ଦେଶ ଆଜି ୩୦ ବର୍ଷର ସବୁଠୁ ଖରାପ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି, ଏଣୁ ପ୍ରଥମରୁ ହିଁ ଦୁର୍ବଳ ଲୋକଙ୍କ ଜୀବନ ସ୍ତର ଆହୁରି ଖରାପ ଆଡକୁ ଚାଲିଯାଉଥିବା ସେ ଉଲ୍ଲେଖ କରିଛନ୍ତି। ମହାମାରୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଏପରି ଦେଶମାନେ ଯାହାବି କିଛି ପ୍ରଗତି କରିଥିଲେ ଏବେ ତାହା ମଧ୍ୟ ବେକାର ହୋଇଯାଇଛି। ଏପରି ଦେଶ ପୋଷଣ, ସ୍ୱାସ୍ଥ୍ୟ ଓ ଶିକ୍ଷାରେ ହାସଲ କରିଥିବା ସଫଳତା ସଂକଟକାଳରେ ସମାପ୍ତ ହୋଇଯାଇଥିବା ସେ କହିଛନ୍ତି।
ଅତୀତରେ ମହାମାରୀର ଅଭିଜ୍ଞତା କାରଣରୁ କମ ଜନସଂଖ୍ୟା ଘନତ୍ୱ ଓ ତୁଳନାତ୍ମକ ଭାବେ ଯୁବ ଜନସଂଖ୍ୟା ଅନେକ ଗରିବ ଦେଶଙ୍କୁ କରୋନା ଭାଇରସ ମହାମାରୀର ପ୍ରାରମ୍ଭିକ କାଳରେ ସୁରକ୍ଷିତ ରଖିପାରିଥିଲା। ତେବେ ଜାତିସଂଘ ଏଜେନ୍ସୀ ଭବିଷ୍ୟତରେ ଭୂତାଣୁର ପ୍ରସାର ଏପରି ଦେଶଙ୍କ ପ୍ରଥମରୁ ଦୁର୍ବଳ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଚୀରେ ଧ୍ୱଂସ୍ତ କରିଦେଇପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି।

ସେହିପରି ମାନ୍ଦାବସ୍ଥାର ଶିକାର ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଗରିବ ଦେଶଙ୍କୁ ଘରୋଇ ଆର୍ଥିକ ମାନ୍ଦାବସ୍ଥା ଅଧିକ ସମସ୍ୟାରେ ପକାଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ଆର୍ଥିକ ଶିଥିଳତା ଅନେକ ରପ୍ତାନୀ ଯୋଗ୍ୟ ସାମଗ୍ରୀର ଚାହିଦା ହ୍ରାସ କରିଛି। ଫଳରେ ଏପରି ସାମଗ୍ରୀର ମୂଲ୍ୟ ସାଙ୍ଗକୁ ମାତ୍ରା ମଧ୍ୟ କ୍ରମାଗତ ହ୍ରାସ ହେବାରେ ଲାଗିଛି। ଏଥିରେ ଆର୍ଥିକ ସଂକଟ ଦୀର୍ଘ ସମୟ ଲାଗି ରହିଲେ ଏହିଦେଶମାନଙ୍କରେ ବେକାରୀ ସ୍ଥାୟୀ ହୋଇଯିବା ସହ ଉଦ୍ୟୋଗକୁ ଏମିତି ପ୍ରଭାବିତ କରିବ ଯେ ସେମାନଙ୍କର ଭବିଷ୍ୟତ ଉତ୍ପାଦନ କ୍ଷମତକୁ ମଧ୍ୟ ପ୍ରଭାବିତ କରିବ।
ସେହିପରି ସାରା ବିଶ୍ୱରେ ଦାରିଦ୍ର୍ୟ ସ୍ତର ଓ ଖାଦ୍ୟ ଅସୁରକ୍ଷା ବଢିବ ବୋଲି ରିପୋର୍ଟରେ ଆଶଙ୍କା କରାଯାଇଥିବା ବେଳେ ଦାରିଦ୍ର୍ୟତା ଦୀର୍ଘ ସମୟ ପର୍ଯ୍ୟନ୍ତ ବଳବତ୍ତର ରହିପାରେ ବୋଲି ପୂର୍ବାନୁମାନ କରାଯାଉଛି। ଯେଉଁସବୁ ଦେଶରେ ଲୋକେ ଦୈନିକ ଦେଢ ଶହ ଟଙ୍କା ମଜୁରିରେ ପରିବାର ଚଳାଉଛନ୍ତି ସେପରି ଲୋକଙ୍କ ସଂଖ୍ୟାରେ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାର ବୋଲି ମଧ୍ୟ ଅନୁମାନ କରାଯାଇଛି।

ୟୁଏନସିଟିଏଡି ସାଧାରଣ ସମ୍ପାଦକଙ୍କ ଅନୁସାରେ ଏପରି ଅନେକ ସ୍ୱଳ୍ପବିକଶିତ ଦେଶ ଯେଉଁମାନେ ନିଜର ସୀମିତ ସଂସାଧନକୁ ମାନ୍ଦାବସ୍ଥାରୁ ବର୍ତ୍ତିବା ଲାଗି ଉପଯୋଗ କରିଦେଇଛନ୍ତି। ଅପରପଟେ ଏହି ଦେଶମାନେ ନିଜ ଅବସ୍ଥାକୁ ଭୁଲି ସେପରି ଦେଶଙ୍କ ମଧ୍ୟରେ ନିଜକୁ ଏବେ ଦେଖୁଛନ୍ତି ଯେଉଁମାନେ ଭୟାନକ ସଂକଟରେ ଫଶିଯାଇଛନ୍ତି। ହେଲେ ଭୁଲିଯାଇଛନ୍ତି ନିଜର ଆଗାମୀ ଭବିଷ୍ୟତ । ଫଳରେ ବୈଶ୍ୱିକ ବିକାଶ ଲକ୍ଷ ବିପଦରେ ପଡିଯାଇଥିବା ବେଳେ ଗରିବେ ଦେଶମାନଙ୍କରେ ସ୍ୱାସ୍ଥ୍ୟକର ଭୋଜନ ଅଭାବ ସାଙ୍ଗକୁ ପିଲାଙ୍କୁ ସ୍କୁଲରୁ ବାହାରକୁ ବାହାର କରି ଦେବାର ପରିସ୍ଥିତିକୁ ବି ଅସ୍ୱୀକାର କରଯାଇ ନପାରେ ବୋଲି ରିପୋର୍ଟରେ କୁହାଯାଇଛି।

ତେଣୁ ଏଭଳି ଦେଶଙ୍କ ଅର୍ଥବ୍ୟବସ୍ଥାକୁ କୋଭିଡ ପରେ ମଧ୍ୟ ଛିଡା କରିବା ଅସମ୍ଭବ ହୋଇପଡିବ ବୋଲି ୟୁଏନସିଟିଏଡି ରିପୋର୍ଟରେ କହିଛନ୍ତି। ଏଣୁ ଏଭଳି ଦେଶଙ୍କୁ ଦୃଷ୍ଟିରେ ରଖି ନିଜର ଅର୍ଥବ୍ୟବସ୍ଥା ପରିକଳ୍ପନା କରିବା ଲାଗି ୟୁଏନସିଟିଏଡି ସମ୍ପାଦକ ଅନ୍ତର୍ଜାତୀୟ ସମୂଦାୟଙ୍କୁ ନିବେଦନ କରିଛନ୍ତି।