ଜମିଜମା ବିବାଦରୁ ସଂପର୍କୀୟ ପୁତରାକୁ ହତ୍ୟା କଲା ଦାଦା, କଟାମୁଣ୍ଡ ଧରି ଥାନାରେ କଲା ଆତ୍ମସମର୍ପଣ
11/06/2019 at 2:51 PM

ସମ୍ବଲପୁର (ନୀଳାଚଳ ମହାପାତ୍ର) ୧୧|୬: ସମ୍ବଲପୁର ସହରର ଭାଲୁପାଲ୍ଲୀ ଅନ୍ତର୍ଗତ ତିଲେଇମାଳ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଗଣ୍ଡି ପଡିଛି ମୁଣ୍ଡ ଗାଏବ । ତେବେ କିଛି ଘଣ୍ଟାର ସସ୍ପେନ୍ସ ପରେ ହତ୍ୟାକାରୀ ଓ ହତ୍ୟାର କାରଣ ଜଣାପଡିଛି । ଜମି ଜମା ବିବାଦରୁ ସଂପର୍କୀୟ ପୁତରାକୁ ହତ୍ୟା କରିଛି ଦାଦା । ଆଉ କଟାମୁଣ୍ଡ ଧରି ଅଇଁଠାପାଲ୍ଲୀ ଥାନାରେ ପହଞ୍ଚି ଦୋଷ ମାନିଯାଇଛି ।ହତ୍ୟାକାରୀ ଆପେ ଆପେ ଧରାଦେଇଥିଲେ ବି ତାର ଏପରି ବୀଭତ୍ସ କାଣ୍ଡ ଏବଂ ହତ୍ୟାର ତରିକାକୁ ନେଇ ସାଧାରଣରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି ।

ଲୋମ ଟାଙ୍କୁରା ହତ୍ୟାକାଣ୍ଡ । ଏତେ ବୀଭତ୍ସ ଏବଂ ଅମାନବୀୟ ଯେ, ତାକୁ ଦେଖିବା କଷ୍ଟକର । ରକ୍ତ ଜୁଡୁବୁଡୁ ମୃତଦେହ ପଡିଛି, କିନ୍ତୁ ନାହିଁ ମୁଣ୍ଡ । ସମ୍ବଲପୁର ସହରର ଅଇଁଠାପାଲ୍ଲୀଥାନା ନିକଟସ୍ଥ ଭାଲୁପାଲ୍ଲୀ ତିଲେଇମାଳ ଗାଁରେ ଏଭଳି ଭୟଙ୍କର ହତ୍ୟାକୁ ନେଇ ଆଲୋଡନ।

ମୃତକ ହେଲେ ୫୦ ବର୍ଷୀୟ ସତ୍ୟନାରାୟଣ ମୁଣ୍ଡା। ମଜୁରି କରି ପରିବାର ପୋଷୁଥିବା ସତ୍ୟାନାରାୟଣ ସୋମବାର କାମରୁ ଆସି ଖାଇ ପିଇ ଘର ବାହାରେ ମଶାରୀ ଟାଙ୍ଗି ଶୋଇଥିଲା । କିନ୍ତୁ ସେହି ମଶାରୀ ଭିତରେ ସକାଳେ ତାଙ୍କ ରକ୍ତଜୁଡୁବୁଡୁ ଶରୀର ଦେଖି ଚିତ୍କାର କରିଥିଲେ ତାଙ୍କ ସ୍ତ୍ରୀ। ପାଖ ପଡିଶା ରୁଣ୍ଡ ହୋଇଯାଇଥିଲେ । ସତ୍ୟନାରାୟଣଙ୍କ ଶରୀରରୁ ମୁଣ୍ଡକୁ କାଟି ନେଇଥିଲା ହତ୍ୟାକାରୀ । ହତ୍ୟାର କାରଣ ଏବଂ ହତ୍ୟାକାରୀ କିଏ ତାହା ସମସ୍ତଙ୍କ ପାଇଁ ଥିଲା ଦୁର୍ବୋଧ । କାରଣ ସତ୍ୟନାରାୟଣଙ୍କର କେହି ଶତ୍ରୁ ଥିବା କାହାରି ବିଶ୍ବାସରେ ନଥିଲା ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲା ।

ହତ୍ୟାକାରୀ ନେଇ ସସ୍ପେନ୍ସ ବେଳେ, ସନ୍ଦେହକୁ ଆସିଥିଲେ ସତ୍ୟନାରାୟଣଙ୍କର ଜଣେ ସଂପର୍କୀୟ କକା । କିଛି ଦିନ ତଳେ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ହତ୍ୟାକାଣ୍ଡ ପରଠୁ ଗାଁରେ ସେହି କକାଙ୍କ ଦେଖା ନଥିଲା । ପୋଲିସ ସେନେଇ ତଦନ୍ତ କରୁଥିବା ବେଳେ ମାତ୍ର କିଛି ଘଣ୍ଟା ଭିତରେ ସେହି ସନ୍ଦେହ ସତ ହୋଇଛି । କଟାମୁଣ୍ଡ ଧରି ଅଇଁଠାପାଲ୍ଲୀ ଥାନାରେ ପହଞ୍ଚିଥିଲା ହତ୍ୟାକାରୀ ଉଜ୍ଜଳ ମୁଣ୍ଡା । ଏକ ବ୍ୟାଗ୍ ଭିତରେ ଥିବା ସତ୍ୟାନାରାୟଣଙ୍କ କଟାମୁଣ୍ଡ ଥାନାରେ ରଖି ଦୋଷ ମାନିଯାଇଥିଲା ଉଜ୍ଜଳ । ଜମିଜମା କଳିରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ମାନିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ।

ସାମାନ୍ୟ କଥାରେ ଜଣେ ବ୍ୟକ୍ତି ଏପରି ଭୟଙ୍କର ହୋଇପାରେ ? ହତ୍ୟାକାରୀ ଉଜ୍ଜଳ ମୁଣ୍ଡାର ଆତ୍ମସମର୍ପଣ ପରେ ଏହି ପ୍ରଶ୍ନ କୁ ନେଇ ସମ୍ବଲପୁର ସହରରେ ବେଶି ଚର୍ଚ୍ଚା । ତେବେ ହତ୍ୟାକାରୀର କଥା କେତେ ସତ ଏବଂ ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନା ସେନେଇ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।