୧୫ରୁ ସମ୍ବଲପୁରରେ ଖରିଫ୍ ଧାନ କିଣିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି : ୨୦ଦିନ ହେଲା ଅହୋରାତ୍ର ଧାରଣାରେ ଚାଷୀ, ଧାନ ବିକିବେନି ବୋଲି ଚାଷୀଙ୍କ ଚେତାବନୀ

Published By : Prameya-News7 Bureau | November 10, 2019 IST

ସମ୍ବଲପୁର ୧୦।୧୧: ଆଶା ଆଶଙ୍କାରେ ସମ୍ବଲପୁରରେ ଧାନକିଣା ବ୍ୟବସ୍ଥା । ଗୋଟିଏ ପଟେ ଜିଲ୍ଲାପାଳ ଚାଷୀଙ୍କୁ ସାହାଯ୍ୟ କରୁନଥିବା ବେଳେ, ଅନ୍ୟପଟେ ୨୦ଦିନ ହେଲା, ବୀମାରାଶି ପ୍ରଦାନ ଦାବି କରି ୩ହଜାରରୁ ଅଧିକ ଚାଷୀ ଅହୋରାତ୍ର ଧାରଣାରେ ବସିଛନ୍ତି।  ଧାନକିଣା ବୈଠକକୁ ଚାଷୀଙ୍କୁ ଆସିବା ପାଇଁ ନିମନ୍ତ୍ରଣ ଦେଇ, ପୁଣି ପୋଲିସ୍ ଲଗାଇ ମୁଖ୍ୟ ଫାଟକରେ  ତାଲା ପକାଇ ସେମାନଙ୍କୁ ବୈଠକରେ ଯୋଗଦେବାକୁ ବାରଣ କରାଯାଇଥିଲା । ପରବର୍ତ୍ତୀ ବୈଠକରେ ଚାଷୀମାନେ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରିବା ସହ ହୋହାଲ୍ଲା କରିଥିଲେ । ଏହାସହ ବୈଠକକୁ ବର୍ଜନ କରିଥିଲେ ଚାଷୀ । ଏବେ ପ୍ରଶ୍ନ ଉଠୁଛି ଚଳିତ ବର୍ଷ ଖରିଫ ଧାନ ଚାଷୀମାନେ ବିକ୍ରି କରିବେ ତ?

{"id":181996}

ଆସନ୍ତା ୧୫ତାରିଖରୁ ସମ୍ବଲପୁର ଜିଲ୍ଲାରେ ଚାଷୀଙ୍କ ଠାରୁ ଖରିଫ ଧାନ କିଣାଯିବାକୁ ଜିଲ୍ଲାପ୍ରଶାସନ ନିଷ୍ପତ୍ତି ନେଇଛି। ହେଲେ ହାତରେ ଆଉ ମାତ୍ର ୫ଦିନ ଥିବା ବେଳା, କୌଣସି ଚାଷୀଙ୍କୁ ଟୋକେନ୍ ପ୍ରଦାନ କରାଯାଇନି । ଚଳିତବର୍ଷ ଏହି ଟୋକେନ୍ ବ୍ୟବସ୍ଥା, ପ୍ୟାକ୍ସ୍ ବଦଳରେ, ସିଧା ଭୁବନେଶ୍ବରରୁ ନିୟନ୍ତ୍ରଣ ହେଉଥିବାରୁ,ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

{"id":181997}

ଚାଷୀଙ୍କ କହିବା କଥା, ଯଦି ଧାନକିଣାର ସବୁ ନିଷ୍ପତ୍ତି ଭୁବନେଶ୍ବରରେ ନିଆଯିବ ତେବେ, ଜିଲ୍ଲାସ୍ତରୀୟ ଧାନକିଣା ବୈଠକ କାହିଁକି କରାଯାଉଛି ।  ୨୦ଦିନ ହେଲା ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ହେଲେ  ଜିଲ୍ଲାପାଳ ଥରୁଟିଏ ହେଲେ ଆଲୋଚନାକୁ ଡାକିନାହାନ୍ତି । ଏବେ ଚାଷୀଙ୍କୁ ବାରମ୍ବାର ଅସମ୍ମାନ କରିବା ସହ,ସେମାନଙ୍କ ଉପରେ ଟୋକେନ୍ ବ୍ୟବସ୍ଥା ଲାଗୁ କରି, ଧାନକିଣାରେ ଅଚଳାବସ୍ଥା ସୃଷ୍ଟି କରିଛନ୍ତି । ତେଣୁ ପୁରା ଜିଲ୍ଲାରେ କୌଣସି ଚାଷୀ ଆସନ୍ତା ୧୫ତାରିଖରେ ଧାନବିକ୍ରି କରିବେ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇଦେଇଛନ୍ତି ।

{"id":181998}

ଜିଲ୍ଲାସ୍ତରୀୟ ଧାନକିଣା ବୈଠକ ଅଧାରୁ ଚାଷୀମାନେ, ବୈଠକ ଛାଡି ଚାଲିଆସିଥିବା ବେଳେ, ତାଙ୍କ ସହ ରାଜନେତା ମାନେ ମଧ୍ୟ ବୈଠକ ବର୍ଜନ କରିଥିଲେ। ଜିଲ୍ଲାପାଳଙ୍କ ମନମୁଖୀ ଶାସନ ଯୋଗୁ, ଏଭଳି ଅଚଳାବସ୍ଥ ସୃଷ୍ଟି ହୋଇଥିବା ରାଜନେତା ମାନେ କହିଛନ୍ତି। କାରଣ ସବୁବେଳ ଜିଲ୍ଲାପ୍ରଶାସନ ଚାଷୀଙ୍କ ସହ ବିନା ଆଲୋଚନାରେ କେବଳ ନିଜସ୍ବ ନୀତୀ ଚାଷୀଙ୍କ ଉପରେ ଲଦିଦେବାକୁ  ଉଦ୍ୟମ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି ।

{"id":181999}

ଗୋଟିଏ ପଟେ ଚାଷୀଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଥିବା ବେଳେ,ଏବେ ଖରିଫ ଧାନ ବିକ୍ରି ବର୍ଜନ ନିଷ୍ପତ୍ତି ଜିଲ୍ଲାପ୍ରଶାସନକୁ ଅଡୁଆରେ ପକାଇଛି। ହେଲେ ଏବେ ସମସ୍ତଙ୍କ ନଜର ରହିଛି, ଜିଲ୍ଲାପାଳ ଚାଷୀଙ୍କ ସହ ଆଲୋଚନା କରିବେ ନା, ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାଷୀଙ୍କୁ ଧାନବିକ୍ରି କରିବାକୁ ବାଧ୍ୟ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.