ମିଳିଲାନି ଶ୍ରମିକଙ୍କ ଝାଳବୁହା ଟଙ୍କା, ବ୍ଲକ କାର୍ଯ୍ୟାଳୟ ଉପରେ ସୁଝାଇଲେ ରାଗ, ବିଡିଓଙ୍କ ଚାମ୍ଵରରେ କଲେ ପ୍ରବଳ ଭଙ୍ଗାରୁଜା
16/01/2023 at 10:55 PM

ବଲାଙ୍ଗିର: କଥାରେ ଅଛି ମଣିଷ ସହିବା ସୀମା ପାର ହେଲେ ତାହା ଉଗ୍ରରୂପ ନେଇଥାଏ। ଆଉ ଏହା ହିଁ ହେଲା। ଗୋଟିଏ ମାସ ଧରି ପଞ୍ଚାୟତଠୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଧାଁ ଦଉଡ କରି ଅଧିକାରୀଙ୍କୁ ନିଜ ଝାଳବୁହା ଟଙ୍କା ପାଇଁ ନିବେଦନ କରି ଆସୁଥିଲେ। କେହି ନଶୁଣିବାରୁ ଶେଷରେ ଆଜି ବ୍ଲକରେ ଭିଆଇଛନ୍ତି ତୁମୁଳକାଣ୍ଡ । ବ୍ଲକରେ ବିଡ଼ିଓଙ୍କ ଚାମ୍ବରରେ ଚୌକି ଟେବୁଲ ଭାଙ୍ଗିବା ସହ ଟିଭି ଓ ବିଭିନ୍ନ ସାମଗ୍ରୀ ଭାଙ୍ଗିଛନ୍ତି ଶ୍ରମିକ। ଏଭଳି ଘଟଣା ବଲାଙ୍ଗୀର ଖପ୍ରାଖୋଲ ବ୍ଲକରେ ଘଟିଛି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ସେପଟେ ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ଧାରଣାରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଶ୍ରମିକ।
ଗୋଟିଏ ପଞ୍ଚାୟତରୁ ପାଖପାଖି ୪୦୦ ଲୋକ ଆସି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁଣି ବ୍ଲକ କାର୍ଯ୍ୟାଳୟ ଭିତରେ ଧସେଇ ପଶିଛନ୍ତି। ପୋଲିସ ମଧ୍ୟ ପରିସ୍ଥିତି ସମ୍ଭାଳି ପାରିନଥିଲା। ଶେଷରେ ବିଡ଼ିଓଙ୍କ ଚାମ୍ବରକୁ ଯାଇ ଆରମ୍ଭ କରି ଦେଲେ ଭଙ୍ଗାରୁଜା। ଯାହା ହାତକୁ ଆସିଲେ ଫୋପାଡ଼ିଲେ ଏବଂ ଯାହା ଦେଖିଲେ ଭାଙ୍ଗି ଚାଲିଲେ।
ଆଜି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ବ୍ଲକର ମହରା ପଞ୍ଚାୟତର ସର୍ଗିପାଲି ଗାଁ ସହ ଅନ୍ୟ କିଛି ଗାଁର ୭୨ ଜଣ ଶ୍ରମିକ ଗାଁରେ ଡ୍ରେନ କାମ କରିଥିଲେ। ପାରିଶ୍ରମିକ ବାବଦରେ ୭ ଲକ୍ଷ ଟଙ୍କାର ବିଲ୍ ହୋଇଥିଲା। ହେଲେ କାମ କରିବାର ଏକ ମାସ ପରେ ମଧ୍ୟ ଶ୍ରମିକଙ୍କୁ ଟଙ୍କା ମିଳିନଥିଲା। କିଛି ଶ୍ରମିକ ୧୦ ହଜାର ପାଇବା ସ୍ଥାନରେ ୩ ହଜାର ଟଙ୍କା ପାଇଥିଲେ। ଅନ୍ୟପକ୍ଷେ କିଛି ଶ୍ରମିକ କାମ ନକରି ଟଙ୍କା ପାଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପ୍ରଥମେ ଶ୍ରମ ବିଭାଗ ସହ ପଞ୍ଚାୟତରେ ଅଭିଯୋଗ କରିଥିଲେ। ପୁଣି ବିଡ଼ିଓଙ୍କୁ ମଧ୍ୟ ଜଣାଇଥିଲେ ହେଲେ କେହି ନ ଶୁଣିବାରୁ ଆଜି ଏଭଳି ବ୍ଲକ ଘେରାଉ କରିବା ସହ ତୁମୁଳକାଣ୍ଡ ଭିଆଇଛନ୍ତି ଶ୍ରମିକ।
ସେପଟେ ବ୍ଲକରେ ବିଡ଼ିଓଙ୍କ ଚାମ୍ବର ଟେବୁଲ ଚୌକି, ସହ ଟିଭି, ସେଟଅପ ବକ୍ସ ଝରକା କବାଟ ଭାଙ୍ଗିଥିବା ବେଳେ ବହୁ କାଗଜପତ୍ର ମଧ୍ୟ ଫୋପାଡି ଦେଇଛନ୍ତି। ଏ ନେଇ ଘଟଣାସ୍ଥଳରେ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ସେପଟେ ପାଟଣାଗଡ଼ ଖପ୍ରାଖୋଲ ରାସ୍ତାକୁ ଅବରୋଧ କରି ବସିଛନ୍ତି ଶ୍ରମିକ। ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଘଟଣାସ୍ଥଳରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଶ୍ରମିକଙ୍କୁ ବୁଝାସୁଝା କରିଛନ୍ତି।