ନୂଆଦିଲ୍ଲୀ ୦୩/୧୨: ଜାତିସଂଘ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ବହୁ ବିପଦଜ୍ଜନକ ଡ୍ରଗ୍ସ ଲିଷ୍ଟରୁ ଭାଙ୍ଗକୁ ବାଦ ଦେଇଛି ଜାତିସଂଘ। ଏହି ଲିଷ୍ଟରେ ହେରୋଇନ୍ ଭଳି ମାଦକ ଦ୍ରବ୍ୟ ସାମିଲ ରହିଛି। ତେବେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଭାଙ୍ଗର ଉପକାରୀତାକୁ ନଜରରେ ରଖି ଜାତିସଂଘ ଏପରି ନିଷ୍ପତ୍ତି ନେଇଛି।
ପ୍ରତିବନ୍ଧିତ ମାଦକ ଦ୍ରବ୍ୟ ଲିଷ୍ଟରୁ ଭାଙ୍ଗକୁ ହଟାଇବା ପାଇଁ ଜାତିସଂଘ ଦେଶଗୁଡ଼ିକର ମତ ଲୋଡ଼ିଥିଲା। ୨୭ ଦେଶ ଲିଷ୍ଟରୁ ଭାଙ୍ଗକୁ ବାଦ ଦେବା ସପକ୍ଷରେ ମତ ବାଢ଼ିଥିଲେ। ପରିବର୍ତ୍ତନ ସପକ୍ଷରେ ଆମେରିକା, ବ୍ରିଟେନ ଭଳି ଦେଶ ମତ ଦେଇଥିବା ବେଳେ ଭାରତ, ପାକିସ୍ତାନ, ନାଇଜେରିଆ ଓ ଋଷ ନିଷ୍ପତ୍ତିର ବିରୋଧ କରିଥିଲେ।
ଜାତିସଂଘର ଏଭଳି ଐତିହାସିକ ନିଷ୍ପତ୍ତି ପରେ ଭାଙ୍ଗରୁ ପ୍ରସ୍ତୁତ ମେଡିସିନ୍ ବ୍ୟବହାରରେ ବୃଦ୍ଧି ହୋଇପାରେ। ଏହା ସହ ଭାଙ୍ଗ ଉପରେ ବୈଜ୍ଞାନିକ ମାନେ ଅଧିକ ରିସର୍ଚ୍ଚ କରିବାକୁ ପ୍ରୋତ୍ସାହିତ ହେବା ସହ ଅନେକ ଦେଶ ଭାଙ୍ଗ ଓ ଗଞ୍ଜେଇ ବ୍ୟବହାରକୁ ନେଇ ନିଜ ପଲିସିରେ ପରିବର୍ତ୍ତନ କରିପାରନ୍ତି ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଭାଙ୍ଗକୁ ଚିକିତ୍ସା ବିଜ୍ଞାନରେ ବ୍ୟବହାର କରିବାକୁ ଦାବି ହୋଇଆସୁଥିଲା। ଏହାର ମେଡିକାଲ୍ ଫାଇଦାକୁ ନଜରରେ ରଖି ୫୦ରୁ ଅଧିକ ଦେଶ ଭାଙ୍ଗ ବ୍ୟବହାରକୁ ବୈଧ ଘୋଷଣା କରିଥିଲେ। କାନଡ଼ା, ଉରୁଗୁଏ ଓ ଆମେରିକାର ୧୫ ରାଜ୍ୟରେ ଭାଙ୍ଗକୁ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ଉପରେ ଅନୁମତି ଦିଆଯାଇଛି।