ଜାତିସଂଘରେ ଭାରତର ପକ୍ଷ ରଖୁଥିବା ସୟଦ ଅକବରୁଦ୍ଦିନ ନେଲେ ଅବସର : ବିଦାୟ ବେଳେ କହିଲେ ନମସ୍କାର

Published By : Prameya-News7 Bureau | April 30, 2020 IST

ନୂଆଦିଲ୍ଲୀ ୩୦/୦୪ : ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧିତ୍ବ କରୁଥିବା ସୟଦ ଅକବରୁଦ୍ଦିନ ଆଜି ଅବସର ଗ୍ରହଣ କରିଛନ୍ତି | ସେ ୨୦୧୬ ମସିହାରୁ ପଦବୀରେ ଥିଲେ | ଜାତିସଂଘରେ ସେ ଦୃଢ ଭାବେ ଭାରତର ପକ୍ଷ ରଖିଥାନ୍ତି ଯେଉଁଥିପାଇଁ ତାଙ୍କୁ ବହୁତ ପ୍ରଶଂସା ମିଳିଥାଏ | ବର୍ତ୍ତମାନ ଟି.ଏସ.ତିରୁମୁର୍ତ୍ତିଙ୍କୁ ନ୍ୟୁୟର୍କରେ ଜାତିସଂଘ ଭାରତର ସ୍ଥାୟୀ ପ୍ରତିନିଧି ନିଯୁକ୍ତ କରିଛନ୍ତି | ସେ ବିଦେଶ ମନ୍ତ୍ରାଳୟର ଆର୍ଥିକ ସମ୍ବନ୍ଧ ସଚିବ ଭାବେ କାର୍ଯ୍ୟରତ ଥିଲେ |

ସୟଦ ଅକବରୁଦ୍ଦିନ ଜାତିସଂଘର ମହାସଚିବ (ସେକ୍ରେଟାରୀ ଜେନେରାଲ)ଙ୍କ ସହ ଶେଷଥର ଭିଡିଓ କନଫରେନସିଂ ଜରିଆରେ କଥାବାର୍ତ୍ତା ହୋଇଥିଲେ | ସେ କହିଥିଲେ, 'ଯିବା ପୂର୍ବରୁ ମୋର ଏକ ଇଛା ଅଛି | ଭାରତୀୟ ସଂସ୍କୃତି ଅନୁଯାୟୀ ଆମେ ଯେତେବେଳେ ଜଣଙ୍କ ସହିତ ଦେଖା ହେଉ କିମ୍ବା ବିଦାୟ ନେଇଥାଉ ସେତେବେଳେ ଆମେ ହାତ ମିଳାଇ ନଥାଉ କି ହେଲୋ କହିନଥାଉ | ଆମେ ନମସ୍କାର କରିଥାଉ | ଆମ ସଂସ୍କୃତି ଅନୁଯାୟୀ ମୁଁ ଆପଣଙ୍କୁ ନମସ୍କାର କରିବାକୁ ଚାହୁଁଚି | ଯଦି ଆପଣ ରାଜି ଅଛନ୍ତି ତାହେଲେ ମୁଁ ମୋର ଜଣେ ସହଯୋଗୀଙ୍କୁ ଫଟୋ ଉଠାଇବା ପାଇଁ କହିବି |' 

ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହରକୁ ଜାତିସଂଘ ତରଫରୁ ଗ୍ଲୋବାଲ ଆତଙ୍କବାଦୀ ଘୋଷଣା କରିବାରେ ସେୟଦ ଅକବରୁଦ୍ଦିନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ | ଚୀନ ଲଗାତାର ଏହାକୁ ବିରୋଧ କରିଥିଲା | କିନ୍ତୁ ସେୟଦ ଅକବରୁଦ୍ଦିନ ପଛଘୁଞ୍ଚା ଦେଇନଥିଲେ | ଶେଷରେ ଅଜହରକୁ ଗ୍ଲୋବାଲ ଆତଙ୍କୀ ଘୋଷଣା କରାଯାଇଥିଲା | ଗ୍ଲୋବାଲ ମଞ୍ଚରେ ମଧ୍ୟ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚୀନ ପ୍ରୟାସ କରିଥିଲା | ଚୀନର ପ୍ରୟାସକୁ ସୟଦ ଅକବରୁଦ୍ଦିନ ଖାରଜ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.