ନୂଆଦିଲ୍ଲୀ: ଲୋକଙ୍କ ମୌଳିକ ଅଧିକାରକୁ ସମ୍ମାନ ଦେବା ପାଇଁ ଚୀନକୁ କହିଲା ଜାତିସଂଘ। ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରିବା ଲୋକଙ୍କ ଅଧିକାର। ତେଣୁ ଏହାକୁ ସମ୍ମାନ ଦେବାକୁ କହିଲା ଜାତିସଂଘ। ଯେଉଁମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭରେ ସାମିଲ୍ ହେଉଛନ୍ତି ଚୀନ ପୁଲିସ ସେମାନଙ୍କୁ ଅଟକ ରଖିବା ଉଚିତ ନୁହେଁ ବୋଲି ଜାତିସଂଘ କହିଛି।
ଚୀନର କଡ଼ା କରୋନା କଟକଣା ଓ ଚୀନ ସରକାରଙ୍କର ଏକଛତ୍ରବାଦୀ ଶାସନ ବିରୋଧରେ ବିକ୍ଷୋଭ କରୁଛନ୍ତି ଲୋକେ। ଗତକାଲି ଉରମକି ସହରରେ ଅଗ୍ନିକାଣ୍ଡ ଘଟଣାରେ କରୋନା କଟକଣା ଯୋଗୁ ନିଆଁ ଲାଗିଥିବା ବିଲ୍ଡିଂରେ ବାହାରି ପାରିନଥିଲେ ଲୋକେ। ପୀଡ଼ିତଙ୍କ ସମର୍ଥନରେ କ୍ୟାଣ୍ଡେଲାଇ୍ଟ୍ରେ ଆସି ଆନ୍ଦୋଳନକାରୀମାନେ ଜିନ୍ପିଙ୍ଗ ଡାଉନ ଡାଉନ୍ ନାରା ଦେଇଥିଲେ।
ଚୀନରେ ଦେଖା ଦେଇଥିବା ଦେଶବ୍ୟାପୀ ବିରୋଧକୁ ଦମନ କରୁଛି ଚୀନ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ଥିବା ଲୋକଙ୍କୁ ବଳପୂର୍ବକ ଜେଲ୍ରେ ରଖୁଛନ୍ତି ଚୀନ ସରକାର। ଏହାକୁ ବାରଣ କରି ଜାତିସଂଘ କହିଛି "ଅନ୍ତରାଷ୍ଟ୍ରୀ ମାନବାଧିକାର ଆଇନ୍ର ଉଲ୍ଲଂଘନର ଜବାବ ଦେବାକୁ ଆମେ ଅନ୍ତରାଷ୍ଟ୍ରୀୟ ନେତାମାନଙ୍କୁ ଅନୁରୋଧ କରୁଛି। ସମସ୍ତଙ୍କର ମତ ରଖିବାର ଅଧିକାର ଅଛି। ଏଥିପାଇଁ କାହାକୁ ଧରି ଜେଲ୍ରେ ପୂରାଇବା ଉଚିତ୍ ନୁହେଁ।" ଜାତିସଂଘ ମାନବାଧିକାର କମିଶନ କାର୍ଯ୍ୟାଳୟ ପ୍ରବକ୍ତା ଜେରେମୀ ଲରେନ୍ସ ଏହି ସୂଚନା ଦେଇଛନ୍ତି।
ଗୁରୁବାର ଉରମକି ସହରରେ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଥିଲେ। ଉକ୍ତ ଅଞ୍ଚଳରେ କଡ଼ା ଲକ୍ଡାଉନ୍ ଲାଗିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଲୋକମାନେ ବାହାରକୁ ବାହାରି ପାରିନଥିଲେ। ଫଳରେ ଅଧିକ ଲୋକଙ୍କର ଜୀବନ ଗଲା ବୋଲି ବିକ୍ଷୋଭକାରୀ ନାରା ଦେଇଥିଲେ। ଲୋକଙ୍କ ବିରୋଧକୁ ଦମନ କରିବା ପାଇଁ ଆନ୍ଦୋଳାକୀରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲା ଚୀନ। ଲୋକଙ୍କୁ ଅଟକ ରଖିବା ସହିତ ଜେଲ୍ରେ ରଖିଥିଲା। ଏବେ ଏହି ଆନ୍ଦୋଳନରେ ଦେଶବ୍ୟାପୀ ହେଉଛି।