ଦିଲ୍ଲୀ ହିଂସା: ଉମର ଖାଲିଦଙ୍କ ବିରୋଧରେ ୟୁଏପିଏ ଆଧାରରେ ଚାଲିବ କେସ୍, ଗୃହ ମନ୍ତ୍ରଣାଳୟ-ଦିଲ୍ଲୀ ସରକାର ଦେଲେ ମଞ୍ଜୁରୀ
6/11/2020 at 3:59 PM

ନୂଆଦିଲ୍ଲୀ ୦୬।୧୧: ଦିଲ୍ଲୀ ହିଂସା ମାମଲାରେ ଉମର ଖାଲିଦ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ଚଳାଇବା ପାଇଁ ଦିଲ୍ଲୀ ସରକାର ଏବଂ ଗୃହ ମନ୍ତ୍ରଣାଳୟ ସ୍ଵୀକୃତି ଦେଇଛନ୍ତି। ଉମର ଖାଲିଦଙ୍କୁ ଦିଲ୍ଲୀ ପୁଲିସ ହିଂସା ମାମଲାରେ ୟୁଏପିଏ ଆଧାରରେ ଗିରଫ କରିଥିଲା। ଆଇନ ଅନୁଯାୟୀ ୟୁଏପିଏ ଆଧାରରେ କୌଣସି ବ୍ୟକ୍ତିଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ହେଲେ ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ ନେବା ଆବଶ୍ୟକ।
ଦିଲ୍ଲୀ ପୁଲିସକୁ ପ୍ରାୟ ଏକ ସପ୍ତାହ ପୂର୍ବେ ଅନୁମତି ମିଳି ସାରିଥିଲା। ବହୁତ ଶୀଘ୍ର ଦିଲ୍ଲୀ ହିଂସା ମାମଲାରେ ଉମର ଖାଲିଦ ଓ ଶରଜିଲ ଇମାମଙ୍କ ବିରୋଧରେ ୟୁଏପିଏ ଆଧାରରେ ଦିଲ୍ଲୀ ପୁଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ଯାଉଛି। ଏହା ବ୍ୟତୀତ କ୍ରାଇମ ବ୍ରାଞ୍ଚ ମଧ୍ୟ ଉମର ଖାଲିଦଙ୍କ ବିରୋଧରେ ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ କରିବ।
ଦିଲ୍ଲୀ ପୁଲିସ ଉମର ଖାଲିଦଙ୍କୁ ସେପ୍ଟେମ୍ବର ୧୪ରେ ଦିଲ୍ଲୀ ହିଂସା ସଂପର୍କିତ ମାମଲାରେ ଗିରଫ କରିଥିଲା। କଡକଡଡୁମା କୋର୍ଟ ଉମର ଖାଲିଦଙ୍କ ବିଚାର ବିଭାଗୀୟ ହାଜତକୁ ନଭେମ୍ବର ୨୦ ପାଇଁ ବୃଦ୍ଧି କରିଥିଲେ। ଦିଲ୍ଲୀ ପୁଲିସ ପକ୍ଷରୁ ଉମରଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଆଉ ୩୦ ଦିନ ବଢାଇବାକୁ ଆବେଦନ କରାଯାଇଥିଲା।
ଉମର ଖାଲିଦଙ୍କ ଓକିଲ ଦିଲ୍ଲୀ ପୁଲିସର ଆବେଦନକୁ ବିରୋଧ କରି କହିଛନ୍ତି ପୁଲିସର ସବୁ ପ୍ରକାରର ଯାଞ୍ଚରେ ଖାଲିଦ ସହଯୋଗ କରିଛନ୍ତି। କିନ୍ତୁ ଅଭିଯୋଗ ହେଉଛି ଯେ, ଉମର ଖାଲିଦ ତଦନ୍ତରେ ସହଯୋଗ କରୁନାହାନ୍ତି। ତାଙ୍କର ବିଚାର ବିଭାଗୀୟ ହାଜତ ବଢାଇବା ପାଇଁ ଦିଲ୍ଲୀ ପୁଲିସ ଦ୍ଵାରା ଦାଖଲ ଆବେଦନ ଭୁଲେ ଅଟେ ବୋଲି ଓକିଲ କହିଛନ୍ତି।
ଦିଲ୍ଲୀ ପୁଲିସ କଡକଡଡୁମା କୋର୍ଟରେ କହିଥିଲା ଯେ, ସଂପ୍ରତି ଏହି ମାମଲାରେ ତଦନ୍ତ ଜାରି ରହିଛି। ଏମିତି ସ୍ଥିତିରେ ଉମର ଖାଲିଦଙ୍କୁ ଜାମିନ ଦେବା ଉଚିତ୍ ନୁହେଁ। ଏହା ପରେ କୋର୍ଟ ଉମର ଖାଲିଦଙ୍କ ବିଚାର ବିଭାଗୀୟ ହାଜତକୁ ନଭେମ୍ବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।