ଯୁଦ୍ଧକୁ ନେଇ ଜେଲେନସ୍କିଙ୍କ ସ୍ପଷ୍ଟ ଆଭିମୁଖ୍ୟ, ଋଷ୍ ସାମ୍ନାରେ ଆତ୍ମସମର୍ପଣ କରିବ ନାହିଁ ଯୁକ୍ରେନ୍

Published By : Prameya-News7 Bureau | December 22, 2022 IST

ଓ୍ବାସିଂଟନ: ୟୁକ୍ରେନ୍-ଋଷ୍ ଯୁଦ୍ଧରେ କୌଣସି ସନ୍ଧି ହେବ ନାହିଁ । ଶରୀରରେ ପ୍ରାଣ ଥିଲା ପର୍ଯ୍ୟନ୍ତ ଜାରି ରହିବ ଯୁଦ୍ଧ । ୟୁକ୍ରେନ୍ କେବେ ବି ଶତ୍ରୁ ଦେଶ ସାମ୍ନାରେ ମୁଣ୍ଡ ନୁଆଇଁବ ନାହିଁ । ପଡୋଶୀ ଦେଶଙ୍କ କୂଟନୈତିକ ଚାପ, ୟୁକ୍ରେନ୍ ଉପରେ କୌଣସି ପ୍ରଭାବ ପକାଇ ପାରବ ନାହିଁ । ୟୁକ୍ରେନ୍-ଋଷ୍ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତରେ ଯାଇ ଏଭଳି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି। ଓ୍ବାସିଂଟନରେ ନିଜର ବକ୍ତବ୍ୟ ରଖି ଋଷ ସାମ୍ନାରେ ୟୁକ୍ରେନ୍ କେବେବି ଆତ୍ମସମର୍ପଣ କରିବା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଋଷ-ୟୁକ୍ରେନ ଯୁଦ୍ଧକୁ ୩୦୦ଦିନ ପୂରିଲାଣି, ତଥାପି ଥମିବାର ନାଁ ଥରୁ ନାହିଁ ଯୁଦ୍ଧ । ଋଷର ମିସାଇଲ୍ ମାଡ଼ରେ ଛରଖାର ହୋଇଛି ୟୁକ୍ରେନର ବଡ଼ ବଡ଼ ସହର । ଅନ୍ଯପଟେ ଋଷ କବଜା କରିଥିବା ଅଂଶ ୟୁକ୍ରେନ୍ ସୈନ୍ୟ ମୁକ୍ତ କରୁଛନ୍ତି । ଏହାରି ଭିତରେ ଯୁଦ୍ଧକୁ ୩ଶହ ଦିନ ପରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଆମେରିକା ଗସ୍ତ କରିଛନ୍ତି । ବୁଧବାର ଓ୍ବାସିଂଟନରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଉଥିଲା ।  ଜେଲେନସ୍କି ନିଜର ଭାଷଣରେ ଯୁଦ୍ଧକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଯୁଦ୍ଧରେ କୌଣସି ସନ୍ଧି ହେବ ନାହିଁ, ଯୁଦ୍ଧ ଜାରି ରହିବ ।

ଅନ୍ୟପେଟ ଆମେରିକା ରାଷ୍ଟ୍ରପତି  ଜୋ ବାଇଡେନ୍ ଜେଲେନସ୍କିଙ୍କୁ ଆଶ୍ବସନା ଦେଇ କହିଛନ୍ତି,  ‘ଆମେରିକା ଆପଣଙ୍କ ସହିତ ସବୁବେଳେ ଅଛି । ୟୁକେନ୍ କେବେ ବି ଏକା ହୋଇ ରହିବ ନାହିଁ’ । ଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ଆପଣଙ୍କୁ ଆମେରିକାର ସହଯୋଗ କରିବ ବୋଲି ବାଇଡେନ୍ କହିଛନ୍ତି ।

ଯୁଦ୍ଧ ଆରମ୍ଭରୁ ଆମେରିକା ୧.୮୫ ବିଲିୟନ ଡଲାର ଘୋଷଣା କରିଛି। ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆମେରିକା ସହିତ ଏକ ନୂଆ ମିସାଇଲ୍ ସିଷ୍ଟମ୍ ନେଇ ବୁଝାବଣା କରିଛନ୍ତି  । ଅନ୍ୟପେଟ ଆମେରିକା  ୟୁକ୍ରେନକୁ ଯୁଦ୍ଧାସ୍ତ୍ର ପଠାଇଲେ ସଂଘର୍ଷ ଆହୁରି ବଢିବ ଓ ଏହା ୟୁକ୍ରେନ ପାଇଁ ଶୁଭ ସଂକେତ ନୁହେଁ ବୋଲି କ୍ରିମାଲିନ୍ ପ୍ରବକ୍ତା କହିଛନ୍ତି । ସେହିପରି ଋଷ ରାଷ୍ଟ୍ରପତି ଆମେରିକାକୁ ତୃତୀୟ ପକ୍ଷ କହି ଇଙ୍ଗିତ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ପାଇଁ ମସ୍କୋ ଦାୟି ହେବ ନାହିଁ । ଆମ ସଶସ୍ତ୍ରବଳର କ୍ଷମତା ଲଗାତାର ଭାବେ ବଢୁଛି । ଯାହା କିଛି ହୋଇଛି, ଏହା କେବଳ ତୃତୀୟ ପକ୍ଷ ପାଇଁ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.