ୟୁକ୍ରେନରେ ପୁରୀ ଛାତ୍ରଛାତ୍ରୀ ହଟହଟା; ପିଲାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର

Published By : Prameya-News7 Bureau | March 03, 2022 IST

ପୁରୀ ୦୩/୦୩ : ୟୁକ୍ରେନରେ ପଢିବାକୁ ଯାଇଥିବା ବହୁ ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ ଏବେ ଯୁଦ୍ଧ ଭିତରେ ଫସିରହିଛନ୍ତି। ଭାରତ ସରକାର କିଛି ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇବାରେ ସଫଳ ହୋଇଥିବାବେଳେ ବହୁ  ଛାତ୍ରଛାତ୍ରୀ ୟୁକ୍ରେନ ଓ ଏହାର ସୀମାନ୍ତ ବିଭିନ୍ନ ସହରରେ ଫସି ରହିଛନ୍ତି।ସେହିଭଳି ପୁରୀର ମଧ୍ୟ ଅନେକ ଛାତ୍ରଛାତ୍ରୀ ସେଠାରେ ଫସିଥିବାବେଳେ ଅନେକ ମଧ୍ୟ ସୀମାବର୍ତି ଅଞ୍ଚଳରେ ପହଞ୍ଚିବାରେ ଲାଗିଛନ୍ତି। ତେବେ ଉଚ୍ଚ ଶିକ୍ଷିତ କରିବା ପାଇଁ ପଠାଇଥିବା ବାପା,ମା ଏବେ ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି।

ଏଭଳି ଯୁଦ୍ଧ ଓ କଷ୍ଟଭରା ଯାତ୍ରାକୁ ଅଙ୍ଗେ ନିଭାଇଥିବା ଜଣେ ଡାକ୍ତରୀ ଛାତ୍ର ହେଉଛନ୍ତି ପୁରୀ ହାଡଗୋଡ଼ିଆ ସାହିର ଅବିନାଶ ନାୟକ। ୬ ଦିନ ଧରି ଭୋକ ଓପାସରେ ରହିବା ସହ ଶୂନ୍ୟ ତାପମାତ୍ରାରେ ୪୦କି.ମି ଚାଲିବା ପରେ ଭାରତୀୟ ଦୂତାବାସ ସହଯୋଗରେ ବସ ଦ୍ୱାରା ସାଙ୍ଗମାନଙ୍କ ସହ ପୋଲାଣ୍ଡରେ ପହଞ୍ଚିଛନ୍ତି ।ପୋଲାଣ୍ଡରୁ ଭାରତ ଫେରିବାକୁ ଲକ୍ଷ ରଖିଛନ୍ତି ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦରୁ ସେ ଘରକୁ ଭଲରେ ଫେରିବେ ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି।ଏହି ଅବସରରେ ଅବିନାଶ ନିଜର ଦୁଃଖଭରା କାହାଣୀକୁ କହିବାବେଳେ ଭାବବିହ୍ୱଳ ହୋଇପଡିଛନ୍ତି।ସେ ୟୁକ୍ରେନର ଇଭାନ  ସହରରେ ଥିବା ନେସନାଲ ମେଡ଼ିକାଲ ୟୁନିଭର୍ସିଟିରେ ମେଡ଼ିକାଲ ପଢୁଥିଲେ।ଯୁଦ୍ଧ ପାଇଁ ତୁରନ୍ତ ତାଙ୍କୁ ସହର ଛାଡ଼ିବାକୁ କୁହାଯାଇଥିଲା।ସେ ୨୪ ତାରିଖରେ ସାଙ୍ଗମାନଙ୍କ ସହ ଗାଡ଼ି ଧରି ପୋଲାଣ୍ଡ ସୀମା ଅଭିମୁଖେ ବାହାରିଥିଲେ।କିନ୍ତୁ ସୀମା ନିକଟରେ ପହଞ୍ଚିବା ବେଳକୁ ତାଙ୍କ ଗାଡ଼ି ଛଡାଯାଇନଥିଲା।ସେତେବେଳକୁ ତାପମାତ୍ରା ମାଇନସ ୪ରୁ ୧୦ଡିଗ୍ରୀ ରହିଥିଲା।ବହୁ କଷ୍ଟରେ ଭୋକ ଓପାସରେ  ରହି ବରଫ ରାସ୍ତାରେ ଦୀର୍ଘ ୪୦କି.ମି. ଚାଲି ୬ଦିନର ଯାତ୍ରା ପରେ ସେ ପୋଲାଣ୍ଡ ସୀମାରେ ପହଞ୍ଚିଛନ୍ତି।ସୋ ଏବେ ବିମାନରେ ଭାରତ ଫେରିବାକୁ ଅପେକ୍ଷା କରିଛନ୍ତି

ସେହିଭଳି  ଫସି ରହିଥିବା ଆଉ ଜଣେ ଛାତ୍ର ହେଉଛନ୍ତି ପୁରୀ ଅବକାଶ ଲେନର ଯଜ୍ଞେଶ ଦାଶ। ୟୁକ୍ରେନର ଖାର୍କିଭ ସହରରେ ଚତୁର୍ଥ ବର୍ଷ ମେଡିକାଲ ପାଠ ପଢୁଥିବା ପୁରୀ ଅବକାଶ ଲେନର ସନ୍ତୋଷ କୁମାର ଦାଶଙ୍କ ପୁଅ ଯଜ୍ଞେଶ । ସେ ଏବେ ରୋମାନିଆ ସୀମା ଆଶ୍ରୟସ୍ଥଳରେ ରହିଛନ୍ତି। ଏହା ପରିବାର ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତ ଦେଇଛି। ୟୁକ୍ରେନରେ ଦୁଃଖ ଦୁର୍ଦ୍ଦିନରେ ଅଟକିଥିବା ପୁଅର ଘର ଫେରିବାକୁ  ନେଇ ଏବେ ତାଙ୍କ ବାପା ମା ଚିନ୍ତାରେ ଅଛନ୍ତି।ଭାରତୀୟ ବାୟୁସେନାର ସ୍ଵତନ୍ତ୍ର ବିମାନ ଯାଇଥିବାରୁ ଯଜ୍ଞେଶ ସୁରକ୍ଷିତ ଭାବେ ଘରକୁ ଫେରିଆସିବ ବୋଲି ଘର ଲୋକ ଆଶା ରଖିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ।ପୁଅର ଶ୍ୱାସନଳୀରେ ସଂକ୍ରମଣ ହୋଇଥିବାରୁ ତାର ଚିକିତ୍ସା ଚାଲିଛି।ସୁସ୍ଥ ହୋଇ ସୁରକ୍ଷିତ ଭାବେ ପୁଅ ଫେରିଆସୁ ଏହି ଗୁହାରି କରିଛନ୍ତି ବାପା, ମା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.