ୟୁକ୍ରେନର ପାଲଟା ଜବାବ, ଋଷ୍ ସେନା ଉପରେ ଜବରଦସ୍ତ ଆକ୍ରମଣ, ୧୭ଟି ସୈନ୍ୟ ଶିବିର ଧ୍ବସ୍ତ-ବିଧ୍ବସ୍ତ

Published By : Prameya-News7 Bureau | November 08, 2022 IST

ନୂଆଦିଲ୍ଲୀ: ଥମିବାର ନାଁ ଧରୁନି ୟୁକ୍ରେନ-ଋଷ୍ ଯୁଦ୍ଧ । ମିସାଇଲ ମାଡ଼ ସାଙ୍ଗକୁ ଗୁଳି-ଗୋଳା ବର୍ଷାରେ ଧ୍ବସ୍ତ-ବିଧ୍ବସ୍ତ ଅଧିକାଂଶ ଅଞ୍ଚଳ । ଋଷ୍ ଉପରେ ହାଲ୍ଲାବୋଲ୍ ଡାକିଦେଇଛନ୍ତି ୟୁକ୍ରେନ୍ ସୈନ୍ୟ । ଜୋରଦାର ପାଲଟା ଆକ୍ରମଣରେ ଋଷ୍ ସେନା ଧରାଶାୟୀ ହୋଇଛି । ୟୁକ୍ରେନର ପୂର୍ବ ଅଞ୍ଚଳରେ ଋଷ୍ ସେନା ଡେରା ପକାଇଥିବା ସ୍ଥାନରେ ହମଲା ହୋଇଛି । ଫଳରେ ସୈନ୍ୟ ଆଡ୍ଡା କ୍ଷତିଗ୍ରସ୍ତ ହୋଇଛି ।

କିବ୍ ଇଣ୍ଡିପେଣ୍ଡେଣ୍ଟର ପୋଷ୍ଟ୍ ଓ ଜେନେରାଲ ଷ୍ଟାଫ୍‌ଙ୍କ ସୂଚନା ଅନୁଯାୟୀ, ୟୁକ୍ରେନ୍ ସେନା, ଋଷ୍ ସୈନ୍ୟ ଶିବିର ଉପରେ ପାଲଟା ଆକ୍ରମଣ କରିଛି । ପୂର୍ବ ୟୁକ୍ରେନରେ ଥିବା ଋଷ୍‌ର ୧୭ଟି ସୈନ୍ୟ ଆଡ୍ଡାରେ ମିସାଇଲ୍ ମାଡ଼ ହୋଇଛି । ଗୋଳାବାରୁଦ ଡିପୋ ଓ କମାଣ୍ଡୋ ପୋଷ୍ଟକୁ ଟାର୍ଗେଟ୍‌ କରିଛନ୍ତି ସେନା । ସୈନ୍ୟ ଶିବିର ଧ୍ବସ୍ତ-ବିଧ୍ବସ୍ତ ହୋଇଥିବାବେଳେ ବହୁ ଋଷୀୟ ସୈନ୍ୟ ପ୍ରାଣ ହରାଇଛନ୍ତି ।

ୟୁକ୍ରେନ୍‌ର ପାଲଟା ଆକ୍ରମଣରେ ଋଷ୍ ରାଷ୍ଟ୍ରପତିଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି । ଋଷ୍ କବ୍‌ଜା କରିଥିବା ଡୋନେଟସ୍କ ଔବ୍ଲାଷ୍ଟର କ୍ରାସ୍ତ୍ରୋହୋରିଓ୍ବକା, ବଖମୁଟ୍, ଔପିଟନେ, ମୌରିଙ୍କା ପାଓ୍ବଲିଓ୍ବାକା, ବୋଡେନ୍ ଓ ମେୟର୍ସ୍କ ଆଦି ସ୍ଥାନରେ ବମ୍ ବର୍ଷା କରିଛନ୍ତି ସୈନ୍ୟ । ଇନଷ୍ଟିଚ୍ୟୁଟ୍ ଅଫ ଦି ଷ୍ଟଡି ଅଫ୍ ଓ୍ବାରର କହିବା ଅନୁଯାୟୀ, ୟୁକ୍ରେନରେ ଋଷ୍ ସୈନ୍ୟଙ୍କ ବିଫଳତା ଜଳଜଳ ହୋଇ ଦିଶୁଛି । ଯୁଦ୍ଧାରେ ହଜାର ହଜାର ସଂଖ୍ୟାରେ ଋଷୀୟ ସୈନ୍ୟ ପ୍ରାଣହରାଇଲେଣି । ଯାହାକୁ ନେଇ ଯବାନଙ୍କ ପରିବାରରେ ଋଷ୍ ମୁଖ୍ୟଙ୍କ ପ୍ରତି ଆକ୍ରୋଶର ନିଆଁ ଜଳୁଛି ।

 ଏହା ପୂର୍ବରୁ ୟୁକ୍ରେନ୍ ସୈନ୍ୟବାହିନୀ ମଧ୍ୟ ଋଷ୍ ସେନା ଉପରେ ବଡ଼ ଧରଣର ଆକ୍ରମଣ କରିଥିଲେ । ୟୁକ୍ରେନ୍ ସେନା ଚିଫ୍ ଅଫ ଷ୍ଟାଫଙ୍କ କହିବା ଅନୁଯାୟୀ, ଶତ୍ରୁ ଉପରେ ୩୩ଥର ଆକ୍ରମଣ କରିଛନ୍ତି ୟୁକ୍ରେନ୍ ସୈନ୍ୟ । ଏଥିମଧ୍ୟରୁ ଗୋଳାବାରୁଦ ଡିପୋକୁ ୨୬ଥର ଟାର୍ଗେଟ୍ କରାଯାଇଛି । କେବଳ ୨୪ ଘଣ୍ଟା ମଧ୍ୟରେ ଋଷ୍‌ର ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନଷ୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.