ରୁଷର କବଜା ପରେ ଆକ୍ସନରେ ୟୁକ୍ରେନ, ନାଟୋ ସଦସ୍ୟତା ପାଇଁ ଆନୁଷ୍ଠାନିକ ଭାବେ କଲା ଆବେଦନ

Published By : Prameya-News7 Bureau | September 30, 2022 IST

ନୂଆଦିଲ୍ଲୀ: ରୁଷ ଦ୍ୱାରା ଅନେକ ଅଞ୍ଚଳକୁ କବଜା କରିବା ପରେ ୟୁକ୍ରେନ ଆନୁଷ୍ଠାନିକ ଭାବେ ନାଟୋର ସଦସ୍ୟତା ପାଇଁ ଆବେଦନ କରିଛି । ଶୁକ୍ରବାର ୟୁକ୍ରେନ ମିଡିଆ ଏହି ସୂଚନା ଦେଇଛି । ୟୁକ୍ରେନର ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଛି ଯେତେବେଳେ ପୁଟିନ ୟୁକ୍ରେନର ଏକ ବଡ଼ ଅଞ୍ଚଳକୁ ରୁଷରେ ମିଶାଇବା ଚୁକ୍ତି ଉପରେ ହସ୍ତାକ୍ଷର କରିଛନ୍ତି । ଅନ୍ତରାଷ୍ଟ୍ରୀୟ ଆଇନକୁ ଅଣଦେଖା କରି ୟୁକ୍ରେନର ଚାରୋଟି ବଡ଼ ଅଞ୍ଚଳକୁ ରୁଷରେ ସାମିଲ କରିବା ପ୍ରକ୍ରିୟା ଆରମ୍ଭ କରିବା ସହ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ପୁଟିନଙ୍କ ଏହି ପଦକ୍ଷେପ ପରେ ୟୁକ୍ରେନ ଆନୁଷ୍ଠାନିକ ଭାବେ ନାଟୋର ସଦସ୍ୟତା ପାଇଁ ଆବେଦନ କରିଛି।

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ତାଙ୍କ ଦେଶ ନାଟୋର ସଦସ୍ୟତା ହାସଲ କରିବା ପାଇଁ ତ୍ୱରିତ ଆବେଦନ ପ୍ରସ୍ତୁତ କରୁଛି । ଜେଲେନସ୍କି କହିଛନ୍ତି, ‘ଆମେ ନାଟୋରେ ତୁରନ୍ତ ସାମିଲ ହେବା ପାଇଁ ୟୁକ୍ରେନର ଆବେଦନ ଉପରେ ହସ୍ତାକ୍ଷର କରିବା ନେଇ ନିର୍ଣ୍ଣାୟକ ପଦକ୍ଷେପ ନେଉଛୁ’।  ତେବେ ତ୍ୱରିତ ଆବେଦନର ଅର୍ଥ କଣ ତାହା ସ୍ପଷ୍ଟ ହୋଇ ନାହିଁ । କାରଣ ନାଟୋରେ ସାମିଲ ହବା ପାଇଁ ଏହାର ସବୁ ସଦସ୍ୟ ଦେଶର ସର୍ବସମ୍ମତ ସମର୍ଥନର ଆବଶ୍ୟକତା ରହିଥାଏ।

ଚଳିତ ବର୍ଷ ଜୁନ ମାସରେ ତିନୋଟି ଦେଶ ଅନୁଷ୍ଠାନିକ ଭାବେ ନାଟୋରେ ସାମିଲ ହେବା ନେଇ ନିଜ ଇଚ୍ଛା ପ୍ରକାଶ କରିସାରିଛନ୍ତି । ୟୁକ୍ରେନ ଏବେ ଆନୁଷ୍ଠାନିକ ଭାବେ ଆବେଦନ କରିଛି । ଜୁଲାଇ ମାସରେ ଫିନଲ୍ୟାଣ୍ଡ ଏବଂ ସ୍ୱୀଡେନ ନାଟୋରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏବେ ଦୁଇ ଦେଶଙ୍କ ପାଇଁ ସମର୍ଥନ ପ୍ରକ୍ରିୟା ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ, ନାଟୋ ୩୦ ପାଶ୍ଚାତ୍ୟ ଦେଶରେ ଏକ ସୈନ୍ୟ ସଂଗଠନ । ଏଥିରେ ସାମିଲ ପ୍ରମୁଖ ଦେଶ ମଧ୍ୟରେ ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ଫ୍ରାନ୍ସ ସାମିଲ। ନାଟୋର ମୁଖ୍ୟ ଲକ୍ଷ୍ୟ ସୁରକ୍ଷା ନୀତି ଉପରେ କାମ କରିବ । ଯଦି କୌଣସି ନାଟୋ ଦେଶ ଉପରେ ଅନ୍ୟ ଦେଶ ଆକ୍ରମଣ କରନ୍ତି ତେବେ ନାଟୋରେ ସାମିଲ ସବୁ ଦେଶ ସଦସ୍ୟ ରାଷ୍ଟ୍ର ସମର୍ଥନରେ ବାହାରିଥାନ୍ତି । ଏପରିସ୍ଥିତିରେ ଯଦି ୟୁକ୍ରେନକୁ ନାଟୋର ସଦସ୍ୟତା ମିଳେ ତେବେ ରୁଷର ମୁକାବିଲା କେବଳ ୟୁକ୍ରେନ ନୁହେଁ ସାରା ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସହ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.