ଦୂର ହେବ ଖାଦ୍ୟ ସଂକଟ, UNର ମଧ୍ୟସ୍ଥତାରେ ରୁଷ-ୟୁକ୍ରେନ ମଧ୍ୟରେ ବୁଝାମଣା ସ୍ୱାକ୍ଷର

Published By : Prameya-News7 Bureau | July 22, 2022 IST

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ପାଞ୍ଚ ମାସ ପୂରିବାକୁ ଯାଉଛି, କିନ୍ତୁ ଏହି ଯୁଦ୍ଧ ଥମିବାର ନାଁ ଧରୁ ନାହିଁ । ଦୁଇ ଦେଶର ଜିଦ୍ ଯୋଗୁଁ ଦୁନିଆର ଅନେକ ଦେଶ ଖାଦ୍ୟ ସଂକଟର ସାମନା କରୁଛନ୍ତି । ଯୁଦ୍ଧ ଆରମ୍ଭଠୁ ଦୁଇ ଦେଶ ଗୋଟିଏ ପ୍ରସଙ୍ଗରେ ସହମତି ପ୍ରକାଶ କରି ନଥିବା ବେଳେ ଏକ ବୁଝାମଣା ଉପରେ ହସ୍ତାକ୍ଷର କରିଛନ୍ତି । ଯୁଦ୍ଧର ୧୫୦ ଦିନ ପରେ ଦୁଇ ଦେଶ ମିଳିତ ଜାତିସଂଘର ମଧ୍ୟସ୍ଥତାରେ କୃଷ୍ଣ ସାଗରରୁ ଖାଦ୍ୟଶସ୍ୟ ରପ୍ତାନୀକୁ ବିନା ବାଧାରେ ଜାରି ରଖିବା ଉପରେ ସହମତି ପ୍ରକାଶ କରିଛନ୍ତି । ଏହି ବୁଝାମଣା ପରେ ୟୁକ୍ରେନର ବନ୍ଦରରୁ ଖାଦ୍ୟଶସ୍ୟ ନେଇ ବାହାରୁ ଥିବା ଜାହାଜକୁ ରୁଷ ଅଟକାଇବ ନାହିଁ । ଦୁଇ ଦେଶର ମଧ୍ୟରେ ଏହି ଚୁକ୍ତି ପରେ ଦୁନିଆରେ ଖାଦ୍ୟ ସଂକଟକୁ ଏଡାଇ ଦିଆଯାଇପାରି ବୋଲି ଅନୁମାନ କରାଯାଉଛି ।

ଦୁଇ ଦେଶ ଏହି ବୁଝାମଣା ଉପରେ ତୁର୍କୀର ଡୋଲମାୱାଚେ ପ୍ୟାଲେସରେ ହସ୍ତାକ୍ଷର କରିଛନ୍ତି । ଏହି ବୈଠକରେ ମିଳିତ ଜାତିସଂଘ ମହାସଚିବ ଏଣ୍ଟୋନିୟୋ ଗୁଟେରେସ ଏବଂ ତୁର୍କୀ ରାଷ୍ଟ୍ରପତି ତୈୟବ ରଜବ ଏର୍ଦୋଗାନ ଉପସ୍ଥିତ ଥିଲେ । ଗୁଟେରେସ ଏହି ବୈଠକ ପରେ କହିଛନ୍ତି, 'ଏହି ବୁଝାମଣା ଜରିଆରେ ୟୁକ୍ରେନରୁ ଖାଦ୍ୟ ସାମଗ୍ରୀର ରପ୍ତାନୀ ରାସ୍ତା ଖୋଲିଛି। ଏହାଦ୍ୱାରା ବିକାଶଶୀଳ ଦେଶରେ ଖାଦ୍ୟ ଏହଂ ଆର୍ଥିକ ସଂକଟରୁ ଏଡାଇ ଦିଆଯାଇ ପାରିବ' ।

ଅନ୍ୟପଟେ ୟୁକ୍ରେନ ଏହି ବୁଝାମଣା ଉପରେ ହସ୍ତାକ୍ଷରକୁ ନେଇ ସ୍ପଷ୍ଟୀକରଣ ଦେଇଛି । ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଟ୍ୱିଟ୍ କରି ୟୁକ୍ରେନ ଏବଂ ରୁଷ ମଧ୍ୟରେ କୌଣସି ସିଧା ବୁଝାମଣା ହୋଇନାହିଁ ବୋଲି କହିଛନ୍ତି । ସେ କହିଛନ୍ତି,' ଆମେ ତୁୁର୍କୀ ଏବଂ ମିଳିତ ଜାତିସଂଘ ସହ ଏକ ଚୁକ୍ତି ସ୍ୱାକ୍ଷର କରିଛୁ। ରୁଷ ମଧ୍ୟ ୟୁଏନ ଏବଂ ତୁର୍କୀ ସହ ସମାନ ଧରଣର ବୁଝାମଣା ଉପରେ ହସ୍ତାକ୍ଷର କରିଥାଇପାରେ'।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚଳିତ ବର୍ଷ ଫେବ୍ରୁଆରୀରୁ ଯୁଦ୍ଧ ଜାରି ରହିଛି । ଯୁଦ୍ଧରେ ରୁଷ, ୟୁକ୍ରେନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଉପରେ କବାଜ କରିଛି । ଏଥିରେ କୃଷ୍ଣ ସାଗର ମାଧ୍ୟ ସାମିଲ ଅଛି । ଏହାଛଡା ୟୁକ୍ରେନର ଅନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ବନ୍ଦର ମଧ୍ୟ ରୁଷ ଅକ୍ତିଆରରେ ଅଛି । ଏପରି ସ୍ଥିତିରେ ୟୁକ୍ରେନରୁ ଖାଦ୍ୟଶସ୍ୟ ରପ୍ତାନୀ ଉପରେ ପ୍ରାୟ ପାଞ୍ଚ ମାସ ଧରି ରୋକ ଲାଗିଛି । ଏହି ଗତିରୋଧକୁ ଶେଷ କରିବା ପାଇଁ ୟୁଏନ ଏବଂ ତୁର୍କୀ ମିଶି ରୁଷ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ କରିବା ଉପରେ ଜୋର ଦେଇଛନ୍ତି ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠୁ କିଭରୁ ରପ୍ତାନୀ ବନ୍ଦ ରହିଛି । ଅନ୍ୟପଟେ ରୁଷ ଉପରେ ପାଶ୍ଚାତ୍ୟ ଦେଶ ଗୁଡିକ କଟକଣା ଜାରି କରିଛନ୍ତି । ଫଳରେ ୟୁକ୍ରେନ ସହ ରୁଷରୁ ମଧ୍ୟ ରପ୍ତାନୀ ହ୍ରାସ ପାଇଛି । ଅଧିକାଂଶ ଦେଶ ରୁଷରୁ ସିଧା ସାମଗ୍ରୀ କିଣିବା ଠାରୁ ଦୂରେଇ ରହୁଛନ୍ତି । ଏପରି ସ୍ଥିତିରେ ଖାଦ୍ୟଶସ୍ୟ ସାମଗ୍ରୀର ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ଏହି ଦୁଇ ଦେଶକୁ ଖାଦ୍ୟାନ୍ନ ରପ୍ତାନୀ ମାମଲାରେ ବିଶ୍ୱରେ ପାୱାରହାଉସ କୁହାଯାଉଛି । ଏହି ଦୁଇ ଦେଶ ଦୁନିଆରେ ଗହମର ୨୪ ପ୍ରତିଶତ ଚାହିଦା ପୂରଣ କରନ୍ତି । କେବଳ ଏତିକି ନୁହେଁ, ଦୁନିଆର ୫୭ ପ୍ରତିଶତ ସୂର୍ଯ୍ୟମୁଖୀ ତେଲର ଚାହିଦାକୁ ଏହି ଦୁଇ ଦେଶ ପୂରଣ କରିଥାନ୍ତି । କିନ୍ତୁ ଯୁଦ୍ଧ ପରେ ରୁଷ ଏବଂ ଯୁକ୍ରେନରୁ ରପ୍ତାନୀ ବାଧାପ୍ରାପ୍ତ ହୋଇଛି ଏବଂ ଅନେକ ଦେଶରେ ଖାଦ୍ୟ ସାମଗ୍ରୀର ଅଭାବ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.