ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଶି ସୁନକ, ଧନୀ ତାଲିକାରେ ଉଠିଲେ ଉପରକୁ, ସମ୍ପତ୍ତି ଦୃଷ୍ଟିରୁ ବ୍ରିଟେନ ରାଜାଙ୍କୁ ପକାଇଲେ ପଛରେ

Published By : Prameya-News7 Bureau | May 19, 2024 IST

ନୂଆଦିଲ୍ଲୀ ୧୯।୦୫: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଶି ସୁନକ । ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ଜାଣି ଆଶ୍ଚର୍ଯ୍ୟ ହେବେ ଖୁବ୍ ଧନୀ ଅଟନ୍ତି ଋଶି ସୁନକ । ନିକଟରେ ନୂଆ ଧନୀ ତାଲିକା ଜାରି ହୋଇଛି । ଏହି ତାଲିକା ଅନୁସାରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଶି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସମ୍ପତ୍ତି ଗତବର୍ଷ ୧୨ କୋଟି ପାଉଣ୍ଡ୍‌ ବା ପ୍ରାୟ ୧୨୮୭ କୋଟି ଟଙ୍କା ବୃଦ୍ଧି ପାଇଛି । 

ଫଳରେ ସଂଶୋଧିତ ତାଲିକାରେ ଉଭୟଙ୍କ ଆନୁମାନିକ ମୋଟ ସମ୍ପତ୍ତି ୨୦୨୩ର ୫୨.୯ କୋଟି ପାଉଣ୍ଡରୁ ବଢ଼ି ୬୫.୧ କୋଟି ପାଉଣ୍ଡ୍‌ ବା ୬୮୬୭ କୋଟି ଟଙ୍କା ହୋଇଛି । ସମ୍ପତ୍ତିରେ ଏତେ ମାତ୍ରାରେ ବୃଦ୍ଧି ସହିତ ଋଶି ସୁନକ କିଙ୍ଗ୍‌ ଚାର୍ଲସ-୩ଙ୍କଠାରୁ ବି ଅଧିକ ଧନୀ ପାଲଟିଛନ୍ତି । ବ୍ରିଟେନ୍‌ର ବାର୍ଷିକ ଧନୀ ତାଲିକା ଅନୁସାରେ, ଚାର୍ଲସ-୩ ଗତବର୍ଷର ତାଲିକାରେ ସୁନକ ପରିବାରଠାରୁ ଆଗରେ ଥିଲେ । 

କିନ୍ତୁ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ଗତବର୍ଷ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ତାଙ୍କ ସମ୍ପତ୍ତି ଏବେ ୬୧ କୋଟି ପାଉଣ୍ଡ । ୨୦୨୨ରେ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସମ୍ପତ୍ତି ଦିବଙ୍ଗତ ବ୍ରିଟେନ ମହାରାଣୀଙ୍କଠାରୁ ଅଧିକ ହୋଇଯାଇଥିଲା । ଉକ୍ତ ବର୍ଷ ଏଲିଜାବେଥ ଦ୍ୱିତୀୟଙ୍କ ସମ୍ପତ୍ତି ମୂଲ୍ୟ ୩୭ କୋଟି ପାଉଣ୍ଡ୍‌ ଥିଲା । ସୁନକ ସଣ୍ଡେ ଟାଇମ୍ସର ୩୫ ବର୍ଷ ଇତିହାସରେ ବାର୍ଷିକ ସମ୍ପତ୍ତି ସୂଚୀରେ ସାମିଲ ହୋଇ ଆସୁଥିବା ପ୍ରଥମ ଆଗଧାଡ଼ିର ରାଜନେତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.