ଋଷି ସୁନକଙ୍କ ପୋଙ୍ଗଲ ଭୋଜି ଘଟଣା: ଭାଇରାଲ୍ ହେଉଥିବା ଭିଡିଓର କ’ଣ ରହିଛି ସତ୍ୟତା ?
17/01/2023 at 5:23 PM

ନୂଆଦିଲ୍ଲୀ, ୧୭/୦୧: ଚଳିତ ବର୍ଷ ଭାରତ ସମେତ ବିଦେଶର ରହୁଥିବା ବହୁ ଭାରତୀୟ ଏବଂ ଭାରତୀୟ ବଂଶୋଦ୍ଭବ ପାଳନ କରିଥିଲେ ପୋଙ୍ଗଲ ପର୍ବ। ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓଟି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କାର୍ଯ୍ୟାଳୟର ବୋଲି କୁହାଯାଇଥିଲା। ଭିଡିଓଟିରେ କିଛି ଲୋକ ଏକ ଅଫିସ୍ରେ ବସି କଦଳୀ ପତ୍ରରେ ଖାଉଥିବା ଦେଖାଯାଇଥିଲା । ଆଉ ତାହା ବ୍ରିଟିଶ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏବଂ ପୋଙ୍ଗଲ ଅବସରରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ଭୋଜିର ଆୟୋଜନ କରିଥିବା କୁହାଯାଇଥିଲା। ତେବେ ଏହି ଭିଡିଓର ସତ୍ୟତା କ’ଣ ଜାଣନ୍ତୁ।
ଭିଡିଓରେ ଏଭଳି ଦର୍ଶାଯାଇଥିଲା:
ଭିଡିଓରେ କିଛି ଅଧିକାରୀ କଦଳୀ ପତ୍ରରେ ପରଷା ଯାଇଥିବା ଖାଦ୍ୟର ମଜା ନେଉଥିବାର ଦେଖାଯାଇଥିଲା। କିଛି ଅଧିକାରୀ ହାତରେ ମଧ୍ୟ ଖାଉଥିବାର ଦେଖାଯାଇଥିଲା। ଏହା ସହ ପାରମ୍ପରିକ ପୋଷାକ ପିନ୍ଧିଥିବା କିଛି ବ୍ୟକ୍ତି ସେମାନଙ୍କୁ ଖାଦ୍ୟ ପରଷିବାର ମଧ୍ୟ ଭିଡିଓରେ ଦେଖାଯାଇଥିଲା। ଭିଡିଓଟି ଭାରତରେ ଖୁବ୍ ଭାଇରାଲ ହୋଇଥିଲା। ଅନେକ ସ୍ଥାନୀୟ ଗଣମାଧ୍ୟମ ମଧ୍ୟ ଭିଡିଓକୁ ରିଟ୍ବିଟ୍ କରିଥିଲେ ଏବଂ ଏହା ସୁନକଙ୍କ ଅଫିସ୍ରେ ଏହି ଭୋଜି ହୋଇଥିବା ନେଇ ଦାବି କରିଥିଲେ। ହଜାର ହଜାର ସଂଖ୍ୟାରେ ୟୁଜର୍ସ ମଧ୍ୟ ଏହି ଭିଡିଓ ଦେଖିଥିଲେ।
ଭିଡିଓର ପ୍ରକୃତ ସତ୍ୟ:
କିନ୍ତୁ ପରବର୍ତ୍ତୀ ସମୟରେ ଏହି ଭିଡିଓର ସତ୍ୟତା ସାମ୍ନାକୁ ଆସିଥିଲା। ଖବର ଭୁଲ୍ ଥିଲା। ତଥ୍ୟ ଯାଞ୍ଚ ପରେ ଜଣାପଡ଼ିଥିଲା ସେହି ଭିଡିଓଟି ପ୍ରକୃତରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କାର୍ଯ୍ୟାଳୟର ନଥିଲା। ତାହା କାନାଡ଼ାର ଓ୍ବାଟରଲୁ ସହରର ଥିଲା। ଓ୍ବାଟରଲୁରେ ରହୁଥିବା ତାମିଲ୍ ସଂପ୍ରଦାୟ ଏଭଳି ପୋଙ୍ଗଲ ଭୋଜିର ଆୟୋଜନ କରିଥିଲା। କିନ୍ତୁ ତାହାକୁ ଭୁଲ୍ ଭାବ ଚିତ୍ରଣ କରାଯାଇ ପ୍ରକୃତ ଘଟଣା ଓ ଘଟଣାସ୍ଥଳ ବଦଳରେ ଭିଡିଓଟି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କାର୍ଯ୍ୟାଳୟର ବୋଲି ଦର୍ଶାଯାଇଥିଲା।
ତାମିଲ କଲ୍ଚର ଓ୍ବାଟରଲୁ ନାମକ ଫେସବୁକ୍ ଆକାଉଣ୍ଟରୁ ଏହି ପୋଷ୍ଟ ହୋଇଥିବା ଜଣାପଡ଼ିଥିଲା। ଏହି ଭିଡିଓରେ ସ୍ଥାନୀୟ ଅଧକାରୀମାନେ ରହିଥିଲେ। ଭିଡିଓରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଏହା ତାମିଲ କଲଚର ଓ୍ବାଟରଲୁ ଅଞ୍ଚଳର।
କାନାଡାର କିଚନ ସହରର ମେୟର ବେରୀ ଭ୍ରବାନୋଭିକ୍ ଏକ ଟ୍ବିଟ୍ କରିଥିଲେ। କାରଣ କିଚନର ଏବଂ ଓ୍ବାଟରଲୁକୁ କାନାଡା ଓଣ୍ଟାରିଓର ଦୈତ ନଗରୀ ବୋଲି କୁହାଯାଏ।
A wonderful evening last night with @waterlootamils & community leaders celebrating #ThaiPongal with foods & cultural traditions together with our local Tamil-Canadian community. Canada & our community are blessed with the diversity that makes us such a great place to live. (1/2) pic.twitter.com/3KUwVKLMoO
— Berry Vrbanovic (@berryonline) January 15, 2023
ଯାଞ୍ଚରୁ ଜଣାପଡ଼ିଲା ଭାଇରାଲ ହୋଇଥିବା ଭିଡିଓ ମିଥ୍ୟା:
ତେବେ ଭିଡିଓର ସତ୍ୟତା ସାମ୍ନାକୁ ଆସିବା ପରେ ପରେ ଅନେକ ଗଣମାଧ୍ୟମ ଏନେଇ ପ୍ରକାଶ କରିଥିବା ଆର୍ଟିକିଲ୍କୁ ଅପଡେଟ୍ କରିଥିଲେ ଏବଂ ଏହି ଭିଡିଓଟି ଲଣ୍ଡନର ନୁହେଁ କାନାଡ଼ାର ବୋଲି ନିଶ୍ଚିତ କରିଥିଲେ। ଫଳରେ ସ୍ପଷ୍ଟ ହୋଇଛି ଯେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କାର୍ଯ୍ୟାଳୟ ବା ଅଫିସ୍ରେ ସେଭଳି କୌଣସି ପୋଙ୍ଗଲ ପାର୍ଟିର ଆୟୋଜନ କରାଯାଇନଥିଲା। ଆୟୋଜନ ସ୍ଥଳ ଏବଂ ଆୟୋଜକ ସଂପୂର୍ଣ୍ଣଭାବେ ଭିନ୍ନ। ଫଳରେ ଭାଇରାଲ୍ ଭିଡିଓର ସତ୍ୟତା ସ୍ପଷ୍ଟ ହୋଇଛି। ଋଷି ସୁନକଙ୍କ କାର୍ଯ୍ୟାଳୟ ନୁହେଁ କାନାଡ଼ାରେ ଏକ ନିର୍ଦ୍ଦିଷ୍ଟ ଅନୁଷ୍ଠାନ ଏଭଳି ପୋଙ୍ଗଲ ପାର୍ଟି କରିଥିଲେ।
ଏହି ଖବର ବିଷୟରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁଥିଲେ ଏହି ୱେବସାଇଟ ଭିଜିଟ କରିପାରିବେ। https://odia.factcrescendo.com/2023/01/21/video-from-canada-viral-as-pongal-celebration-in-rishi-sunaks-office/