କଞ୍ଜରଭେଟିଭ୍ ପାର୍ଟି ଅଧ୍ୟକ୍ଷ ନିଲମ୍ବିତ, ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ସୁନକ ସରକାର
31/01/2023 at 10:42 AM

ନୂଆଦିଲ୍ଲୀ: ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ । ନିୟମ ଉଲ୍ଲଙ୍ଘନ ଅଭିଯୋଗ ପରେ କଞ୍ଜରଭେଟିଭ୍ ପାର୍ଟି ଅଧ୍ୟକ୍ଷ ଦଳରୁ ନିଲମ୍ବିତ ହୋଇଛନ୍ତି । ନଦିମ୍ ଜହାଓ୍ବିଙ୍କୁ ବରଖାସ୍ତ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ । ଟିକସ ମାମଲାରେ ନିରପକ୍ଷେ ତଦନ୍ତ ପରେ ଜହାଓ୍ବି ନିୟମ ଉଲ୍ଲଙ୍ଘନ କରିଥିବା ସ୍ପଷ୍ଟ ହେବା ପରେ ଏଭଳି ଆକ୍ସନ ନେଇଛନ୍ତି ସୁନକ ସରକାର ।
ବ୍ରିଟେନ୍ ସମ୍ବାଦପତ୍ର ଦି ଆର୍ଜିଆନ୍ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା, ଲାରି ମ୍ୟାଗ୍ରସ୍ ଦ୍ବାରା ହୋଇଥିବା ତଦନ୍ତରେ ସ୍ପଷ୍ଟ ହୋଇଛି ଯେ, ନଦିମ୍ ଜହାଓ୍ବି ପୂର୍ବ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ଙ୍କ ଦ୍ବାରା ଚାନ୍ସିଲ୍ର ଭାବେ ନିଯୁକ୍ତି ହେବା ପୂର୍ବରୁ ଟ୍ୟାକ୍ସ ଟ୍ରିବୁନାଲ ମାମଲାରେ ଯାଞ୍ଚର ସାମ୍ନା କରିଛନ୍ତି ବୋଲି ଅଧିକାରୀଙ୍କୁ ଲୁଚାଇ ରଖିଥିଲେ ।
ନଦିମ୍ ଜହାଓ୍ବି ଟିକସ ଫାଙ୍କିବାକୁ ଏଚଏମଆରସିଙ୍କ ସହିତ ଭିତିରି ବୁଝାମଣା କରିଥିଲେ । ପୂର୍ବ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ଙ୍କ ପରେ ସେପ୍ଟେମ୍ବର ମାସରେ ସେ ଲିଜ୍ ଟ୍ରସ୍ ସରକାରରେ କ୍ୟାବିନେଟ୍ ପଦ ସମ୍ଭାଳିଥିଲେ । ଏହା ପରେ ସୁନକ ସରକାରରେ ତାଙ୍କୁ ଟୋରୀ ଚେୟାର ଏବଂ ବିନା ପୋର୍ଟଫୋଲିଓରେ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ଏହାକୁ ନେଇ କଞ୍ଜରଭେଟିଭ୍ ପାର୍ଟିର ସଂସାଦ ପ୍ରଶ୍ନ କରିଥିଲେ । ଏହି ଅଭିଯୋଗ ପରେ ନଦିମ୍ ଜହାଓ୍ବିଙ୍କୁ ପାର୍ଟିର ପ୍ରମୁଖ ପଦରୁ ହଟାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ ।
ନଦିମ୍ ଜହାଓ୍ବି ଦେଶର ଟିକସ ପ୍ରଭାରୀ ରହିଥିବା ସମୟରେ ମିଲିୟନ ଡଲାରର ଏକ ଟ୍ୟାକ୍ସ ବିଲ୍କୁ ସେଟେଲ୍ କରିଥିବା ଅଭିଯୋଗ ଲାଗିଥିଲା। ଜହାଓ୍ବି ମଧ୍ୟ ଏହାକୁ ସ୍ବିକାର କରିଛନ୍ତି । ବ୍ରିଟେନ୍ ମିଡିଆ ରିପୋର୍ଟ ଅନୁଯାୟୀ, ଏହା ୫ମିଲିୟନ ପାଉଣ୍ଡର ମାମଲା ଥିଲା ।