୧୬ କୋଟି ଭାରତୀୟଙ୍କ ହତ୍ୟାକାରୀ ବ୍ରିଟେନ, ଲୁଟି ହୋଇଛି ଧନୀ...ୟୁକେ ଉପରେ ବର୍ଷିଲା ରୁଷ

Published By : Prameya-News7 Bureau | January 17, 2023 IST

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ କେବଳ ହତିଆରରେ ନୁହେଁ, ବରଂ ବୟାନବାଜିରେ ମଧ୍ୟ ଲଢାଯାଉଛି । ୟୁକ୍ରେନକୁ ସମର୍ଥନ ଜଣାଉଥିବା ବ୍ରିଟେନକୁ ନିଶାନ କରିଛି ରୁଷ । ବ୍ରିଟେନକୁ ଟାର୍ଗେଟ କରିବା ପାଇଁ ଭାରତର ସାହାରା ନେଇଛି ରୁଷ । ବ୍ରିଟେନ ନିଜର ଉପନିବେଶବାଦ ନୀତିରେ ଭାରତକୁ କ୍ଷତି ପହଞ୍ଚାଇଛି । ଏହି କାରଣରୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ୧୮୮୦ରୁ ୧୯୨୦ ମସିହା ମଧ୍ୟରେ ଭାରତରେ ଶାସନ କରିଥିବା ବ୍ରିଟେନ ଯୋଗୁଁ ୧୦ କୋଟି ଭାରତୀୟ ପୀଡିତ ହୋଇଥିଲେ ।

ରିପବ୍ଲିକ ୱାର୍ଲଡର ରିପୋର୍ଟ ଅନୁସାରେ, ରୁଷର ବିଦେଶ ମନ୍ତ୍ରାଳୟ ଏହି ବାୟନ ଦେଇଛି । ବିଦେଶ ମନ୍ତ୍ରାଳୟ ନିଜର ରିପୋର୍ଟ ପାଇଁ ଦୁଇ ବେଶଷଜ୍ଞ ଜେସନ ହିକେଲ ଏବଂ ଡାୟଲନ ସୁଲିବନଙ୍କ ଅଧ୍ୟୟନକୁ ଆଧାର କରିଛି । ଭାରତକୁ ବ୍ରିଟେନ ଲୁଟିଥିବା ଅଭିଯୋଗ ଆଣିବା ସହ ତତ୍କାଳୀନ ବ୍ରିଟେନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲ ଭାରତ ପ୍ରତି ଥିବା ନୀତିକୁ ରୁଷ ନିନ୍ଦା କରିଛି । ରୁଷ ବିଦେଶ ମନ୍ତ୍ରାଳୟ ବୟାନରେ କହିଛି, '୧୮୮୦ରୁ ୧୯୩୦ ମସିହା ମଧ୍ୟରେ ଭାରତରେ ପ୍ରାୟ ୧୬ କୋଟି ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ବ୍ରିଟେନ ଟ୍ରିଲିୟନ ଡଲାରର ସମ୍ପତ୍ତି ଲୁଟି ନେଇଥିଲା' ।

ହିକେଲ ଏବଂ ସୁଲିବନଙ୍କ ଅଧ୍ୟୟନକୁ ଆଧାର କରି ରୁଷ କହିଛି, ‘ଭାରତରେ ୧୮୮୦ ଦଶନ୍ଧିରେ ମୃତ୍ୟୁ ହାର ପ୍ରତି ହଜାରେ ବ୍ୟକ୍ତିରେ ୩୭.୨ ଥିଲା, ଯାହା ୧୯୧୦ ଶଦନ୍ଧିରେ ବଢି ୪୪.୨ ହୋଇଥିଲା । ଭାରତୀୟଙ୍କ ଜୀବନ ଆୟୁଷ ମଧ୍ୟ ଏହି ସମୟରେ ୨୬.୭ ବର୍ଷରୁ ହ୍ରାସ ହୋଇ ୨୧.୯ ବର୍ଷ ହୋଇଥିଲା’।

ନିଜ ବୟାନରେ ଚର୍ଚ୍ଚିଲଙ୍କ ବର୍ଣ୍ଣବୈଷମ୍ୟ କଥା ମଧ୍ୟ ଉଲ୍ଲେଖ କରିଛି ରୁଷ । ଏହା ଅନୁସାରେ ଚର୍ଚ୍ଚିଲ କହିଥିଲେ,'ଭାରତୀୟଙ୍କୁ ମୁଁ ଘୃଣା କରୁଛି । ସେମାନେ ପଶୁଙ୍କ ପରି, ସେମାନଙ୍କ ଧର୍ମ ମଧ୍ୟ ପାସବିକ ଅଟେ'। ୟୁକ୍ରେନକୁ ଟ୍ୟାଙ୍କ ଦେବା ନେଇ ବ୍ରିଟେନ ଘୋଷଣା କରିବା ପରେ ରୁଷ ପକ୍ଷରୁ ଏହି ବୟାନ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.