ସନ୍ଦେହ ହେଲା କାଳ: ନିଜ ସାଥୀଙ୍କୁ ଫ୍ଲାଇ ଓଭର ତଳକୁ ଠେଲି ହତ୍ୟା, ସିସିଟିଭିରେ କଏଦ ଦୃଶ୍ୟ

Published By : Prameya-News7 Bureau | July 31, 2020 IST

ଉଜ୍ଜୟିନୀ ୩୧।୦୭: ମଧ୍ୟ ପ୍ରଦେଶର ଉଜ୍ଜୟିନୀରେ ଲିଭ୍ ଇନ ପାର୍ଟନରରେ ରହୁଥିବା ମହିଳା ସାଥୀଙ୍କୁ ଫ୍ଲାଏ ଓଭର ତଳକୁ ଠେଲି ଦେବା ଅଭିଯୋଗରେ ପୋଲିସ୍ ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଗିରଫ କରିଛି।  ବୁଧବାର ଏହି ଘଟଣା ଘଟିଛି। ସାଥୀଙ୍କୁ ଫ୍ଲାଏ ଓଭର ତଳକୁ ଠେଲି ଦେଉଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ପୋଲିସ ଅନୁଯାୟୀ ଅଭିଯୁକ୍ତଙ୍କ ନାମ ସଚିନ ବଉରାସି(୩୦)। ସେ ନୀଳଗଙ୍ଗା ଜବ୍ରାନ କୋଲନୀର  ବାସିନ୍ଦା। ସେ ସଫେଇ କର୍ମୀ ଭାବେ କାମ କରେ। ୨୪ ବର୍ଷୀୟ ମହିଳାଙ୍କ ନାମ କାଜଲ। ସେ ସହରର ମହାକାଳ ଓ ବେଗମଙ୍ଗଜ ଅଞ୍ଚଳରେ ଭିକ୍ଷାବୃତି କରନ୍ତି। ବୁଧବାର ସକାଳେ ମହିଳାଙ୍କ ମୃତ ଶରୀର ସରକାରୀ ମାଧବଗଞ୍ଜ ସ୍କୁଲ ନିକଟ ହରିଫାଟକ ଓଭରବ୍ରିଜ ତଳୁ ଉଦ୍ଧାର କରାଯାଇଛି।

ଘଟଣା ତଦନ୍ତ ବେଳେ ପୋଲିସ ବ୍ରିଜରେ ଲାଗିଥିବା ସିସିଟିଭିରୁ ଘଟଣାର ଫୁଟେଜ୍ ଜବତ କରିଛି। ଅଭିଯୁକ୍ତ ବୁଧବାର ରାତି ପ୍ରାୟ ୧ଟା ୩୦ରେ ପୋଲ ଉପରେ ପୀଡିତାଙ୍କ ସହିତ ବୁଲୁଥିବା ଦେଖିବାକୁ ମିଳିଥିବା ଉଜ୍ଜୟିନୀର ଅତିରିକ୍ତ ପୋଲିସ ଅଧୀକ୍ଷକ(ଏଏସପି) କହିଛନ୍ତି।

ଏହା ପରେ  କିଛି ସମୟ ଦୁହେଁ ଫ୍ଲାଇ ଓଭର ଉପରେ ଗୋଟିଏ ଜାଗାରେ ବସିଥିଲେ। ଏହା ପରେ ପୁଣି ଥରେ ଚଲାବୁଲା କରିଥିବା ଦେଖିବାକୁ ମିଳିଥିଲା। ଅଚାନକ ଯୁବକ ଜଣକ ମହିଳାଙ୍କୁ ଦୁଇ ହାତରେ ଉଠାଇ ପ୍ଲାଇ ଓଭର ତଳକୁ ଫିଙ୍ଗିଥିବା ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି।

ପୋଲିସ୍ ଟିମ୍ ଅଭିଯୁକ୍ତକୁ ରେଲଓ୍ଵେ ଷ୍ଟେସନରୁ ଗିରଫ କରିଛନ୍ତି। ସେ ଜାଣିନଥିଲା ଯେ, ତାର ଅପରାଧ ସିସିଟିଭି କ୍ୟାମେରାରେ କଏଦ ହୋଇ ଯାଇଛି। ଜେରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରି କହିଛି ଯେ, କାଜଲ ଉଜ୍ଜୟିନୀର  ବାସିନ୍ଦା। ଉଭୟ ଗତ ଦୁଇ ବର୍ଷରୁ ଲିଭ୍ ଇନ ପାର୍ଟନର ଭାବେ ରହୁଥିଲେ।

ଅଭିଯୁକ୍ତ ସନ୍ଦେହ କରୁଥିଲା ଯେ, ମହିଳାଙ୍କ ଅନ୍ୟ କାହା ସହିତ ସମ୍ବନ୍ଧ ରହିଛି। ସେଥିପାଇଁ ସେ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ସେ ଭାବୁଥିଲା ଯେ, ରାତିରେ ପୋଲ ତଳକୁ ଠେଲି ଦେଲେ କେହି ଦେଖି ପାରିବେ ନାହିଁ। ଏହି ଘଟଣା ପାଇଁ ସେ ସ୍ଥାନ ଓ ସମୟ ମଧ୍ୟ ବାଛିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.