ମହା ଶିବରାତ୍ରୀରେ ଇତିହାସ ରଚିବ ଉଜ୍ଜୈନ, ଜଳିବ ୨୧ ଲକ୍ଷ ଦୀପ, ବ୍ୟୟ ହେବ ୪୦ ଲକ୍ଷ ଟଙ୍କା
21/01/2023 at 7:40 PM

- –ମହା ଶିବ ରାତ୍ରୀରେ ଇତିହାସ ରଚିବ ଉଜ୍ଜୈନ, କରିବ ବିଶ୍ୱ ରେକର୍ଡ
- -ମହା ଶିବରାତ୍ରୀରେ ଉଜ୍ଜୈନର କ୍ଷିପ୍ରା ନଦୀ କୂଳରେ ୨୧ ଲକ୍ଷ ପ୍ରଦୀପ ପ୍ରଜ୍ୱଳିତ ହେବ, ବ୍ୟୟ ହେବ ୪୦ ଲକ୍ଷ ଟଙ୍କା
- -ଗତବର୍ଷ ଶିବ ରାତ୍ରିରେ ଜଳିଥିଲା ୧୧.୭ ଲକ୍ଷ ଦୀପ, ହୋଇଥିଲା ଗନିଜ୍ ବୁକ୍ରେ ୱାର୍ଲଡ ରେକର୍ଡ
ଉଜ୍ଜୈନ ୨୧।୧: ମଧ୍ୟପ୍ରଦେଶର ଉଜ୍ଜୈନ ସହର ନୂଆ ବିଶ୍ୱରେକର୍ଡ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତବର୍ଷ ଅଯୋଧ୍ୟାରେ ଦୀପାବଳି ଅବସରରେ ଅକ୍ଟୋବର ୨୩ ତାରିଖ ଦିନ ସରଜୁ ନଦୀ ଘାଟରେ ୧୫ ଲକ୍ଷ ପ୍ରଦୀପ ପ୍ରଜ୍ୱଳନ କରି ବିଶ୍ୱ ରେକର୍ଡ କରାଯାଇଥିଲା, ଯାହାକୁ ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡସ୍ରେ ସ୍ଥାନିତ କରାଯାଇଛି। ତେବେ ଏହି ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିବା ପାଇଁ ଉଜ୍ଜୈନ ଏବେ ପ୍ରସ୍ତୁତିରେ ଲାଗିପଡିଛି।

ପ୍ରସ୍ତୁତି ଅନୁସାରେ ମହା ଶିବରାତ୍ରୀ ଅବସରରେ ଉଜ୍ଜୈନର କ୍ଷିପ୍ରା ନଦୀ କୂଳରେ ୨୧ ଲକ୍ଷ ପ୍ରଦୀପ ପ୍ରଜ୍ୱଳନ କରାଯିବ। ଯାହା ମନକୁ ମନ ଏକ ବିଶ୍ୱ ରେକର୍ଡ ହେବାକୁ ଯାଉଛି। ଉଜ୍ଜୈନରେ ମହା ଶିବରାତ୍ରୀ ପର୍ବରେ ‘ଶିବ ଜ୍ୟୋତି ଅର୍ପଣମ’ ମହୋତ୍ସବର ଆୟୋଜନ ହେବ। ଏହି କାର୍ଯ୍ୟକ୍ରମରେ କ୍ଷିପ୍ରାନଦୀ କୂଳରେ ୨୧ ଲକ୍ଷ ପ୍ରଦୀପ ପ୍ରଜ୍ୱଳିତ ହେବ। ଗତବର୍ଷ ମହା ଶିବରାତ୍ରୀ ଅବସରରେ କ୍ଷିପ୍ରା ନଦୀ ତଟରେ ୧୧.୭ ଲକ୍ଷ ପ୍ରଦୀପ ପ୍ରଜ୍ୱଳିତ ହୋଇଥିଲା ଓ ଏହା ସହ ଉଜ୍ଜୈନ ସହରନାମରେ ୱାର୍ଲଡ ରେକର୍ଡ ହୋଇଥିଲା।

ତେବେ ଗତ ଦୀପାବଳି ଅବସରରେ ସରଜୁ ନଦୀ କୂଳରେ ୧୫ ଲକ୍ଷ ପ୍ରଦୀପ ପ୍ରଜ୍ୱଳନ କରି ଉଜ୍ଜୈନର ଏହି ରେକର୍ଡକୁ ଅଯୋଧ୍ୟା ଭାଙ୍ଗିଥିଲା। ତେବେ ଉଜ୍ଜୈନ ପୁଣି ଥରେ ଏହି ରେକର୍ଡକୁ ନିଜ ନାମରେ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି। ମହା ଶିବରାତ୍ରୀ ଅବସରରେ କ୍ଷିପ୍ରା ନଦୀ କୂଳ ସମେତ ସହରର ସମସ୍ତ ମନ୍ଦିର, ସାର୍ବଜନିକ ସ୍ଥଳ, ବିଭିନ୍ନ କାର୍ଯ୍ୟାଳୟ ପରିସର ଓ ସହରବାସୀଙ୍କ ଦ୍ୱାରା ସେମାନଙ୍କ ଘର, ଦୋକାନ ଏବଂ ବ୍ୟବସାୟୀକ ସ୍ଥାନମାନଙ୍କରେ ପ୍ରଦୀପ ପ୍ରଜ୍ୱ କରାଯିବ।

ସହରରେ ଶିବ ଜ୍ୟୋତି ଅର୍ପଣମ ମହୋତ୍ସବକୁ ଏକ ବହୁତ ବଡ ଉତ୍ସବ ଭାବେ ପାଳନ କରାଯିବ। ଏହି ଉତ୍ସବ ପାଳନ ଲାଗି ୨୫ ଲକ୍ଷ ଦୀପ ଲାଗି ଟେଣ୍ଡର ଡକାଯାଇଛି। ଏଥିଲାଗି ପାଖାପାଖି ୪୦ ଲକ୍ଷ ଟଙ୍କା ବ୍ୟୟ ହେବ। ସେହିପରି ପ୍ରଦୀପ ପ୍ରଜ୍ୱଳନ ଲାଗି ସୋରିଷ, ସୋୟାବିନ ଓ କପା ତେଲର ଉପଯୋଗ କରାଯିବ।