ଉଜ୍ଜୈନ ଦୁଷ୍କର୍ମ ମାମଲା; ପୋଲିସ ହେପାଜତରୁ ଖସିପଳାଇବାବେଳେ ଆହତ ହେଲା ଅଭିଯୁକ୍ତ
28/09/2023 at 8:51 PM

ନୂଆଦିଲ୍ଲୀ: ଉଜ୍ଜୈନରେ ନାବାଳିକା ସହ ହୋଇଥିବା ନାରକୀୟ କାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏବେ ଏହି ମାମଲାରେ ପୋଲିସ୍ ଅନେକ ଖୁଲାସା କରିଛି । ପୋଲିସ୍ କହିଛି ଏପର୍ଯ୍ୟନ୍ତ ଯାଞ୍ଚରେ ସାମ୍ନାକୁ ଆସିଛି ଯେ, ଅଭିଯୁକ୍ତ ଭରତ ସୋନୀ ନାବାଳିକା ସହ ଦୁଷ୍କର୍ମ କରିଛି।
ଏବେ ଏହି ମାମଲାରେ ଉଜ୍ଜେନ ପୋଲିସ୍ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛି। ସମ୍ମିଳନୀରେ ପୋଲିସ୍ ଏହାକୁ ନିର୍ଭୟା ଗଣଦୁଷ୍କର୍ମ ନୁହେଁ ବୋଲି କହିଛି। ପୋଲିସ୍ ଅନୁଯାୟୀ, ଏହି ମାମଲାରେ ୨ ଅଭିଯୁକ୍ତ ଥିବା କହିଛନ୍ତି। ଜଣକୁ ୩୭୬ (ଦୁଷ୍କର୍ମ) ଏବଂ ପକ୍ସୋ ଆକ୍ଟ ଅନୁଯାୟୀ ଅଭିଯୋଗ ଲାଗିଛି। ଏହା ବ୍ୟତୀତ ଅନ୍ୟଜଣେ ପ୍ରମାଣ ଲୁଚାଇବା ନେଇ ଅଭିଯୋଗ ରହିଛି। ପ୍ରମାଣ ଲୁଚାଇଥିବା ଅଭିଯୁକ୍ତର ନାଁ ରାକେଶ ମାଲବୀୟ।
ଆହୁରି ପଢ଼ନ୍ତୁ: ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସହଯୋଗ ମାଗୁଥିଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା, କେହି ଜଣେ ହେଲେ ବି ସାହାଯ୍ୟ କଲେନି
ପୋଲିସ୍ ଏହା ମଧ୍ୟ କହିଛନ୍ତି ଯେ, ଧରାପଡ଼ିଥିବା ଅଭିଯୁକ୍ତ ଭରତ ସୋନୀ ପୋଲିସ୍ ହେପାଜତରୁ ଖସିଯିବାକୁ ପ୍ରୟାସ କରିଥିଲା। କିନ୍ତୁ ଖସିପଳାଉଥିବା ସମୟରେ ତଳେ ପଡ଼ି ଆହତ ହୋଇଛି। ଏହା ପରେ ପୁଣି ଥରେ ଉଠି ସେ ଖସିପଳାଇଯିବାକୁ ପ୍ରୟାସ କରୁଥିଲା କିନ୍ତୁ ପୋଲିସ୍ ତାକୁ ଧରିନେଇଥିଲା। ପୋଲିସ ତାଙ୍କୁ ଘଟଣାସ୍ଥଳକୁ ସିନ୍ ରି-କ୍ରିଏସନ କରିବାକୁ ନେଉଥିବାବେଳେ ଖସିପଳାଇବାକୁ ଚେଷ୍ଟା କରୁଥିଲା। ଏହି ଘଟଣା ପରେ ଏବେ ପୋଲିସ୍ ତରଫରୁ କୁହାଯାଇଛି ଯେ ଅଟୋ ଚାଳକ ଏବଂ ଇ ରିକ୍ସା ଚାଳକଙ୍କ ଭେରିଫିକେସନ ହେବ। ଥାନା ପ୍ରଭାରୀ ଅଜୟ ବର୍ମା ଏହି ନାବାଳିକାକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବେ।
ଉଜ୍ଜେନରେ ୧୨ ବର୍ଷର ନାବାଳିକା ସହ ଦୁଷ୍କର୍ମ ମାମଲା ସାରା ଦେଶକୁ ସ୍ତବ୍ଧ କରିଛି। ନାବାଳିକା ସହ ଦୁଷ୍କର୍ମ ଘଟଣା ହେବାପରେ ସେ ଅନେକ ସମୟ ଧରି ରାସ୍ତାରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଏଣେତେଣେ ବୁଲୁଥିବାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଏହି ମାମଲାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା। ପୋଲିସ୍ ଏହି ମାମଲାରେ ଅଭିଯୁକ୍ତ ଭରତ ସୋନୀକୁ ଗିରଫ କରିବା ସହ ମାମଲାରେ ୫ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା।