ଟି-୨୦ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରି ଇତିହାସ ସୃଷ୍ଟି କଲା ଉଗାଣ୍ଡା

Published By : Prameya-News7 Bureau | November 30, 2023 IST

କାମ୍ପାଲା: ଇତିହାସ ସୃଷ୍ଟି କଲା ଉଗାଣ୍ଡା। ପ୍ରଥମ ଥର ଖେଳିବ ଟି-୨୦ ବିଶ୍ୱକପ୍। ଆସନ୍ତା ବର୍ଷ ଖେଳାଯିବାକୁ ଥିବା ୨୦୨୪ ଟି-୨୦ ବିଶ୍ୱକପ୍‌ରେ ଖେଳିବାକୁ ଉଗାଣ୍ଡା ଯୋଗ୍ୟତା ଅର୍ଜନ କରିଛି। ଯୋଗ୍ୟତା ଅର୍ଜନ କରିବାକୁ ଖେଳାଯାଉଥିବା ଷଷ୍ଠ ମୁକାବିଲାରେ ଉଗାଣ୍ଡା ରୱାଣ୍ଡା ଟିମ୍‌କୁ ୭୧ ବଲ୍‌ ବଳକା ଥାଇ ୯ ୱିକେଟ୍‌ ପରାସ୍ତ କରିଛି।

ଫାଇନାଲ ମୁକାବିଲାରେ ରୱାଣ୍ଡା ପ୍ରଥମେ ବ୍ୟାଟିଂ କରି ମାତ୍ର ୧୮.୫ ଓଭରରେ ୬୧ ରନ୍‌ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ଜବାବରେ ଉଗାଣ୍ଡା ମାତ୍ର ୮.୧ ଓଭରରେ ଗୋଟିଏ ହରାଇ ମ୍ୟାଚ୍ ଜିତି ନେଇଥିଲା।

ଏହା ପୂର୍ବରୁ ଗତ ମଙ୍ଗଳବାର ନାମିବିୟା ଆଫ୍ରିକା କ୍ୱାଲିଫାୟର୍ସ ମାଧ୍ୟମରେ ଟିମ୍ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଏବେ ଦ୍ୱିତୀୟ ଦେଶ ଭାବେ ଉଗାଣ୍ଡା ଆଫ୍ରିକା କ୍ୱାଲିଫାୟର୍ସରୁ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଯୋଗ୍ୟତା ପର୍ଯ୍ୟାୟରେ ଉଗାଣ୍ଡା ୬ ଟି ମ୍ୟାଚ ମଧ୍ୟରୁ ୫ ଟି ମ୍ୟାଚ୍ ଜିତିଛି।

ଯୋଗ୍ୟତା ଅର୍ଜନର ପ୍ରଥମ ମ୍ୟାଚରେ ଉଗାଣ୍ଡା ତାଞ୍ଜାନିଆକୁ ୨୮ ବଲ୍ ବଳକା ଥାଇ ୮ ୱିକେଟ୍‌ରେ ପରାସ୍ତ କରିଥିଲା। ତା’ପରେ ଦ୍ୱିତୀୟ ପର୍ଯ୍ୟାୟ ନାମିବିୟା ବିପକ୍ଷ ପରବର୍ତ୍ତୀ ମ୍ୟାଚକୁ ୬ ୱିକେଟରେ ପରାସ୍ତ ହୋଇଥିଲା ଟିମ୍। ହେଲେ ଏହାପରେ ଉଗାଣ୍ଡା କୌଣସି ମ୍ୟାଚ୍ ହାରି ନଥିଲା। ତୃତୀୟ ମ୍ୟାଚ୍‌ରେ ଉଗାଣ୍ଡା ଜିମ୍ବାୱେକୁ ୫ ବଲ୍ ବାକି ଥାଇ ୫ ୱିକେଟ୍ ପରାସ୍ତ କରିଛି।

ପଢ଼ନ୍ତୁ-BCCIକୁ ନିଜର ଭବିଷ୍ୟତ ଯୋଜନା ଜଣାଇ ଦେଲେ କୋହଲି, କିଛି ମାସ ଖେଳିବେନି ଦିନିକିଆ ଓ ଟି-୨୦

ସେହିପରି ଦଳ ଚତୁର୍ଥ ମ୍ୟାଚରେ ୧୫ ବଲ ବଳକା ଥାଇ ୯ ୱିକେଟ୍‌ରେ ନାଇଜେରିଆକୁ ପରାସ୍ତ କରିଛି। ତା’ପରେ ପଞ୍ଚମ ମ୍ୟାଚରେ ଏହା କେନିଆକୁ ୩୩ ରନରେ ପରାସ୍ତ କରି ଷଷ୍ଠ ମ୍ୟାଚରେ ରୱାଣ୍ଡାକୁ ୯ ୱିକେଟରେ ପରାସ୍ତ କରି ଟି -20 ବିଶ୍ୱକପ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଛି।

ଟି -20 ବିଶ୍ୱକପ ପାଇଁ ଏପର୍ଯ୍ୟନ୍ତ ଯୋଗ୍ୟତା ଅର୍ଜନ କରିଥିବା ଦେଶ

ୱେଷ୍ଟଇଣ୍ଡିଜ୍, ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ଥାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ, ଆୟରଲାଣ୍ଡ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି, କାନାଡା, ନେପାଳ, ଓମାନ, ନାମିବିୟା ଓ ଉଗାଣ୍ଡା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.