ରାଷ୍ଟ୍ରପତି ମୁର୍ମୁ ବି ଭେଦଭାବର ଶିକାର ହୋଇଛନ୍ତି: ଉଦୟନିଧି ଷ୍ଟାଲିନ୍
6/09/2023 at 6:01 PM

ନୂଆଦିଲ୍ଲୀ: ସନାତନ ଧର୍ମ ଉପରେ ଟିପ୍ପଣୀ କରି ବିବାଦୀୟ ହୋଇପଡ଼ିଥିବା ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ଭେଦଭାବ ଉପରେ ଏକ ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆରେ ଭେଦଭାବକୁ ନେଇ ଚାଲିଥିବା ନେଇ ପ୍ରସଙ୍ଗ ଉପରେ ଏକ ପ୍ରଶ୍ନର ଉତ୍ତରରେ ପ୍ରତିକ୍ରିୟା ରଖିଛନ୍ତି ଉଦୟନିଧି । ଏହି ପ୍ରସଙ୍ଗରେ ବୁଧବାର ସେ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସଂସଦର ନୂଆ ଭବନ ଉଦ୍ଘାଟନକୁ ନଡାକିବା ଭେଦଭାବର ସବୁଠୁ ଉତ୍ତମ ଉଦାହରଣ । ଆହୁରି ମଧ୍ୟ ସେ ମହଭାରତର ଦ୍ରୋଣାଚାର୍ଯ୍ୟ ଏବଂ ଏକଲବ୍ୟଙ୍କ ଉଦାହରଣ ଦେଇଛନ୍ତି ।
ଏହା ପୂର୍ବରୁ ମଙ୍ଗଳବାର ଗୁରୁଦିବସ ଅବସରରେ ମହାଭାରତର ପରୋକ୍ଷ ଉଦାହରଣ ମଧ୍ୟ ଦେଇଛନ୍ତି। ଡିଏମକେ ନେତା କହିଛନ୍ତି ଆମର ଦ୍ରାବିଡ଼ ଆନ୍ଦୋଳନ ଏବଂ ଆଙ୍ଗୁଠି ନମାଗି ସଦ୍ଗୁଣ ଶିଖାଉଥିବା ଶିକ୍ଷକଙ୍କ ମଧ୍ୟରେ ସମ୍ପର୍କ ସବୁବେଳେ ବଜାୟ ରହିବ। ରାଜ୍ୟର ଯୁବ ଏବଂ କ୍ରୀଡା ବିକାଶ ମନ୍ତ୍ରୀ ମଧ୍ୟ କହିଛନ୍ତି ‘‘ଶିକ୍ଷକମାନେ ସବୁବେଳେ ଭବିଷ୍ୟତ ପିଢ଼ିଙ୍କ କଥା ଭାବିଥାନ୍ତି।’’
ଆହୁରି ପଢ଼ନ୍ତୁ: ସନାତନ ଧର୍ମ ବିଷୟରେ ଯାହା କହିଛି ଠିକ୍ କହିଛି ଓ ବାରମ୍ବାର କହିବି: ଉଦୟନିଧି ଷ୍ଟାଲିନ୍
ଉଲ୍ଲେଖଯୋଗ୍ୟ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ସନାତନ ଧର୍ମକୁ ‘ମ୍ୟାଲେରିଆ’ ଏବଂ ‘ଡେଙ୍ଗୁ’ ବୋଲି କହି ବିବାଦ ଭିତରକୁ ଟାଣି ହୋଇଛନ୍ତି । ‘‘ସନାତନ ଧର୍ମ ଜାତିପ୍ରଥା ଏବଂ ଭେଦଭାବ ଉପରେ ପର୍ଯ୍ୟବେସିତ। ସନାତନର ବିରୋଧ କରିବା ବଦଳରେ ତାହାକୁ ମୂଳରୁ ଶେଷ କରିବା ଦରକାର। ସନାତନ ନାମ ସଂସ୍କୃତରୁ ଆସିଛି। ଏହା ସାମାଜିକ ନ୍ୟାୟ ଏବଂ ସମାନତାର ବିରୋଧରେ ।’’ ବୋଲି କହିଛନ୍ତି ଉଦୟନିଧି ଷ୍ଟାଲିନ୍। ଆଉ ତାଙ୍କର ଏହି ମନ୍ତବ୍ୟ ପରେ ସମାଲୋଚନା ଦେଖିବାକୁ ମିଳିଛି।
ଏହାକୁ ନେଇ ଜାତୀୟ ସ୍ତରରେ ଅନେକ ଚର୍ଚ୍ଚା ଏବଂ ସମାଲୋଚନା ତଥା ବିରୋଧ ହେଉଥିଲେବି ଉଦୟନିଧି ତାଙ୍କ କଥାରେ ଅଟଳ ରହିଛନ୍ତି। ଉଦୟନିଧି କହିଛନ୍ତି ସେ କେବେ ସନାତନ ଧର୍ମର ପାଳନ କରୁଥିବା ଲୋକଙ୍କ ନରସଂହାର କଥା ଆହ୍ବାନ କରିନାହାଁନ୍ତି। କିଛି ଲୋକ ତାଙ୍କ ଟିପ୍ପଣୀକୁ ଭୁଲ୍ ଭାବରେ ଉପସ୍ଥାପିତ କରୁଛନ୍ତି। ‘‘ସନାତନ ଧର୍ମ ଲୋକଙ୍କ ମଧ୍ୟରେ ନାଁ ଏବଂ ଜାତିକୁ ନେଇ ବିଭେଦତା ସୃଷ୍ଟି କରୁଛି। ସନାତନ ଧର୍ମକୁ ଉପାଡ଼ି ଫୋପାଡ଼ିଦେବା ମାନବିକତା ପ୍ରତି ସମାନତାକୁ ରକ୍ଷା କରିବା। ମୁଁ ମୋ କହିଥିବା ଶବ୍ଦରେ ଅଟଳ।’’
ଆହୁରି ପଢ଼ନ୍ତୁ: ଷ୍ଟାଲିନଙ୍କୁ ପାଠ ପଢେଇଲେ ଦିଦି: କହିଲେ- ‘ମୁଁ ସନାତନ ଧର୍ମକୁ ସମ୍ମାନ ଦିଏ, ଲୋକଙ୍କ ଭାବନାକୁ ଆଘାତ ଦିଅନି’
ସେପଟେ, ଡିଏମକେ ନେତାଙ୍କ ଏହି ବୟାନକୁ ନେଇ ପୂର୍ବତନ ବିଚାରପତି ଏବଂ ବ୍ୟୁରୋକ୍ରାଟଙ୍କ ସମେତ ୨୫୦ରୁ ଅଧିକ ବ୍ୟକ୍ତି ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖି ଏହି ମାମଲାରେ ସଜ୍ଞାତ ନେବାକୁ କହିଛନ୍ତି ଏବଂ ଏହାକୁ ହେଟ୍ ସ୍ପିଚ୍ ବୋଲି କହିଛନ୍ତି।