ସତର୍କ ହେଲେ ଉଦ୍ଧବ ଠାକରେ, ସ୍ଥାନାନ୍ତର କଲେ ପାର୍ଟି ପାଣ୍ଠି
19/02/2023 at 3:56 PM

ମୁମ୍ବାଇ ୧୯।୨: ନିର୍ବାଚନ ଆୟୋଗଙ୍କ ଝଟକା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଏବେ ସତର୍କ ହୋଇଯାଇଛନ୍ତି। ଠାକରେଙ୍କ ଗୋଷ୍ଠୀ ମାତୋଶ୍ରୀ, ପାର୍ଟି କାର୍ଯ୍ୟାଳୟ ଓ ପାର୍ଟିର ପାଣ୍ଠି ନେଇ ସତର୍କ ହୋଇଯାଇଛନ୍ତି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପାର୍ଟିର କୋଟି କୋଟି ଟଙ୍କାର ପାଣ୍ଠି ଉଦ୍ଧବ ଠାକରେ ତାଙ୍କ ପାର୍ଟି ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଛନ୍ତି। ଏହି ପାଣ୍ଠି ପାଖାପାଖି ୧୫୦ କୋଟି ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି।
ତେବେ ପାର୍ଟିର ପାଣ୍ଠି ପଇସା ବାସ୍ତବରେ କେତେ ତାହା ସ୍ପଷ୍ଟ ହୋଇ ନାହିଁ। ପାର୍ଟିର ନାମ ଓ ନିର୍ବାଚନ ସଂକେତ ଭଳି ପାଣ୍ଠି ମଧ୍ୟ ହାତରୁ ଚାଲି ନ ଯାଉ ସେଥିଲାଗି ସତର୍କତା ସ୍ୱରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଡରରେ ପାର୍ଟିର ପାଣ୍ଠିକୁ ପ୍ରଥମେ ଟ୍ରାନ୍ସଫର କରିଦିଆଯାଇଛି। ମିଳୁଥିବା ସୂଚନା ଅନୁସାରେ ପାର୍ଟିର ସମ୍ପତ୍ତି, କାର୍ଯ୍ୟାଳୟ, ମାତୋଶ୍ରୀ ଓ ପାଣ୍ଠିକୁ ନେଇ ପୁଣି ବିବାଦ ଉପୁଜିପାରେ। ଏଣୁ ପାର୍ଟି ଯିବା ପରେ ଏ ସବୁ ହାତରୁ ଚାଲି ନ ଯାଉ ତାହା ଏବେ ଉଦ୍ଧବ ଠାକରେଙ୍କୁ ଡରାଉଛି।

ଏହା ପୂର୍ବରୁ ଖବର ମିଳୁଥିଲା ସିନ୍ଦେ ଗୋଷ୍ଠୀ ମାତୋଶ୍ରୀ ଉପରେ ଦାବି ଉଠାଇ ପାରନ୍ତି। ଏଥିରେ ବିଶେଷଜ୍ଞ ମଧ୍ୟ ପାର୍ଟିର ପାଣ୍ଠି ଓ ମାତୋଶ୍ରୀ ଉଦ୍ଧବଙ୍କ ହାତରୁ ଯାଇପାରେ ବୋଲି ଆକଳନ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଆୟୋଗ ଶିବସେନାର ନାମ ଓ ନିର୍ବାଚନ ଚିହ୍ନକୁ ନେଇ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ସପକ୍ଷରେ ରାୟ ଦେଇଛନ୍ତି। ଏହା ପରଠାରୁ ଠାକରେଙ୍କ ଗୋଷ୍ଠୀରେ ହଲଚଲ ଦେଖାଦେଇଛି। ରାଜ୍ୟରେ କ୍ଷମତା ସଂଘର୍ଷରେ ହାରି ମୁଖ୍ୟମନ୍ତ୍ରୀ ଚୌକି ହରାଇବା ପରଠାରୁ ଠାକରେଙ୍କୁ ଝଟକା ପରେ ଝଟକା ଲାଗୁଛି। ଠାକରେଙ୍କୁ ବଡ଼ ଝଟକା ସେତେବେଳେ ଲାଗିଲା ଯେତେବେଳେ ଶୁକ୍ରବାର ନିର୍ବାଚନ ଆୟୋଗ ପାର୍ଟିର ନାମ ଓ ନିର୍ବାଚନ ଚିହ୍ନ ସିନ୍ଦେଗୋଷ୍ଠୀଙ୍କୁ ଦେଲେ।
କୁହାଯାଉଛି ଠାକରେ ଗୋଷ୍ଠୀ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟକୁ ଯିବେ। ଆୟୋଗଙ୍କ ନିଷ୍ପତ୍ତି ପରେ ଉଦ୍ଧବ ଠାକରେ ଓ ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଆୟୋଗଙ୍କ ନିଷ୍ପତ୍ତିକୁ ସେମାନେ ଏକ ତରଫା କହିଥିଲେ। ଏ ନେଇ ସେମାନେ ନିର୍ବାଚନ ଆୟୋଗ ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ ଓ ପାର୍ଟିର ନାମ, ନିର୍ବାଚନ ସଂକେତ ଚୋରେଇଥିବାର ଅଭିଯୋଗ କରିଥିଲେ।