ନିର୍ବାଚନ ଆୟୋଗ ନିକଟକୁ ୨ଟି ଟ୍ରକରେ ୮.୫ ଲକ୍ଷ ପ୍ରାଥମିକ ସଦସ୍ୟତା ଫର୍ମ ପଠାଇଲେ ଉଦ୍ଧବ ଠାକରେ

Published By : Prameya-News7 Bureau | October 26, 2022 IST

ମୁମ୍ବାଇ: ଶିବସେନା ପାର୍ଟି ପ୍ରକୃତରେ କାହାର। ବାଲ ଠାକରେଙ୍କ ପୁଅ ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ନା ଏକନାଥ ସିନ୍ଦେ ଗୋଷ୍ଠୀର। ମାମଲା ବର୍ତ୍ତମାନ ଭାରତୀୟ ନିର୍ବାଚନ ଆୟୋଗଙ୍କଠାରେ ବିଚାରଧୀନ ରହିଛି। ଶିବସେନାର ନିର୍ବାଚନୀ ଚିହ୍ନକୁ ଦୁଇ ଗୋଷ୍ଠୀ ବ୍ୟବହାର କରି ପାରିବେ ନାହିଁ ବୋଲି ଇସି ପୂର୍ବରୁ କହି ସାରିଛନ୍ତି। ଏହା ମଧ୍ୟରେ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ଶିବସେନା ନିର୍ବାଚନ ଆୟୋଗ  କାର୍ଯ୍ୟାଳୟକୁ ଦୁଇଟି ଟ୍ରକରେ ୮ ଲକ୍ଷ ୫୦ ହଜାର ପ୍ରାଥମିକ ସଦସ୍ୟତାର ଫର୍ମ ପଠାଇଛି।

ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ଉଦ୍ଧବ ଗୋଷ୍ଠୀ ଦୁଇ ଟ୍ରକରେ ପ୍ରାଥମିକ ସଦସ୍ୟତା କାଗଜପତ୍ର ନିର୍ବାଚନ ପ୍ୟାନେଲ କାର୍ଯ୍ୟାଳୟକୁ ପଠାଇଛନ୍ତି। ଶିବସେନା ସାଂସଦ ଅନିଲ୍ ଦେଶାଇ କହିଛନ୍ତି, ୧୧ ଲକ୍ଷ ପ୍ରାଥମିକ ସଦସ୍ୟତା ଫର୍ମ ଏକତ୍ର କରାଯାଇଥିଲା। ମାତ୍ର ନିର୍ବାଚନ ଆୟୋଗ ଜମା କରିବା ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଥିଲେ ଏବଂ ସେହି ଅନୁସାରେ ମୋଟ୍ ୮ ଲକ୍ଷ ୫୦ ହଜାର ପେପର ଜମା କରାଯାଇଛି।

ଦେଶାଇ କହିଛନ୍ତି, ପାର୍ଟିର ସଦସ୍ୟଙ୍କ ପ୍ରତିନିଧି ସଭା ଏବଂ ଜିଲ୍ଲା ସଭାପତିଠୁ ନେଇ ବୁଥ୍ ପ୍ରମୁଖ ପର୍ଯ୍ୟନ୍ତ ପଦାଧିକାରୀଙ୍କ ସତ୍ୟପାଠ ଜମା କରାଯାଇଛି। ଏହାର ସଂଖ୍ୟା ୨ ଲକ୍ଷ ୬୨ ହଜାର ହେବ। ଅନ୍ୟ ଜିଲ୍ଲାରୁ ବି ଆହୁରି ସତ୍ୟପାଠ ଯୋଡାଯିବ।

ସତ୍ୟପାଠରେ ଲେଖା ହୋଇଛି, ମୋତେ ଶିବସେନାର ସମ୍ବିଧାନ ଉପରେ ପୂର୍ଣ୍ଣ ଭରସା ରହିଛି। ମୋତେ ଶିବସେନାର ଦିବଙ୍ଗତ ସୁପ୍ରିମୋ ବାଲ ଠାକରେଙ୍କ ବିଚାର ଏବଂ ସିଦ୍ଧାନ୍ତ ଉପରେ ପୂରା ଭରସା ରହିଛି। ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ନେତୃତ୍ଵ ଏବଂ ମୁଁ ତାଙ୍କ ନେତୃତ୍ଵର ସମର୍ଥନ କରୁଛି।  ମୁଁ ଏହା ସୁନିଶ୍ଚିତ କରୁଛି ଯେ,  ମୁଁ ପାର୍ଟିର ସମ୍ବିଧାନର ନିୟମକୁ ପାଳନ କରିବାକୁ ଚେଷ୍ଟା କରିବି ଏବଂ ପୁଣି ଥରେ ଦୋହରାଉଛି ଯେ, ମୋତେ ଉଦ୍ଧବ ଠାକରେଙ୍କ ନେତୃତ୍ଵ ଉପରେ ପୂର୍ଣ୍ଣ ଭରସା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.