ଏବେ ୫ ବର୍ଷ ଯାଏଁ ବିଜେପିକୁ ମିଳିବ ନାହିଁ ମୁଖ୍ୟମନ୍ତ୍ରୀ ପଦ, ନୂତନ ସରକାର ଉପରେ ବର୍ଷିଲେ ଉଦ୍ଧବ ଠାକରେ

Published By : Prameya-News7 Bureau | July 01, 2022 IST

ମୁମ୍ବାଇ: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଉଦ୍ଧବ ଠାକରେଙ୍କ ବୟାନ ସାମ୍ନାକୁ ଆସିଛି। ସେ ଶୁକ୍ରବାର ଶିବସେନା ଭବନ ପହଞ୍ଚି ମରାଠି କାର୍ଡ ଖେଳିବା ସହ ପାର୍ଟି ଉପରେ ଦାବି କରିଛନ୍ତି। ସେ କହିଛନ୍ତି ଏକନାଥ ସିନ୍ଦେ ଶିବସେନାର ମୁଖ୍ୟମନ୍ତ୍ରୀ ନୁହନ୍ତି। ଆଉ ବିଜେପିର କୌଣସି ନେତା ପାଞ୍ଚ ବର୍ଷ ଯାଏଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇ ପାରିବେ ନାହିଁ। ଯେଉଁଭଳି ଭାବେ ରାଜ୍ୟରେ କ୍ଷମତାର ଖେଳ ଖେଳାଯାଇଛି, ତାହା ଗଣତନ୍ତ୍ର ପ୍ରତି ଉପହାସ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ଯାହା କିଛି ଗତକାଲି ଘଟିଲା, ତାହା ଅତ୍ୟନ୍ତ ନିନ୍ଦନୀୟ। ମୁଁ ପ୍ରଥମରୁ ଅମିତ୍ ଶାହଙ୍କୁ କହିଥିଲି ଅଢେଇ ବର୍ଷ ପର୍ଯ୍ୟନ୍ତ ଶିବସେନା ମୁଖ୍ୟମନ୍ତ୍ରୀ ପଦରେ ରହିବ ଏବଂ ତାହା ହିଁ ହେଲା। ଯଦି ପ୍ରଥମରୁ ଏମିତି ହୋଇଥାନ୍ତା ତେବେ ମହାବିକାଶ ଅଘାଡିର ଜନ୍ମ ହୋଇନଥାନ୍ତା। ଯଦି ମୋ କଥା ମାନିଥାନ୍ତେ ତେବେ ଅଢେଇ ବର୍ଷ ବିଜେପି ମୁଖ୍ୟମନ୍ତ୍ରୀ ପଦରେ ରହିଥାନ୍ତା।

ଯେଉଁଭଳି ସରକାର ଗଠନ ହୋଇଛି ଲାଗୁଛି ଜଣେ ତଥାକଥିତ ଶିବସେନା କାର୍ଯ୍ୟକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ଏଠାରେ ଗଣତନ୍ତ୍ରକୁ ପରିହାସ କରାଯାଇଛି। କ୍ଷମତା ପାଇଁ ବହୁତ ବଡ ଖେଳ ଖେଳାଯାଇଛି। ମୁଁ ଏହି ଲୋକଙ୍କୁ ଅପିଲ୍ କରୁଛି ମହାରାଷ୍ଟ୍ରକୁ ବରବାଦ କରନ୍ତୁ ନାହିଁ। ମୋତେ ମୁଖ୍ୟମନ୍ତ୍ରୀ ପଦ ଚାଲିଯିବାର ଦୁଃଖ ନାହିଁ। ମାତ୍ର ମୋ ପିଠିରେ ଛୁରି ଭୁସି ଦିଆଗଲା। ଯଦି ବିଜେପି ଆମ ସହିତ ରହିଥାନ୍ତା ଅତି କମରେ ଅଢେଇ ବର୍ଷ ଯାଏଁ ତାଙ୍କର ମୁଖ୍ୟମନ୍ତ୍ରୀ ରହିଥାନ୍ତା। ଏହି ପରି ଉଦ୍ଧବ ଠାକରେ ଇସାରାରେ ଦେବେନ୍ଦ୍ର ଫଡଣବିସଙ୍କୁ ଉପ ମୁଖ୍ୟମନ୍ତ୍ରୀ ହେବା ନେଇ ଆକ୍ଷେପ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ରେ ବିଜେପି ଏବଂ ଶିବସେନା ମଧ୍ୟରେ ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଉପୁଜିଥିଲା। ଶେଷରେ ବିଜେପି ଏବଂ ଶିବସେନା ମଧ୍ୟରେ ମେଣ୍ଟ ଭାଙ୍ଗିଥିଲା। ଏବେ ସାଂପ୍ରତିକ ସ୍ଥିତିକୁ ନେଇ ଉଦ୍ଧବ  ବିଜେପି ଉପରେ ଖୁବ୍ ବର୍ଷିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.