ଦଶହରା ରାଲିରେ ଉଦ୍ଧବଙ୍କୁ ବଡ଼ ଝଟକା ଦେଲେ ସିଏମ ସିନ୍ଦେ, ଏକନାଥଙ୍କ ସମର୍ଥନରେ ଆସିଲେ ଭାଇ ଜୟଦେବ ଠାକରେ

Published By : Prameya-News7 Bureau | October 05, 2022 IST

ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଧବାର ଉଦ୍ଧବ ଠାକରେଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ୱାଇର ଶିବାଜୀ ପାର୍କରେ ଦଶହରା ରାଲିକୁ ସମ୍ୱୋଧିତ କରୁଥିବେ ବେଳେ ତାଙ୍କ ଭାଇ ଜୟଦେବ ଠାକରେ ଏକନାଥ ସିନ୍ଦେଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ଉଦ୍ଧବ ଠାକରେଙ୍କ ଭାଇ ଜୟଦେବ ଠାକରେ କହିଛନ୍ତି, ତାଙ୍କ ପୂରା ସମର୍ଥନ ପ୍ରତିଦ୍ୱନ୍ଦ୍ୱୀ ଏକନାଥ ସିନ୍ଦେଙ୍କ ରହିଛି ।  

ସିନ୍ଦେ ଗୋଷ୍ଠୀ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜୟଦେବ ଠାକରେ କହିଛନ୍ତି, 'ଗତ ୫-୬ ଦିନରୁ ମୋତେ ପ୍ରଶ୍ନ କରାଯାଇ ସିନ୍ଦେ ଗୋଷ୍ଠୀରେ ଅଛି ବୋଲି ପଚରାଯାଉଥିଲା । ଠାକରେ କୌଣସି ଗୋଷ୍ଠୀରେ ରହିପାରିବେ ନାହିଁ । ସିନ୍ଦେଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ମୋତେ ପସନ୍ଦ ଏବଂ ସ୍ନେହରେ ଏଠାକୁ ଆସିଛି' । ଜୟଦେବ ଠାକରେ ଜନତାଙ୍କୁ ସମ୍ୱୋଧିତ କରି କହିଛନ୍ତି, 'ଏକନାଥଙ୍କୁ ଏକା ଛାଡ ନାହିଁ । ଆପଣ ସମସ୍ତେ ତାଙ୍କୁ ସମର୍ଥନ କରିବା ଦରକାର । ଗରିବ ଏବଂ କୃଷକଙ୍କ ପାଇଁ ସିନ୍ଦେ କାମ କରୁଛନ୍ତି । ସିନ୍ଦେ ଆମ କୃଷକଙ୍କ ପରି, ସେ ବହୁ ପରିଶ୍ରମୀ '।

ଏହାସହ ରାଜ୍ୟରେ ପୁଣି ଥରେ ସିନ୍ଦେ ରାଜ ଆଣିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି ଉଦ୍ଧବ ଠାକରେଙ୍କ ଭାଇ ଜୟଦେବ ଠାକରେ । ସେ କହିଛନ୍ତି, 'ନିର୍ବାଚନ ହେବାକୁ ଦିଆଯାଉ ଏବଂ ପୁଣି ଥଲେ ସିନ୍ଦେ ରାଜ ଫେରୁ । ଏକନାଥ ସିନ୍ଦେଙ୍କ ସହ ମୋର ପୂରା ସମର୍ଥନ ରହିଛି'। ଉଦ୍ଧବଙ୍କ ଭାଇଙ୍କୁ ନିଜ ସହ କରି ଶିବସେନା ଉପରେ ନିଜର ଦାବିକୁ ଅଧିକ ମଜଭୁତ କରିଛନ୍ତି ମୁଖ୍ୟମନ୍ତ୍ରୀ ସିନ୍ଦେ ।

ଉଲ୍ଲେଖଯୋଗ୍ୟ ଯେ, ଶିବସେନାର ପ୍ରତିଷ୍ଠାତା ତଥା ଦିବଙ୍ଗତ ନେତା ବାଲା ସାହେବ ଠାକରେଙ୍କ ମଝିଆ ପୁଅ ହେଉଛନ୍ତି ଜୟଦେବ ଠାକରେ । ବାଲା ସାହେବ ଠାକରେଙ୍କ ତିନି ସନ୍ତାନଙ୍କ ମଧ୍ୟରୁ ଉଦ୍ଧବ ହେଉଛନ୍ତି ସାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.