ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ପରେ ବି ଉଦ୍ଧବଙ୍କୁ ନିମନ୍ତ୍ରଣ ନାହିଁ, ୨୫୦ ସାଂସଦ ଏବଂ ବିଧାୟକଙ୍କୁ ଭେଟିବେ ଏନଡିଏ ପ୍ରାର୍ଥୀ

Published By : Prameya-News7 Bureau | July 14, 2022 IST

ମୁମ୍ବାଇ: ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ପାର୍ଟି  ସମର୍ଥନ ଦେବ ବୋଲି ମଙ୍ଗଳବାର ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ। ମହାରାଷ୍ଟ୍ରରେ ସମର୍ଥନ ହାସଲ ପାଇଁ ଗୁରୁବାର ମୁମ୍ବାଇ ଆସିଛନ୍ତି ଦ୍ରୌପଦୀ ମୁର୍ମୁ। ହେଲେ ଭାବି ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ପାଇଁ ଏ ପର୍ଯ୍ୟନ୍ତ ଉଦ୍ଧବ ଠାକରେଙ୍କୁ ଆମନ୍ତ୍ରିତ କରାଯାଇ ନାହିଁ। ଅନ୍ଧେରୀର ଏକ ହୋଟେଲରେ ମୁର୍ମୁ ବିଜେପି ନେତାଙ୍କୁ ଭେଟିବେ। ଏହା ପରେ ମାତ୍ରୋଶୀ ଯାଇ ଉଦ୍ଧବଙ୍କୁ ମୁର୍ମୁ ଭେଟିବାର ସମ୍ଭାବନା ରହିଛି।

ସୂତ୍ର ମୁତାବକ ଶିବସେନାରେ ବିଦ୍ରୋହ ପରେ ବିଜେପି ସହିତ ମିଶି ସରକାର ଗଠନ କରିଥିବା ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ମୁର୍ମୁଙ୍କୁ ସାକ୍ଷାତ ପାଇଁ ଆମନ୍ତ୍ରିତ କରାଯାଇଛି। କେବଳ ଏତିକି ନୁହେଁ ରାଜ୍ୟର ଅନ୍ୟ ଛୋଟ ମୋଟ ଆଞ୍ଚଳିକ ଦଳ, ବିଜେପିକୁ ସମର୍ଥନ ଦେଇଥିବା ନିର୍ଦ୍ଦଳୀୟ ବିଧାୟକଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ତେବେ ଉଦ୍ଧବ ଠାକରେଙ୍କୁ ନିମନ୍ତ୍ରଣ କରାଯାଇନଥିବା ଜଣା ପଡିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ଶିବସେନା ସାଂସଦ ବିନାୟକ ରାଉତଙ୍କ ମୁତାବକ ଏ ପର୍ଯ୍ୟନ୍ତ ସେମାନଙ୍କୁ ଏନଡିଏ ପକ୍ଷରୁ ମୁର୍ମୁଙ୍କୁ ଭେଟିବା ପାଇଁ ଡକାଯାଇ ନାହିଁ। ତେଣୁ ହେବାକୁ ଥିବା ବୈଠକରେ ଉପସ୍ଥିତ ରହିବାର କୌଣସି ପ୍ରଶ୍ନ ଉଠୁନାହିଁ। ସେ କହିଛନ୍ତି ଉଦ୍ଧବ ଠାକରେ ସ୍ଥିର କରିଛନ୍ତି ଯେ, ତାଙ୍କ ପାର୍ଟି ମୁର୍ମୁଙ୍କୁ ନିଜର ସମର୍ଥନ ଦେବେ କାରଣ ସେ ଆଦିବାସୀ ସମୁଦାୟରୁ ଆସିଛନ୍ତି। ମହାରାଷ୍ଟ୍ର ଗସ୍ତ ସମୟରେ ମୁର୍ମୁ ୨୫୦ ବିଧାୟକ ଏବଂ ସାଂସଦଙ୍କୁ ସାକ୍ଷାତ କରିବେ ବୋଲି କୁହାଯାଉଛି। ଦ୍ରୌପଦୀ ମର୍ମୁ ଆଜି ଅପରାହ୍ନରେ ମୁମ୍ବାଇ ପହଞ୍ଚିଛନ୍ତି। ତାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏବଂ ଭାରତୀ ପାଓ୍ଵାର ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.