ବ୍ୟାକ୍‌ଫୁଟ୍‌ରେ ଉଦ୍ଧବ ସରକାର, କହିଲେ- କେନ୍ଦ୍ରମନ୍ତ୍ରୀ ରାଣେଙ୍କ ବିରୋଧରେ ହେବ ନାହିଁ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | August 25, 2021 IST

ମୁମ୍ବାଇ ୨୫/୦୮: କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ନାରାୟଣ ରାଣେଙ୍କ ଗିରଫ ପରେ ମହାରାଷ୍ଟ୍ରର ଉଦ୍ଧବ ସରକାର ବମ୍ବେ ହାଇକୋର୍ଟରେ ବ୍ୟାକଫୁଟ୍‌ରେ ଆସିଛନ୍ତି । ରାଣେଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ମହାରାଷ୍ଟ୍ର ସରକାର ହାଇକୋର୍ଟରେ କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ନାସିକ ଥାନାରେ ଯେଉଁ ମାମଲା ରୁଜୁ ହୋଇଛି ସେଥିରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ରାଜ୍ୟ ସରାକରଙ୍କ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ନାରାୟଣ ରାଣେଙ୍କୁ ଗିରଫ କରିଥିଲା ପୋଲିସ। ମାମଲାର ଆଗାମୀ ଶୁଣାଣି ପାଇଁ ୧୭ ସେପ୍ଟମ୍ବର ଧାର୍ଯ୍ୟ କରିଛନ୍ତି କୋର୍ଟ। ସେପଟେ ବିଜେପି ନେତା ନାରାୟଣ ରାଣେ ମୁମ୍ବାଇରେ କହିଛନ୍ତି, ବମ୍ବେ ହାଇକୋର୍ଟ ମୋ ସପକ୍ଷରେ ସମସ୍ତ ରାୟ ପ୍ରକାଶ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ ଦେଶ ନିୟମ କାନୁନରେ ଚାଲୁଛି। ମୋ ପାର୍ଟିର ନେତା ମୋ ପଛରେ ଛିଡ଼ା ହୋଇଛନ୍ତି ଏବଂ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଦିନକ ପରେ ପୁଣି ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ହେବ ବୋଲି ରାଣେ କହିଛନ୍ତି।  

ଜଷ୍ଟିସ୍‌ ଏସଏସ ଶିନ୍ଦେ ଏବଂ ଜଷ୍ଟିସ୍‌ ଏନଜେ ଜାମଦାରଙ୍କ ଖଣ୍ଡପୀଠ ନାରାୟଣ ରାଣେଙ୍କ ଦ୍ବାରା ଦାଖଲ ଆବେଦନର ଶୁଣାଣି କରୁଥିଲେ । ଏଥିରେ ତାଙ୍କ ବିରୋଧରେ ନାସିକ୍‌ରେ ଦାଏର ହୋଇଥିବା ମାମଲା ଏବଂ ଭବିଷ୍ୟତରେ କୌଣସି ପ୍ରକାର ମାମଲାକୁ ନିରସ୍ତ୍ର କରିବାକୁ ନେଇ ଆବେଦନ କରାଯାଇଥିଲା।

କଣ କହିଥିଲେ କେନ୍ଦ୍ରମନ୍ତ୍ରୀ ରାଣେ ?
ରାଣେ ଦାବି କରିଥିଲେ ସ୍ବାଧୀନତା ଦିବସରେ ଜନତାଙ୍କୁ ସମ୍ବୋଧନ ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭୁଲି ଯାଇଥିଲେ ଦେଶକୁ ମିଳିଥିବା ସ୍ବାଧୀନତାକୁ କେତେ ବର୍ଷ ପୂରିଛି।   ରାଣେ ରାୟଗଢ଼ ଜିଲ୍ଳାରେ ‘ଜନ ଆଶୀର୍ବାଦ ଯାତ୍ରା’ ସମୟରେ କହିଥିଲେ, ‘ଏହା ଲଜ୍ଜାକର ଘଟଣା ଯେ ମୁଖ୍ୟମନ୍ତ୍ରୀଙ୍କୁ ଜଣାନାହିଁ ସ୍ବାଧୀନତାକୁ କେତେ ବର୍ଷ ହୋଇଛି। ଭାଷଣ ଦେବା ବେଳେ ସେ ପଛକୁ ଚାହିଁ ଏ ସମ୍ପର୍କରେ ପଚାରୁଥିବା ନଜର ଆସିଥିଲେ। ଯଦି ମୁଁ ସେଠାରେ ଥାନ୍ତି ତେବେ ତାଙ୍କୁ ଗୋଟିଏ ଚାପୁଡ଼ା ମାରିଥାନ୍ତି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.