ଘରକୁ ସଂଯୋଗ କରୁଥିବା ରାସ୍ତା ଜବରଦଖଲକାରୀଙ୍କ କବ୍‌ଜାରେ, ଅନଶନରେ ବସିଲେ ପରିବାର ଲୋକେ

Published By : Prameya-News7 Bureau | August 24, 2021 IST

ଉଦଳା, ୨୪|୦୮: ଘରକୁ ସଂଯୋଗ କରୁଥିବା ରାସ୍ତାକୁ କରାଗଲା ଜବରଦଖଲ । ଧାରଣା ଦେଲା ପୁରା ପରିବାର । ମଙ୍ଗଳବାର ଜବରଦଖଲକୁ ବିରୋଧ କରି ପରିବାର ଲୋକେ ଅନଶନରେ ବସିଛନ୍ତି । ଏପରି ଘଟଣା ଘଟିଛି ଉଦଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ । 

ସୂଚନାନୁସାରେ, କପ୍ତିପଦା ତହସିଲ ଅଧିନ କୋଳିଅଳମ ଗ୍ରାମର ବିଶ୍ବରନ ରାଉଳ ନିଜ ପରିବାର ସହ ରୁହନ୍ତି । ସରକାରଙ୍କ ତରଫରୁ ତାଙ୍କ ନାଁରେ ଆବାସ ଯୋଜନାରେ ଏକ ଘର ଆସିଥିବା ସହ ସେ ଘର ମଧ୍ୟ ତିଆରି କରିଥିଲେ । କିନ୍ତୁ ଘରକୁ ଯିବା ଆସିବା ନିମନ୍ତେ ରାସ୍ତା ନାହିଁ । କାରଣ ତାଙ୍କ ଘର ସମ୍ମୁଖରେ ଥିବା ସରକାରୀ ଜମିକୁ କିଛି ସ୍ଥାନୀୟ ଲୋକେ ଜବରଦଖଲ କରି ରଖିଥିବା ବେଳେ ସେମାନେ ରାସ୍ତା ଛାଡିବାକୁ ନାରାଜ । ଯାହାଫଳରେ ପୁରା ପରିବାର ଲୋକେ ବିଲ ଦେଇ ଯିବାଆସିବା କରୁଛନ୍ତି ।

ଅନ୍ୟପଟେ ଏହି ଜବରଦଖଲକୁ ହଟାଇ ରାସ୍ତା ପ୍ରଦାନ କରିବା ନିମନ୍ତେ ପରିବାର ଲୋକେ କପ୍ତିପଦା ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଏବଂ ବାରିପଦା ଜନଶୁଣାଣୀ ଶିବିରରେ ଅଭିଯୋଗ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ । ଯାହାଫଳରେ ଶେଷରେ ମଙ୍ଗଳବାର ପୁରା ପରିବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ସମାଧାନ ନେହେଲେ ସେମାନେ ଅନଶନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.