କ୍ରେଡିଟ୍ ସୁଇସ୍କୁ କିଣିବ ୟୁବିଏସ, ୩.୨୫ ବିଲିୟନ ଡଲାରରେ ଡିଲ୍ ପକ୍କା
20/03/2023 at 6:24 PM

ନୂଆଦିଲ୍ଲୀ, ୨୦/୦୩: ଆର୍ଥିକ ସଙ୍କଟରେ ଫସିଥିବା ସୁଇଜରଲ୍ୟାଣ୍ଡର ବ୍ୟାଙ୍କ୍ କ୍ରେଡିଟ୍ ସୁଇସ୍କୁ ଉଦ୍ଧାର କରିବାକୁ ଆଗକୁ ଆସିଲା ୟୁବିଏସ୍। ସୁଇଜରଲ୍ୟାଣ୍ଡର ସବୁଠୁ ବଡ଼ ବ୍ୟାଙ୍କ୍ ଏବେ କ୍ରେଡିଟ୍ ସୁଇସ୍କୁ ଅଧିଗ୍ରହଣ କରିବା ପାଇଁ ଏକ ଚୁକ୍ତି କରିଛି। ସ୍ବିସ୍ ଅଧିକାରୀ ଏନେଇ ଘୋଷଣା କରିଛନ୍ତି। ତେବେ ଏହି ପଦକ୍ଷେପ କ୍ରେଡିଟ୍ ସୁଇସ୍ ପାଇଁ ସଞ୍ଜୀବନୀ ହେବ। ପ୍ରାୟ ୧୬୭ ବର୍ଷ ପୁରୁଣା କ୍ରେଡିଟ୍ ସୁଇସ୍ ବ୍ୟାଙ୍କ ସୁଇଜରଲ୍ୟାଣ୍ଡର ଦ୍ବିତୀୟ ବଡ଼ ବ୍ୟାଙ୍କ୍। ଯାହାକୁ ୟୁବିଏସ ୩.୨୫ ବିଲିୟନ ଡଲାରରେ କିଣିବ।
ଆମେରିକାର ସିଲିକନ୍ ଭ୍ୟାଲି ବ୍ୟାଙ୍କ ଏବଂ ସିଗ୍ନେଚର ବ୍ୟାଙ୍କ୍ ବନ୍ଦ ହେବା ପରେ ଏବେ ସୁଇସ୍ ବ୍ୟାଙ୍କ ମଧ୍ୟ ବୁଡ଼ିବା ପରିସ୍ଥିତିକୁ ଆସିଛି। ତେବେ ଏହାକୁ ଉଦ୍ଧାର କରିବା ପାଇଁ ସରକାରଙ୍କ ତରଫରୁ ମଧ୍ୟ ଅନେକ ଚେଷ୍ଟା କରାଯାଉଥିଲା। କ୍ରେଡିଟ୍ ସୁଇସ ତରଫରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ ଏହି ଡିଲ୍ ଆର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବା ନେଇ ଆଶା ରହିଛି।
କ୍ରେଡିଟ୍ ସୁଇସ ପାଇଁ ବିପଦ କେବଳ ଏହି ବ୍ୟାଙ୍କ୍ ଏବଂ ସୁଇଜରଲ୍ୟାଣ୍ଡ ପାଇଁ ସଙ୍କଟ ନୁହେଁ ବରଂ ଦୁନିଆର ବ୍ୟାଙ୍କିଂ ସିଷ୍ଟମ ପାଇଁ ଏକ ଚାଲେଞ୍ଜ ହୋଇଥାନ୍ତା। କାରଣ କ୍ରେଡିଟ୍ ସୁଇସ୍ ଦୁନିଆର ସବୁଠୁ ବଡ଼ ସମ୍ପତ୍ତି ପରିଚାଳନା ସଂସ୍ଥାନ ମଧ୍ୟରୁ ଗୋଟିଏ। ବିଶ୍ବର ୩୦ ଗୁରୁତ୍ବପୂର୍ଣ୍ଣ ବ୍ୟାଙ୍କ୍ ମଧ୍ୟରେ ଏହାର ନାଁ ରହିଛି। ଏମିତିରେ ଯଦି ଏହି ବ୍ୟାଙ୍କ୍ ବୁଡ଼ି ଯାଇଥାନ୍ତି ତେବେ ଆର୍ଥିକ ବ୍ୟବସ୍ଥା ଉପରେ ଏହାର ଖରାପ ପ୍ରଭାବ ଦେଖିବାକୁ ମିଳିଥାନ୍ତା।