କ୍ରେଡିଟ୍ ସ୍ୱିସ୍କୁ ୧ ବିଲିୟନ ଡଲାରରେ କିଣିବା ପାଇଁ ଅଫର୍ ଦେଲା UBS: ରିପୋର୍ଟ
19/03/2023 at 9:36 PM

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡର ସବୁଠୁ ବଡ଼ ବ୍ୟାଙ୍କ ୟୁବିଏସ ଗ୍ରୁପ ସଂକଟରେ ଫସିଥିବା କ୍ରେଡିଟ୍ ସୁଇସକୁ ୧ ବିଲିୟନ ଡଲାରରେ କିଣିବା ପାଇଁ ଅଫର ଦେଇଛି । ଫାଇନାନସିଆଲ ଟାଇମ୍ସ ନିଜ ରିପୋର୍ଟରେ ଏହି ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ କ୍ରେଡିଟ୍ ସୁଇସ୍ ସ୍ୱିଜରଲ୍ୟାଣ୍ଡର ଦ୍ୱିତୀୟ ସବୁଠୁ ବଡ଼ ବ୍ୟାଙ୍କ, କିନ୍ତୁ ନିକଟରେ ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ ଏବଂ ସିଗ୍ନେଚର ବ୍ୟାଙ୍କ ବୁଡ଼ିବା ପରେ ଏବେ ଏହି ବ୍ୟାଙ୍କ ମଧ୍ୟ ବୁଡ଼ିବା ସ୍ଥିତିରେ ରହିଛି । ୧୬୭ ବର୍ଷ ପୁରୁଣା ଏହି ବ୍ୟାଙ୍କର କହିବା ଅନୁସାରେ ଏହାର ଆର୍ଥିକ ହିସାବରେ ବଡ଼ ଧରଣର ଅନିୟମିତତା ଥିବା ଜଣାପଡ଼ିଛି ।
ଏହି ଡିଲକୁ ମାର୍ଚ୍ଚ ୧୭ରେ କ୍ରେଡିଟ୍ ସୁଇସର କ୍ଲୋଜିଂ ପ୍ରାଇସର ଏକ ଭଗ୍ନାଂଶ ମୂଲ୍ୟରେ ଚୂଡାନ୍ତ ହେବାର ସମ୍ଭାବନା ରହିଛି । ଏହି ଡିଲ୍ ଉପରେ ଶୀଘ୍ର ହସ୍ତାକ୍ଷର ହୋଇପାରେ । ରିପୋର୍ଟ ଅନୁସାରେ ମାର୍ଚ୍ଚ ୧୯ ସକାଳେ ୦.୨୫ ସ୍ୱିସ୍ ଫ୍ରାଙ୍କ (୦.୨୭ ଡଲାର)ର ମୂଲ୍ୟରେ ୟୁବିଏସ ଷ୍ଟକ୍ କିଣିବ ବୋଲି ପ୍ରସ୍ତାବ ଦେଇଛି । ପୂର୍ବ କାରବାର ଦିନରେ କ୍ରେଡିଟ୍ ସୁଇସର ସେୟାର ୧.୮୬ ସ୍ୱିସ୍ ଫ୍ରାଙ୍କରେ ବନ୍ଦ ହୋଇଥିଲା ।
ତେବେ କ୍ରେଡିଟ୍ ସୁଇସ, ୟୁବିଏସ ଗ୍ରୁପ ଏବଂ ସ୍ୱିଜରଲାଣ୍ଡ ସରକାର ଏହି ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ଏହା ପୂର୍ବରୁ ଏକ ରିପୋର୍ଟରେ କୁହାଯାଇଥିଲା ଯେ ୟୁବିଏସ ବ୍ୟାଙ୍କ ଏହି ଅଧିଗ୍ରହଣ ପାଇଁ ସ୍ୱିଜରଲାଣ୍ଡ ସରକାରଙ୍କଠାରୁ ପ୍ରାୟ ୬ ବିଲିୟନ ଡଲାରର ବ୍ୟାଙ୍କ ଗ୍ୟାରେଣ୍ଟି ଦାବି କରିଥିଲା ।
କ୍ରେଡିସ୍ ସୁଇସର ସେୟାରରେ ଗତ ସପ୍ତାହରେ ବଡ଼ ହ୍ରାସ ଦେଖିବାକୁ ମିଳିଥିଲା । କମ୍ପାନି ଦୁନିଆର ସବୁଠୁ ବଡ଼ ସମ୍ପତ୍ତି ପରିଚାଳକଙ୍କ ମଧ୍ୟରୁ ଗୋଟିଏ ଏବଂ ୩୦ ଗ୍ଲୋବାଲ ସିଷ୍ଟମାଟିକ୍ ଇମ୍ପୋଟାଣ୍ଟ ବ୍ୟାଙ୍କ ମଧ୍ୟରୁ ଗୋଟିଏ ଗଣାଯାଏ । ଏହାର ବିଫଳତା ପୂରା ଫାଇନାନସିଆଲ ସିଷ୍ଟମକୁ ପ୍ରଭାବିତ କରିପାରେ ।