ଉବେରରେ ଯାଉଥିଲେ ଡ୍ରେସ ଡିଜାଇନର: ଅଚାନକ ନିଆଁ ଲାଗି ସମ୍ପୂର୍ଣ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ମହିଳା ଏବଂ ଡ୍ରାଇଭର

Published By : Prameya-News7 Bureau | January 14, 2019 IST

ଚେନ୍ନାଇ ୧୪/୧ : ଚେନ୍ନାଇରେ ଜଣେ ଡ୍ରେସ ଡିଜାଇନର ଉବେର କ୍ୟାବରେ ଯାତ୍ରା କରୁଥିଲେ | ଅଚାନକ କାରରେ ନିଆଁ ଲାଗିଯାଇଥିଲା | କିଛି କ୍ଷଣରେ କାର ହୁତୁହୁତୁ ହୋଇ ଜଳିପୋଡ଼ି ପାଉଁଶ ହୋଇଗଲା | କେବଳ କାରର ଆକୃତି ହିଁ ରହିଗଲା | କାରରେ ନିଆଁ ଲାଗିବ କ୍ଷଣି ଡିଜାଇନର ପଲ୍ଲବୀ ସିଂହ କାରରୁ ବାହାରି ଆସିଥିଲେ | ଯାହାଫଳରେ ତାଙ୍କ ଜୀବନ ବଂଚି ଯାଇଥିଲା | ଦୁର୍ଘଟଣା ଜାନୁଆରୀ ୧୨ ତାରିଖ ରାତିରେ ଘଟିଥିଲା |

{"id":73882}

ଘଟଣା ପରେ ପଲ୍ଲଵୀ କମ୍ପାନୀ ବିରୋଧରେ ଅଭିଯୋଗ କରିଛନ୍ତି ଯେ, କଷ୍ଟମରଙ୍କ ସୁରକ୍ଷାକୁ ନେଇ କମ୍ପାନୀର କିଛି ଦାୟିତ୍ୱ ନାହିଁ | ଘଟଣାର ୧୨ ଘଣ୍ଟା ପରେ ମଧ୍ୟ ଉବେର କମ୍ପାନୀ କିଛି ପଦକ୍ଷେପ ନେଲାନାହିଁ | ତେବେ ଉବେର ଏହି ମାମଲାରେ ମୁକଦ୍ଦମା କରିବ ବୋଲି କହିଛି |

{"id":73883}

ଘଟଣାକୁ ନେଇ ପଲ୍ଲବୀ ଟ୍ୱିଟର ଏବଂ ଇନ୍ସଟାଗ୍ରାମରେ ପୋଷ୍ଟ କରିଛନ୍ତି | ସେ ଲେଖିଛନ୍ତି ଯେ, ୧୨ ତାରିଖ ରାତିରେ ସେ ଟିଟିକେ ଫ୍ଲାଏଓଭର ଦେଇ ଯାଉଥିଲେ | ସେତେବେଳେ ସେ କିଛି ପଡୁଥିବାର ଗନ୍ଧ ବାରି ଥିଲେ | ପ୍ରଥମେ ସେ ଭାବିଲେ ବାହାରେ ବୋଧେ କିଛି ପୋଡିଯାଉଛି | କିନ୍ତୁ ଅଚାନକ ତାଙ୍କ ଗୋଡ଼ାପଟେ ଧୂଆଁ ବାହାରିଥିଲା | ଧୂଆଁ ବାହାରୁଥିବାର ଦେଖି ପଲ୍ଲବୀ ଉବେର ଡ୍ରାଇଭରଙ୍କୁ ଗାଡି ଅଟକାଇବାକୁ କହିଥିଲେ | ଡ୍ରାଇଭର ସଂଗେସଂଗେ ଗାଡି ଅଟକାଇଥିଲେ | ଉଭୟ ପଲ୍ଲବୀ ଏବଂ ଡ୍ରାଇଭର ଗାଡ଼ିରୁ ବାହାରକୁ ବାହାରି ଯାଇଥିଲେ | ପଲ୍ଲବୀଙ୍କ ବୁଦ୍ଧି ଯୋଗୁଁ ଡ୍ରାଇଭରଙ୍କର ମଧ୍ୟ ଜୀବନ ବଂଚିଯାଇଥିଲା ବୋଲି ସେ ଉବେର କମ୍ପାନୀକୁ ଟ୍ୱିଟ କରିଥିଲେ |

{"id":73884}

ସୂଚନାଯୋଗ୍ୟ ଯେ, ପଲ୍ଲବୀ ଦକ୍ଷିଣ ଭାରତର ଜଣେ ପ୍ରସିଦ୍ଧ ଡ୍ରେସ ଡିଜାଇନର | ଦୁର୍ଘଟଣା ଘଟିବା ପୂର୍ବରୁ ପଲ୍ଲବୀ ଭୟରେ ନିଜ ହେଣ୍ଡ ବ୍ୟାଗ ଗାଡିରେ ହିଁ ଭୁଲି ଯାଇଥିଲେ | ବ୍ୟାଗରେ ଥିବା ତାଙ୍କର ପରିଚୟ ପତ୍ର, ଟଙ୍କା ଏବଂ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ପୋଡି ଯାଇଥିବା ସେ କହିଛନ୍ତି | ଏହା ତାଙ୍କ ଜୀବନର ସବୁଠାରୁ ଭୟଙ୍କର ଦୁର୍ଘଟଣା ଥିଲା ବୋଲି ସେ କହିଛନ୍ତି | 

{"id":73885}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.