ନୂଆଦିଲ୍ଲୀ: ୟୁଏଇର ସୁଲତାନ ଅହମଦ ଅଲ ଜାବିରଙ୍କୁ ମିଳିତ ଜାତିସଂଘର ୨୮ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କୋପ-୨୮) ପାଇଁ ଅଧ୍ୟକ୍ଷ ଭାବେ ନାମିତ କରାଯାଇଛି । ଏହି ସମ୍ମିଳନୀ ଚଳିତ ବର୍ଷ ନଭେମ୍ୱର ୩୦ରୁ ଡିସେମ୍ୱର ୧୨ ଯାଏଁ ଆୟୋଜିତ ହେବ । ୟୁଏଇର ସରକାରୀ ଗଣମାଧ୍ୟମ ଗୁରୁବାର କହିଛି ଯେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ଅଲ ନାହୟାନଙ୍କ ନିର୍ଦ୍ଦେଶରେ ସୁଲତାନ ଅହମଦଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ସହ କୁହାଯାଇଛି, ଏହି ନିଯୁକ୍ତି ଏପରି ଏକ ସମୟରେ ଦିଆଯାଇଛି ଯେତେବେଳେ ସାରା ଦୁନିଆ ଶକ୍ତି, ଭୋଜନ ଏବଂ ଜଳ ସଂରକ୍ଷଣର ଆହ୍ୱାନକୁ ସାମନା କରୁଛି ।
ଅଲ ଜାବିର ୟୁଏଇର ଉଦ୍ୟୋଗ ମନ୍ତ୍ରୀ ଅଛନ୍ତି । ସେ ଦୀର୍ଘ ବର୍ଷରୁ ଜଳବାୟୁ ପରିବର୍ତ୍ତନ ପାଇଁ ସ୍ୱତନ୍ତ୍ର ଦୂତ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ୨୦୧୫ରେ ପ୍ୟାରିସ କୋପ-୨୧ ସହ ୧୦ରୁ ଅଧିକ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏହାସହ ସେ ଦେଶରେ ଅକ୍ଷୟ ଉର୍ଜା କ୍ଷେତ୍ର ପ୍ରତିଷ୍ଠା ଦିଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଅଲ ଜାବିର ଦୁନିଆର ସବୁଠୁ ବଡ଼ ତୈଳ କମ୍ପାନି ଗୁଡିକ ମଧ୍ୟରେ ସାମିଲ ଆବୁ ଧାବି ନ୍ୟାସନାଲ ଅଏଲ କମ୍ପାନିର ପ୍ରମୁଖ ଅଛନ୍ତି । ୟୁଏଇ ୭୦ ଦେଶରେ ଉକ୍ଷୟ ଉର୍ଜା ପରିଯୋଜନାରେ ୫୦ ବିଲିୟନ ଡଲାରରୁ ଅଧିକ ନିବେଶ କରିଛି । ଏହାସହ ଆସନ୍ତା ୧୦ ବର୍ଷରେ ଆହୁରି ୫୦ ବିଲିୟନ ଡଲାର ନିବେଶ କରିବା ନେଇ ଯୋଜନା ରଖିଛି । ଦୁନିଆରେ ତୃତୀୟ ସବୁଠୁ ବଡ଼ ଏବଂ ସବୁଠୁ ଶସ୍ତା ସୌର କମ୍ପାନିଙ୍କ ଦେଶ ହେଉଛି ୟୁଏଇ ।