କରୋନା ଭାକ୍ସିନ୍କୁ ମାନ୍ୟତା ଦେଲେ UAE ଫତୱା ପରିଷଦ, କହିଲେ ଘୁଷୁରି ସମ୍ପର୍କିତ ତତ୍ତ୍ୱ ଥିଲେବି ଔଷଧ ଗ୍ରହଣୀୟ !
23/12/2020 at 6:14 PM

ଆବୁଧାବୀ : କରୋନା ଟିକାରେ ଘୁଷୁରି ସମ୍ପର୍କିତ ତତ୍ୱକୁ ଇସ୍ଲାମ ଜଗତ ଗ୍ରହଣ କରିବ କି ନା ସେନେଇ ଏପର୍ଯ୍ୟନ୍ତ ଥିବା ସନ୍ଦେହ ଦୂର ହୋଇଛି। ସଂଯୁକ୍ତ ଆରବ ଏମିରେଟ (ୟୁଏଇ)ଙ୍କ ସର୍ବୋଚ୍ଚ ଇସ୍ଲାମ ସଂସ୍ଥା ‘ଫତୱା ପରିଷଦ’ ମାମଲାରେ ତାଙ୍କ ନିଷ୍ପତ୍ତି ଜଣାଇଛନ୍ତି। ପ୍ରସଙ୍ଗରେ ପରିଷଦଙ୍କ ନିଷ୍ପତ୍ତିକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
କରୋନା ଭାକ୍ସିନରେ ଘୁଷୁରିର ଅଂଶ ଉପଯୋଗ ହୋଇଥିବାରୁ ଏହା ଗ୍ରହଣୀୟ କି ନୁହେଁ ସେ ନେଇ ଇସ୍ଲାମ ଜଗତରେ ନାନା କଥା ପ୍ରସାରିତ ହେଉଛି। ତେବେ ୟୁଏଇ ଫତୱା ପରିଷଦ ଟିକାରେ ଘୁଷୁରିର ଉପଯୋଗ ହୋଇଥିଲେ ବି ଏହାକୁ ଗ୍ରହଣ କରିବାରେ କୌଣସି ଅସୁବିଧା ନଥିବା କହିଛନ୍ତି।
ଘୁଷୁରି ସମ୍ପର୍କିତ କୌଣସି ଉତ୍ପାଦ ଗ୍ରହଣକୁ ଇସ୍ଲାମ ସମାଜ ହାରାମ ମନେକରେ। ଏଣୁ ଏଭଳି ଅପବିତ୍ର ସାମଗ୍ରୀରୁ ମୁସଲମାନମାନେ ସର୍ବଦା ଦୂରେଇ ରହନ୍ତି। ତେବେ କରୋନା ଟିକା ଲାଗି ପୋର୍କ ଜିଲୋଟିନ ( ଘୁଷୁରି ତତ୍ୱ) ଉପଯୋଗ ହେଉଥିଲେ ବି ଗ୍ରହଣୀୟ କହିଛନ୍ତି ପରିଷଦ ଅଧ୍ୟକ୍ଷ ଶେଖ୍ ଅବଦୁଲ୍ଲା ବିନ୍ । ତେବେ ସଂକଟ କ୍ଷଣରେ ମାନବକୁ ପ୍ରଥମେ ତାର ଶରୀର ସଂରକ୍ଷଣ ଜରୁରି ବୋଲି ଶେଖ ଅବଦୁଲ୍ଲା କହିଛନ୍ତି।
କରୋନା ମାମଲାରେ ପୋର୍କ ଜିଲୋଟିନକୁ ଆହାର ନୁହେଁ ବରଂ ଔଷଧ ରୂପେ ପରିଷଦ ମଞ୍ଜୁର କରିଥିବା ‘ଏପି’ ସୂତ୍ରରୁ ‘ଲୋକସତ୍ତା’ ଏକ ରିପୋର୍ଟରେ ପ୍ରକାଶ କରିଛି। ମାନବ ଜଗତ ଲାଗି କରୋନା ଭାଇରସ ମହାମାରୀ ବର୍ତ୍ତମାନ ସମୟର ସବୁଠୁ ବଡ଼ ଆହ୍ୱାନ ପାଲଟିଛି। ଏଥିରେ ଭୂତାଣୁ ମୁକାବିଲା ଲାଗି କେତେକ ଭାକ୍ସିନ ପ୍ରଭାବୀ ହେଉଥିବା ବେଳେ ଧାର୍ମିକ୍ ଭାବନାରେ ଏହାକୁ ଅଗ୍ରାହ୍ୟ କରାଯାଇ ନ ପାରେ ବୋଲି ପତୱା ପରିଷଦ ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି।