ଆମେରିକାରେ ଥିବା ଭାରତୀୟଙ୍କୁ ଆଶ୍ବସ୍ତି, H1B ଭିସା-ଗ୍ରୀନ୍ କାର୍ଡ ପାଇଁ ମିଳିଲା ୬୦ଦିନ

Published By : Prameya-News7 Bureau | May 02, 2020 IST

ଓ୍ବାଶିଂଟନ୍ ୨।୫: ସାରା ବିଶ୍ବରେ କରୋନା ଭାଇରସ୍ ଆତଙ୍କ ସୃଷ୍ଟି କରିଛି । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ସ୍ଥିତି ବେହାଲ ହୋଇଯାଇଛି । ଆମେରିକାରେ ଏହି ଭାଇରସ୍ ଯୋଗୁଁ ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହାସହ ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି । ଏଭଳି ପରିସ୍ଥିତିରେ ଆମେରିକା ପ୍ରବାସୀମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି ।

ଆମେରିକା ସରକାର H-1B ଭିସାଧାରୀ ଏବଂ ସବୁଜ କାର୍ଡ ଆବେଦନକାରୀଙ୍କୁ ଡକ୍ୟୁମେଣ୍ଟ ଦାଖଲ କରିବାକୁ ୬୦ ଦିନ ସମୟ ଦେଇଛନ୍ତି । ଯେଉଁମାନଙ୍କ ଡକ୍ୟୁମେଣ୍ଟ ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ ସେମାନଙ୍କୁ ଏହି ସମୟ ଦିଆଯାଇଛି । ଏଭଳି ଲୋକଙ୍କୁ ଆମେରିକାର ନାଗରିକତା ଏବଂ ଇମିଗ୍ରେସନ ସର୍ଭିସେସ୍ (USCIS) ଦ୍ବାରା ନୋଟିସ୍ ଜାରି କରାଯାଇଛି ।

ଏହି ନୋଟିସର ଜବାବ ଦେବାର ଅବଧି ଜୁନ୍ ମାସ ଶେଷ ହେବାରେ ଥିଲା । ତେବେ ସରକାରଙ୍କ ନୂଆ ନିଷ୍ପତ୍ତି ସହିତ H-1B ଭିସାଧାରୀ ଏବଂ ଗ୍ରୀନ୍ କାର୍ଡ ଆବେଦନକାରୀ ଆମେରିକାରେ ୬୦ ଦିନ ରହିପାରିବେ । ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇ USCIS କହିଛି ଯେ, ଆମର କର୍ମଜୀବୀ ତଥା ସମ୍ପ୍ରଦାୟର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଏହି ସମୟରେ ଆମେ ମଧ୍ୟ ଇମିଗ୍ରେସନ ସୁବିଧାକୁ ଅପେକ୍ଷା କରିଥିବା ଲୋକଙ୍କୁ ସମସ୍ୟାରେ ନପକାଇବା ଏଭଳି କରିଛୁ ।

ସୂଚନାଯୋଗ୍ୟ ଯେ, ଆମେରିକୀୟ କମ୍ପାନୀଗୁଡିକ H-1B ଭିସା ମାଧ୍ୟମରେ ଅନ୍ୟ ଦେଶରୁ ବୈଷୟିକ ବିଶେଷଜ୍ଞଙ୍କୁ ନିଯୁକ୍ତ କରନ୍ତି । ଭାରତ ଏବଂ ଚୀନ୍ ଭଳି ଦେଶରେ ଅଧିକାଂଶ ଆଇଟି ପ୍ରଫେସନାଲ ଆମେରିକୀୟ କମ୍ପାନୀ ପାଇଁ କାମ କରନ୍ତି । ନିୟମ ଅନୁଯାୟୀ, ଯଦି H-1B ଭିସାଧାରୀଙ୍କ କମ୍ପାନୀ ତାଙ୍କ ସହ କଣ୍ଟ୍ରାକ୍ଟ ଶେଷ କରିଦିଅନ୍ତି ତାହାଲେ ସେମାନଙ୍କର ସମସ୍ୟା ବଢିଥାଏ ।

ଭିସା ଷ୍ଟାଟସକୁ ବଜାୟ ରଖିବା ପାଇଁ ତାଙ୍କୁ ୬୦ ଦିନ ମଧ୍ୟରେ ନୂତନ କମ୍ପାନୀରେ ଚାକିରି ଖୋଜିବାକୁ ପଡିବ । ଏହି ଭିସାର ସବୁଠାରୁ ବଡ ଲାଭ ଭାରତୀୟ ବୃତ୍ତିଗତମାନେ ନେଇଥାନ୍ତି । ଆମେରିକାରେ ପ୍ରତିବର୍ଷ ୨.୫ ଲକ୍ଷ ଗେଷ୍ଟ ଓ୍ବାର୍କର ସେଠାରେ ସ୍ଥାୟୀ ନାଗରିକତା ପାଇଁ ଗ୍ରୀନ୍ କାର୍ଡ ଆବେଦନ କରିଥାନ୍ତି । ଏଥିମଧ୍ୟରୁ ପ୍ରାୟ ୨ ଲକ୍ଷ ଲୋକ H-1B ଭିସାଧାରୀ ଅଟନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.