ନୂଆଦିଲ୍ଲୀ ୨୦।୭: ଟାଇଫୁନ ୱିଫା କାରଣରୁ ରବିବାର ହଂକଂ ଓ ଚୀନର କେତେକ ବିମାନ ବନ୍ଦରରୁ ଉଡାଣ ସେବା ପ୍ରଭାବିତ ହୋଇଛି। ୱିଫା ଏବେ ଦକ୍ଷିଣ ଉପକୂଳରୁ ପଶ୍ଚିମ ଆଡ଼କୁ ମୁହାଁଇଛି। ଫଳରେ ହଂକଂ, ସେଞ୍ଜେନ, ଝୁହାଇ ଓ ମକାଉ ବିମାନ ବନ୍ଦର ୱେବସାଇଟ୍ ଅନୁସାରେ ଦିନର ଅଧିକାଂଶ ସମୟ ଲାଗି ଉଡାଣ ରଦ୍ଦ ଅଥବା ବାଧିତ ରହିବ ବୋଲି ଘୋଷଣା କରାଯାଇଛି। ପ୍ରସାରଣ କର୍ତ୍ତା ଆରଟିଏଚ୍ ଅନୁସାରେ ହଂକଂରେ ଅନୁନ୍ୟ ୪୦୦ ଉଡାଣ ରଦ୍ଦ ହୋଇଛି।
ଉଡାଣ ରଦ୍ଦ ହେବା ଯୋଗୁ ୮୦ ହଜାରରୁ ଅଧିକ ଯାତ୍ରୀ ପ୍ରଭାବିତ ହୋଇଛନ୍ତି। କେବଳ ବିମାନ ସେବା ନୁହେଁ ଚୀନ୍ରେ କେତେକ ହାଇସ୍ପିଡ୍ ଟ୍ରେନ ସେବା ମଧ୍ୟ ରଦ୍ଦ କରିଦିଆଯାଇଛି। ଏହା ପୂର୍ବରୁ ହଂକଂ ଅବଜରଭେଟରୀ ଟାଇଫୁନ ସଂକେତ ସଂଖ୍ୟା ୧୦ ଜାରି କରିଛି, ଯାହା ଏହାର ସର୍ବୋଚ୍ଚ ଚେତାବନୀ ବୋଲି ଜଣାପଡିଛି। ଅବଜରଭେଟରୀ ଅନୁସାରେ ଟାଇଫୁନ ମଧ୍ୟାହ୍ନରେ ସହରର ଦକ୍ଷିଣ ଦିଗ ଦେଇ ଅତିକ୍ରମ କରିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୪୦ କିଲୋମିଟରରୁ ଅଧିକ ଥିଲା।
ଭୀଷଣ ଝଡ଼ ତୋଫାନ ଯୋଗୁ ହଂକଂରେ ଗଛ ଭାଙ୍ଗିପଡିବା ସମ୍ପର୍କିତ ୪୫୦ରୁ ଅଧିକ ଅଭିଯୋଗ ରୁଜୁ ହୋଇଛି। ତେବେ ସାମୁଦ୍ରିକ ବାତ୍ୟା ଯୋଗୁ କୌଣସି ଠାରେ କେହି ହତାହତ ହୋଇଥିବାର ସୂଚନା ନାହିଁ। ୱିଫା ଯୋଗୁ ହଂକଂରେ ଡିଜନୀ ଲ୍ୟାଣ୍ଡ ଓ ଅନ୍ୟ ମନୋରଞ୍ଜନ ପାର୍କ ବନ୍ଦ କରିଦିଆଯାଇଛି। ଏହି ଟାଇଫୁନର ନାମ ୱିଫା ଥାଇଲ୍ୟାଣ୍ଡ ରଖିଛି। ଶନିବାର ଏହା ଫିଲପାଇନ୍ସ ଓ ତାଇୱାନ ଅତିକ୍ରମ କରିଥିଲା। ପଶ୍ଚିମ ପ୍ରଶାନ୍ତ କ୍ଷେତ୍ରରେ ଉଠୁଥିବା ସାମୁଦ୍ରିକ ଝଡ଼ର ନାମ ସେହି କ୍ଷେତ୍ରର ଦେଶମାନେ ବାଛିଥାନ୍ତି।
ୱିଫା ଫିଲପାଇନ୍ସ ଅତିକ୍ରମ କରିବା ବେଳେ ନର୍ଥ କାଗାୟାନରେ ବନ୍ୟାରେ ଭାସି ଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଦେଶରେ ୪୩ ହଜାରରୁ ଅଧିକ ଲୋକେ ବନ୍ୟା ଓ ଭୂ-ସ୍ଖଳନ କାରଣରୁ ସରକାରୀ ରିଲିଫ ସେଣ୍ଟରମାନଙ୍କରେ ଶରଣ ନେଇଛନ୍ତି। ଏହି ବାତ୍ୟା ଯୋଗୁ ଫିଲପାଇନ୍ସରେ ୪୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି।