ନୂଆଦିଲ୍ଲୀ ୧୫।୯: ଭାରତୀୟ ନୌସେନାରେ ୨ ମହିଳା ଅଧିକାରୀ ଖୁବ୍ ଶୀଘ୍ର ଆଇଏନଏସଭି ତାରିଣୀରେ ବିଶ୍ୱ ପରିକ୍ରମା ପାଇଁ ଅସାଧାରଣ ନୌକା ଅଭିଯାନରେ ବାହାରିବେ। ଏହି ୨ ମହିଳା ଅଧିକାରୀ ଗତ ୩ ବର୍ଷ ହେଲା ଏଥି ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏଥିଲାଗି ନୌସେନା ଏକ ଲୋଗୋମଧ୍ୟ ଉଦଘାଟନ କରିଛି। ଭାରତୀୟ ନୌସେନା ପ୍ରାଚୀନ ନୌ ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି, ଯେଉଁଥିରେ ସାମୁଦ୍ରିକ ଐତିହ୍ୟକୁ ସଂରକ୍ଷିତ କରିବା ଓ ନାବିକ କୌଶଳକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି।
ପ୍ରଶିକ୍ଷଣ ତରି ଆଇଏନଏସ୍ ତରଙ୍ଗିଣୀ, ଆଇଏନଏସ୍ ସୁଦର୍ଶିନୀ ଓ ଆଇଏନଏସଭି ମହାଦେଇ ଏବଂ ତାରିଣୀ ଦ୍ୱାରା ଭାରତୀୟ ନୌସେନା ମହାସାଗର ନୌକା ଅଭିଯାନରେ କେନ୍ଦ୍ରୀୟ ସ୍ଥାନ ହାସଲ କରିଛି। ସାମୁଦ୍ରିକ କୌଶଳ ଓ ସାହାସକୁ ଉତ୍ସାହିତ କରି ଭାରତୀୟ ନୌସେନାର ୨ ମହିଳା ଅଧିକାରୀ ଲେଫ୍ଟନାଣ୍ଟ କମାଣ୍ଡର ରୂପା ଏ ଓ ଦିଲନା ନାଭିକା ଖୁବ୍ ଶୀଘ୍ର ଆଇଏନଏସ୍ ତାରିଣୀରେ ବିଶ୍ୱ ପରିକ୍ରମା ପାଇଁ ଅଭିଯାନରେ ବାହାରିବେ ।
ଏହି ଦୁଇ ମହିଳା ଅଧିକାରୀ ଗତ ବର୍ଷ ୬ ସଦସୀୟ ଚାଳକ ଦଳଙ୍କ ସହ ଗୋଆରୁ କେପଟାଉନ ଦେଇ ରିୟୋଡି ଜେନରିଓ ଏବଂ ଫେରସ୍ତ ରାସ୍ତାରେ ଟ୍ରାନ୍ସ ଓସନିକ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ପରେ ଏହି ଦୁଇ ଅଧିକାରୀ ଗୋଆରୁ ବିଜୟା ପୁରମ (ପୂର୍ବର ପୋର୍ଟବ୍ଲେୟର) ନୌକା ଅଭିଯାନ କରିଥିଲେ। ଏହା ଛଡା ଚଳିତ ବର୍ଷ ପ୍ରାରମ୍ଭରେ ଗୋଆରୁ ପୋର୍ଟ ଲୁଇସ୍ ଓ ମରିସସ ପର୍ଯ୍ୟନ୍ତ ପୁଣି ଥରେ ଡବଲ ହ୍ୟାଣ୍ଡେଡ୍ ମୋଡରେ ସଫଳତା ପୂର୍ବକ ଯାତ୍ରା କରିଥିଲେ।
ସମୁଦ୍ର ରାସ୍ତାରେ ବିଶ୍ୱ ପରିକ୍ରମା ଏକ କଠିନ ଯାତ୍ରା। ଏଥି ଲାଗି ଅତ୍ୟଧିକ କୌଶଳ, ଶାରୀରିକ ଫିଟନେସ୍ ଓ ମାନସିକ ସତର୍କତାର ଆବଶ୍ୟକତା ପଡିବ। ଏଥି ପାଇଁ ୨ ମହିଳା ଅଧିକାରୀ ଗତ ୩ ବର୍ଷ ହେଲା ନିଜକୁ ପ୍ରସ୍ତୁତ କରୁଛନ୍ତି। ସେମାନେ ଇତି ମଧ୍ୟରେ ହଜାର ହଜାର ମାଇଲର ଅଭିଜ୍ଞତା ହାସଲ କରିଥିଲେ ବି ଗୋଲ୍ଡେନ ଗ୍ଲୋବ ରେସ୍ ର କ୍ୟାପ୍ଟେନ ଅବସରପ୍ରାପ୍ତ କମାଣ୍ଡର ଅଭିଳାଶ ଟମିଙ୍କ ତତ୍ୱାବଧାନରେ ପ୍ରଶିକ୍ଷିତ କରାଯାଉଛି। ଆଇଏନଏସ ତାରିଣୀର ଏହି ପରିକ୍ରମା ଭାରତର ସାମୁଦ୍ରିକ ପରିବହନ ଶିଳ୍ପ ତଥା ସାମୁଦ୍ରିକ ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଯାହା ବିଶ୍ୱ ସାମୁଦ୍ରିକ କାର୍ଯ୍ୟକଳାପ ତଥା ସମୁଦ୍ରରେ ଲିଙ୍ଗଗତ ସମାନତାରେ ଦେଶର ବଢୁଥିବା ଆଭିମୁଖ୍ୟକୁ ଦର୍ଶାଇବ।