Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚୋର ଧରିବାକୁ ଗାଁ ଦାଣ୍ଡରେ ବୁଲିଲା ଖଟ : ଗୁଣିଆଠାରୁ ଇସାରା ପାଇ ଗୋଟିଏ ପରିବାର ଉପରେ ମରଣାନ୍ତକ ଆକ୍ରମଣ, ଦୁଇ ମହିଳା ଆହତ

12/06/2019 at 4:49 PM

ନୟାଗଡ (ବୈଦ୍ୟଭୂଷଣ ମହାପାତ୍ର) ୧୨|୬: ଚୋର ଧରିବାକୁ ଗାଁ ଦାଣ୍ଡରେ ବୁଲିଲା ଖଟ । ଆଉ ଗୁଣିଆଠାରୁ ଇଶାରା ପାଇଁ ଗୋଟିଏ ପରିବାର ଉପରେ ହେଲା ମରଣାନ୍ତକ ଆକ୍ରମଣ । ମାନେ ଏଠି ତାନ୍ତ୍ରିକ କଥାରେ କଙ୍ଗାରୁକୋର୍ଟ କରି ଫୈସଲା ଆଉ ଦଣ୍ଡ ଦେଇଦେଲେ ଗାଁର କିଛି ଲୋକ । ଏମିତି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା କୋଟଗଡ଼ ଗାଁରେ ।

ଦିନ ଦି’ପହରେ ଗାଁ ଦାଣ୍ଡରେ ବୁଲୁଛି ଖଟ । ଚାରିଜଣ ଖଟ ଧରିଥିବା ବେଳେ ପଛପାଖରେ ତନ୍ତ୍ରପାଠ କରୁଛି ତାନ୍ତ୍ରିକ । ଚୋର ଧରିବାକୁ ଚାଲିଛି ନାଟ । ଦୁଇ ଜଣ ମହିଳାଙ୍କ ମୁଣ୍ଡରେ ଲାଗିଛି ଆଘାତ । ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଇଏ ହେଉଛି ସେଇ ଖଟର କରାମତି । ଆଉ କଙ୍ଗାରୁକୋର୍ଟର ଫୈସଲା ।

ନୟାଗଡ଼ ଜିଲ୍ଲା ରଣପୁର ଥାନା କୋଟଗଡ଼ ଗାଁର ଭାସ୍କର ଦୋରାଙ୍କ ଘରୁ ୧୫ ଦିନ ତଳେ ଚୋରି ହୋଇଥିଲା । ବହୁ ଖୋଜାଖୋଜି ପରେ ଚୋରି ଜିନିଷ ନମିଳିବାରୁ ଗାଁକୁ ଗୁଣିଆ ଡାକି ଖଟ ବୁଲାଇବାକୁ ହୋଇଥିଲା ନିଷ୍ପତ୍ତି । ପାଖ ମଳିପଟିଆ ଗାଁର ହରଷ ଗୁଣିଆ ଦୁଇ ଦିନ ତଳେ ତନ୍ତ୍ର ପାଠ କରି ଖଟ ବୁଲାଇଥିଲା । ଆଉ ଖଟ ଯାଇ ଅଟକିଥିଲା ଗାଁର ଅରକ୍ଷିତ ଦୋରାଙ୍କ ଘର ଆଗରେ । ଗାଁରେ ଏନେଇ ସଂଧ୍ୟାରେ ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିନଥିଲା । ହେଲେ ଗତକାଲି ୧୦ରୁ ଅଧିକ ଲୋକ ଅପରାହ୍ନରେ ହଠାତ୍‌ ଅରକ୍ଷିତ ଦୋରାଙ୍କ ଘରେ ପଶି ମହିଳାମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯେଉଁଥିରେ ଅରକ୍ଷିତଙ୍କ ଶାଶୂ ସୁକାନ୍ତି ଏବଂ ପତ୍ନୀ ଗୀତାଞ୍ଜଳି ଗୁରୁତର ଭାବେ ଆହତ ହୋଇ ରାଜସୁନାଖଳା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣା ସମ୍ପର୍କରେ ଅରକ୍ଷିତ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି ।

ଫାଣ୍ଡି ପୋଲିସ ଶୁଣୁନି, ଏସପିଙ୍କୁ ଗୁହାରି କରିବାକୁ ଯାଇଥିଲେ ବି ତାଙ୍କର ଦେଖା ମିଳିନଥିଲା । ଏମିତିରେ ଶେଷରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ଅରକ୍ଷିତ । ଜିଲ୍ଲାପାଳ ଏ ସମ୍ପର୍କରେ ଏସପି ଏବଂ ଶରଣକୁଳ ଏସଡିପିଓଙ୍କ ସହ କଥା ହେବା ସହ ଆଇନକୁ ହାତକୁ ନେଇଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭରସା ଦେଇଛନ୍ତି ।

ଛୋଟ ଛୋଟ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପୋଲିସ ଗାଁ ଗାଁରେ ଆମ ପୋଲିସ କାର୍ଯ୍ୟକ୍ରମ କରୁଥିବା ବେଳେ ଲୋକମାନେ କିନ୍ତୁ ପୋଲିସ ଉପରେ ଭରସା ନକରି କଙ୍ଗାରୁ କୋର୍ଟ ନିଷ୍ପତ୍ତିରେ ଆଇନକୁ ହାତକୁ ନେଉଛନ୍ତି । ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଏଭଳି ଘଟଣା ବଢ଼ୁଥିବା ବେଳେ ତୁରନ୍ତ ପୀଡ଼ିତ ପରିବାରକୁ ନ୍ୟାୟ ଦେବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏଭଳି ଘଟଣାକୁ ରୋକି ପାରିବ ।

   Related Posts