ବିଶ୍ଵକପ୍ ପାଇଁ ୨ ଭେନ୍ୟୁ ପ୍ରସ୍ତୁତ, କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠୁ  ଅଫ୍ ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ, ୫ ସହରରେ ଉତ୍ସବର ମାହୋଲ

Published By : Prameya-News7 Bureau | January 06, 2023 IST

ଭୁବନେଶ୍ଵର: ସାରା ଓଡ଼ିଶାରେ ଏବେ ହକି ଫିଭର । ଏବେ ବିଶ୍ଵକପ୍ ପାଇଁ ଦୁଇଟି ଭେନ୍ୟୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ ପୂରା ପ୍ରସ୍ତୁତ। ବିଦେଶୀ ଖେଳାଳିଙ୍କ ଆଗମନ ହକି ଫିଭରକୁ ଆଉ ଟିକେ ବଢ଼ାଇ ଦେଇଛି ।  ସେପଟେ କଟକ ବାରବାଟୀରେ ଉଦଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । କଲେଜ ଛାତ୍ରଛାତ୍ରୀଙ୍କ  ପାଇଁ ଆଜିଠୁ  ଆରମ୍ଭ ହୋଇଛି ଅଫ୍ ଲାଇନ୍ ଟିକେଟ୍ ବିକ୍ରି । ସଜେଇ ହେବାରେ ଲାଗିଛି ରାଜ୍ୟର ୫ ମହାନଗରୀ । ପୂର୍ବଥର ଅପେକ୍ଷା ଏଥରର ବିଶ୍ବକପ୍ ଆୟୋଜନକୁ ଆହୁରି ବ୍ୟାପକ କରିଛନ୍ତି ରାଜ୍ୟ ସରକାର ।

{"id":729795,"sizeSlug":"full","linkDestination":"none"}

ହକି ବିଶ୍ବକପ୍ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ । ଆଉ ମାତ୍ର ୬ଦିନ । କମ୍ପିବ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ । ଦୁଲୁକିବ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ । ଉଦ୍ଘାଟନୀ ଉତ୍ସବରେ ଉଠିବ ପଡ଼ିବ ବାରବାଟୀ। ସବୁଠି ଏବେ ହକି ଫିଭର । ଆଉ ଏହି ଫିଭର ବଢ଼ାଇଛି  ବିଦେଶୀ ଖେଳାଳିଙ୍କ ଆଗମନ । ଆଜି ଓଡ଼ିଶାରେ ପହଞ୍ଚିଛନ୍ତି  ଗତବର୍ଷର ଡିଫେଣ୍ଡିଂ ଚାମ୍ପିଅନ୍ ବେଲଜିୟମ ଟିମ୍ । ଏଥି ସହ ମାଲେସିଆ, ସାଉଥ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ, ଆର୍ଜେଣ୍ଟିନା ଟିମ୍ । ଭୁବନେଶ୍ବର ବିମାନ ବନ୍ଦରରେ ଏସବୁ ଦେଶର ଖେଳାଳିମାନେ ପହଞ୍ଚିବା ପରେ ସ୍ବତନ୍ତ୍ର ବସ ଯୋଗେ ସେମାନଙ୍କୁ ହୋଟେଲକୁ ନିଆଯାଇଛି । ଗତ ଥରର ବିଶ୍ବକପ୍ ବିଜେତା ବେଲଜିୟମ ଟିମ୍ ପୁଣି ଚଳିତ ବିଶ୍ବକପ୍ ଖେଳିବା ଲାଗି ପୁଣି ଥରେ ଓଡ଼ିଶାରେ ପହଞ୍ଚିଛି । ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ହକି ବିଶ୍ବକପ୍ ଆୟୋଜନକୁ ନେଇ ବେଶ୍ ଖୁସି ଜାହିର କରିଛନ୍ତି ବେଲଜିୟମ କ୍ୟାପଟେନ୍ ଫେଲିକ୍ସ ଡେନାୟର । ସେହିଭଳି ମାଲେସିଆ, ସାଉଥ ଆଫ୍ରିକା ଟିମ୍ ମଧ୍ୟ ଓଡ଼ିଶା ଗ୍ରାଉଣ୍ଡରେ କମାଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

{"id":729796,"sizeSlug":"full","linkDestination":"none"}

ଆଜି ଦିନବେଳା ୫ଟି ଟିମ୍ ଓଡ଼ିଶାରେ ପହଞ୍ଚିଥିବା ବେଳେ ରାତିରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଟିମ୍ ପହଞ୍ଚିବ । ଖେଳାଳିମାନଙ୍କ ପାଇଁ ସବୁ ସୁବିଧା କରିବା ସହ ସେମାନେ କିଭଳି ରାଉରକେଲାରେ ପହଞ୍ଚି ଅଭ୍ୟାସ କରିପାରିବେ ସେନେଇ ପୂରା ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲିଠୁ ଖେଳାଳିମାନେ  ଚାର୍ଟାଡ୍ ଫ୍ଲାଇଟ୍ରେ ଭୁବନେଶ୍ବରରୁ ରାଉରକେଲା ଯିବା ଆସିବା କରିବେ । ଗତ ଓ୍ବାର୍ଲଡ୍ କପ୍ ପରେ ଏଥର ବିଦେଶୀ ଖେଳାଳିଙ୍କ ନଜରରେ ରହିଛି ରାଉରକେଲାରେ ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ । ରାଜ୍ୟ ସରକାରଙ୍କ ଉଦ୍ୟମରେ ହକି ବିଶ୍ବକପ୍କୁ ନଜରରେ ରଖି ମାତ୍ର ୧୫ମାସ ଭିତରେ ଏତେ ବଡ଼ ଷ୍ଟାଡିୟମ ନିର୍ମାଣ କରାଯାଇପାରିଛି । ଯାହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ୍ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଏହା ସଫଳ ହୋଇପାରିଛି ବୋଲି କହିଛନ୍ତି।

ଭୁବନେଶ୍ବର ଓ ରାଉରକେଲା ଦୁଇ ଦୁଇଟି ସ୍ଥାନରେ ଚଳିତ ହକି ବିଶ୍ବକପ୍ର ଭେନ୍ୟୁ କରିବା ଏବଂ ଖେଳାଳିଙ୍କ ଠାରୁ ଦର୍ଶକଙ୍କ ଯାଏଁ ସମସ୍ତଙ୍କ ପାଇଁ ସବୁ ପ୍ରକାର ସୁବିଧା କରିବା ରାଜ୍ୟ ସରକାରଙ୍କ ପାଇଁ ବହୁତ ବଡ଼ ଚାଲେଂଜ୍ । ତଥାପି ପୂର୍ବଥରର ସଫଳତା ଓ ଅଭିଜ୍ଞତାକୁ ଆଧାର କରି ଏଥର ମଧ୍ୟ ବିଶ୍ବକପ୍ ହକିକୁ ଅଧିକ ସୁନ୍ଦର କରିବାକୁ ପ୍ରୟାସ ଚଳାଇଛନ୍ତି ସରକାର ।

{"id":729797,"sizeSlug":"full","linkDestination":"none"}

ସେପଟେ ଆସନ୍ତା ୧୧ ତାରିଖରେ  କଟକ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପ୍ର ଉଦ୍ଘାଟନୀ ଉତ୍ସବ ପାଇଁ ସମସ୍ତ ବ୍ୟବସ୍ଥା ପ୍ରାୟ ଚୁଡ଼ାନ୍ତ ପର୍ଯ୍ୟାୟରେ । ଉଦ୍ଘାଟନୀ ଉତ୍ସବକୁ ଉପଭୋଗ କରିବା ଲାଗି ଏବେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଫ୍ ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ରେଭେନ୍ସା ବିଶ୍ବବିଦ୍ୟାଳୟ ସମେତ ୮ଟି କଲେଜ ଓ ବିଶ୍ବବିଦ୍ୟାଳୟରେ ଚାଲିଛି ଟିକେଟ୍ ବିକ୍ରି । ଛାତ୍ରଛାତ୍ରୀମାନେ ନିଜର କଲେଜ ପରିଚୟ ପତ୍ର ଦେଖାଇ ଟିକେଟ୍ କିଣୁଛନ୍ତି ।

ହକି ବିଶ୍ବକପ୍ ପାଇଁ ଆଜି ଆଉ ଏକ ଗୀତ ରିଲିଜ୍ ହୋଇଛି । ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଏହି ଗୀତକୁ ଗାଇଛନ୍ତି ବଲିଉଡ୍ ସିଙ୍ଗର ସୁଖବିନ୍ଦର ସିଂ ।  ଏହି ଗୀତରେ ଦେଶଭକ୍ତି ସହିତ ଯୁବପିଢ଼ିଙ୍କୁ ଉତ୍ସାହିତ କଲାଭଳି ପଂକ୍ତି ରହିଛି । ରାଜ୍ୟର ୫ଟି ମହାନଗରରେ ଏବେଠୁ ଆରମ୍ଭ ହୋଇଗଲାଣି ଉତ୍ସବର ମାହୋଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.