ଶ୍ରୀନଗର ୧୧/୦୬ : ଦକ୍ଷିଣ କାଶ୍ମୀରରେ ଗତ ୨୪ ଘଣ୍ଟା ମଧ୍ୟରେ ଭିନ୍ନ ଭିନ୍ନ ସଂଘର୍ଷରେ ୨ ଜଣ ଆତଙ୍କବାଦୀଙ୍କୁ ମାରିବାରେ ସେନା ସଫଳ ହୋଇଛି। କୁଲଗାମରେ ଶୁକ୍ରବାର ସାରା ରାତି ଚାଲିଥିବା ସଂଘର୍ଷରେ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି। ସେହିପରି ପୁଲୱାମାରେ ହୋଇଥିବା ଅନ୍ୟ ଏକ ସଂଘର୍ଷରେ ଆଉ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ମୃତ ୨ ଜଣ ଆତଙ୍କବାଦୀଙ୍କ ଠାରୁ ଯବାନମାନେ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି
କୁଲଗାମର ଖାନ୍ଦିପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚିଥିବା ସୂଚନା ପାଇ ଯବାନ୍ମାନେ ଶୁକ୍ରବାର ରାତିରେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ଅଭିଯାନ ଜୋରଦାର୍ ହେବା ଦେଖି ଆତଙ୍କବାଦୀମାନେ ଗୁଳିକରିବା ଆରମ୍ଭ କରିଥିଲେ। ଯବାନମାନେ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ। ସାରାରାତି ଚାଲିଥିବା ଏହି ସଂଘର୍ଷରେ ଯବାନମାନେ ହିଜବୁଲ ମୁଦାହିଦ୍ଦିନର ଆତଙ୍କବାଦୀ ରସିକ ଅହମଦକୁ ମାରିବାରେ ସଫଳ ହୋଇଥିଲେ। ମୃତ ଆତଙ୍କବାଦୀ ପାଖରୁ ୩ଟି ରାଇଫଲ, ହେଣ୍ଡ ଗ୍ରେନେଡ ପିସ୍ତଲ ଜବତ କରାଯାଇଛି। ହିଜବୁଲ୍ ଆତଙ୍କବାଦୀକୁ ମାରିବା ସହିତ କାର୍ଯ୍ୟାନୁଷ୍ଠାନ ଶେଷ ହୋଇଛି ବୋଲି ପୋଲିସ କହିଛି।
ସେହିପରି ପୁଲୱାମା ଜିଲ୍ଲାରେ ଦ୍ରବଗାମ ଅଞ୍ଚଳରେ ଶନିବାର ଆତଙ୍କବାଦୀ ଲୁଚିଥିବା ଖବରପାଇ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଆତଙ୍କିମାନେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ସତର୍କ ସୁରକ୍ଷାକର୍ମୀମାନେ ତାଙ୍କ ଚେଷ୍ଠାକୁ ବିଫଳ କରିଥିଲେ। ଯବାନଙ୍କ ପ୍ରତି ଆକ୍ରମଣରେ ସଂଘର୍ଷ ଆରମ୍ଭ ହୋଇଥିଲା। ଏଥିରେ ମୃତ ଆତଙ୍କବାଦୀର ପରିଚୟ ମିଳିପାରି ନାହିଁ। ସୁରକ୍ଷା କର୍ମୀମାନେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରି ଏବେ ତଲାସି ଅଭିଯାନ ଜାରି ରଖିଛନ୍ତି।