ପୋଖରୀରେ ବୁଡ଼ି ୨ ଛାତ୍ର ମୃତ, ଗାଧୋଇବାକୁ ଯାଇ ଘଟିଲା ଅଘଟଣ
24/09/2023 at 4:12 PM

ଭୁବନେଶ୍ବର: ରାଜଧାନୀରେ ଅଘଟଣ। ପୋଖରୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ। ଘଟଣା ଘଟିଛି ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଧୀନସ୍ଥ ପୋଖରୀପୁଟ ଅଞ୍ଚଳରେ। ଏଠାରେ ଥିବା ଏକ ଝାର ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଶୁଭମ ଜେନା, ପ୍ରକାଶ ମହାରଣା ଭାବରେ ଜଣାପଡ଼ିଛି । ଉଭୟ ସ୍ଥାନୀୟ ଗଣ୍ଡମୁଣ୍ଡା ହାଇସ୍କୁଲର ଛାତ୍ର ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଉଭୟ ଛାତ୍ର ଟ୍ୟୁସନ ସାରି ଘରକୁ ଫେରିବା ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେମାନେ ସମୁଦାୟ ୪ ଜଣ ଥିଲେ। ହେଲେ ପ୍ରଥମେ ଦୁଇ ଜଣ ବୁଡିଯିବା ଦେଖି ଅନ୍ୟ ଦୁଇ ଜଣ ଘର ଲୋକଙ୍କୁ ଖବର ଦେଇଥିଲେ । ତେବେ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର ପରେ ଉଭୟଙ୍କ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଆହୁରି ପଢ଼ନ୍ତୁ: ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ, ପୋଲିସ କରୁଛି ଛାନ୍ଭିନ୍
ଘଟଣାରେ କମିଶନରେଟ ପୋଲିସ୍ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ । ତେବେ ଜଣେ ମୃତକ ଛାତ୍ର ଦଶମ ପରୀକ୍ଷା ଚଳିତ ବର୍ଷ ଦେଇଥାନ୍ତେ ବୋଲି ତାଙ୍କ ବାପା କହିଛନ୍ତି । ମୃତକଙ୍କ ପରିବାରଙ୍କୁ ଭେଟିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ବିଧାୟକ ସୁର ରାଉତରାୟ।