କୋଲକାତା: କୋଲକାତା ସନ୍ଦେଶଖାଲି ଘଟଣାରେ ନୂଆ ଟ୍ୱିଷ୍ଟ। ଟିଏମ୍ସି ନେତାଙ୍କ ବିରୋଧରେ ଆଣିଥିବା ଦୁଷ୍କର୍ମ ଅଭିଯୋଗ ପ୍ରତ୍ୟାହାର କରିନେଲେ ମହିଳା। ଶାଶୂ ଓ ବୋହୂ ଦୁଷ୍କର୍ମ ଅଭିଯୋଗ ଫେରାଇ ନେବା ସହ ନୂଆ ଅଭିଯୋଗ ଆଣିଛନ୍ତି। ଜାତୀୟ ମହିଳା ଆୟୋଗଙ୍କ ନିର୍ଦ୍ଦେଶରେ ତାଙ୍କୁ ହ୍ୱାଇଟ୍ ପେପର୍ରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା ବୋଲି ମହିଳା ଦୁଇ ଜଣ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଜଣେ ବିଜେପି କର୍ମୀ ସନ୍ଦେଶଖାଲୀ ଘଟଣାରେ ଦଳର ହାତ ଥିବା କହୁଥିବା ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଭିଡିଓ ଭାଇରାଲ୍ ହେବା ପରେ ନିଜକୁ ପୀଡ଼ିତ କହୁଥିବା ଦୁଇ ମହିଳା ଅଭିଯୋଗ ଫେରାଇ ଆଣିଛନ୍ତି।
ଅଭିଯୋଗ ଫେରାଇ ଆଣିବା ପରେ ଦୁଇ ମହିଳା ସମସ୍ତ କଥା ବଖାଣିଛନ୍ତି। ତାଙ୍କୁ କିଭଳି ଦିଲ୍ଲୀ ମହିଳା କମିଶନଙ୍କ ଦ୍ୱାରା ମିଛରେ କେସ୍ କରିବାକୁ କୁହାଯାଇଥିଲା, ଏମିତିକି ଅଭିଯୋଗରେ କ’ଣ ଲେଖିଛନ୍ତି ସେମାନେ ତାହା ବି ଜାଣି ନଥିଲେ। ଏବେ ସେ ଟିଏମ୍ସି ନେତାଙ୍କ ବିରୋଧରେ ମିଛ କେସ୍ ଫେରାଇ ନେବାରୁ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଦୁଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି।
ବୁଧବାର ଦୁଇ ମହିଳା ମାଜିଷ୍ଟ୍ରେଟ୍ଙ୍କ ପାଖରେ ନିଜର ବୟାନ ରେକର୍ଡ କରାଇଥିଲେ। ସେମାନେ କହିଥିଲେ “ ଆମେ କୌଣସି ମିଛ ମାମଲାରେ ଫସି ରହିବାକୁ ଚାହୁଁ ନାହୁଁ। ଆମ ସାଇପଡ଼ିଶାରେ ବି କେହି ଆମ ସହ କଥା ହେଉ ନାହାନ୍ତି। ମୁଁ ଯେତେବେଳେ ମିଛ ଅଭିଯୋଗ ଉଠାଇ ଆଣିବାକୁ କହିଲୁ ଆମକୁ ବିଦା କରିଦେଇଥିଲେ।” ମିଛରେ ନିଜକୁ ପୀଡ଼ିତା ଦର୍ଶାଇଥିବା ଜଣେ ମହିଳା କହିଛନ୍ତି ଯେ ପିୟାଲୀ ଦାସ ଓ ମାମ୍ପି ଦାସ ନାମକ ଦୁଇ ମହିଳା ତାଙ୍କ ଘରକୁ ଆସି ତାଙ୍କ ଶାଶୂଙ୍କୁ ଥାନାକୁ ନେଇଯାଇଥିଲେ।
ଶାଶୂ ଥାନାକୁ ଆସିବା ପରେ ଥାନା ଗେଟ୍ ଭିତରୁ ବନ୍ଦ ଥିଲା। ଶାଶୂ କହିଥିଲେ ଯେ ୧୦୦ ଦିନିଆ ଯୋଜନାରେ ସେ ଯେଉଁ ରୋଷେଇ କରିଛନ୍ତି ତାର ପାଉଣା ପାଇ ନାହାନ୍ତି। ଏହାପରେ ଏକ ହ୍ୱାଇଟ୍ ପେପର୍ରେ ତାଙ୍କ ସାଇନ୍ ନିଆଯାଇଥିଲା। ଏହାର କିଛିଦିନ ପରେ ମହିଳା ଓ ତାଙ୍କ ଶାସୂ ଜାଣିବାକୁ ପାଇଥିଲେ ଯେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳାଙ୍କ ତାଲିକାରେ ସେମାନଙ୍କର ବି ନାଁ ରହିଛି। ଏହା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ। ହେଲେ ଗୁରୁବାର ଶାଶୂ ବୋହୂ କହିଛନ୍ତି ଯେ ତାଙ୍କ ସହ କିଛି ବି ହେଇନି। ସବୁ ମିଛ ଅଭିଯୋଗ। ଆମେ କୌଣସି ମିଛ ଅଭିଯୋଗରେ ଫସି ରହିବାକୁ ଚାହୁଁ ନାହୁଁ ବୋଲି ସେମାନେ କହିଛନ୍ତି।