ମୁମ୍ବାଇରେ ୨ ଋଷୀୟ ୟୁଟ୍ୟୁବରଙ୍କ ବିରୋଧରେ FIR,୬୦ ମହଲା ବିଲ୍ଡିଂରେ ଷ୍ଟଣ୍ଟ କରି ବନାଉଥିଲେ ଭିଡିଓ
27/12/2022 at 4:15 PM

ମୁମ୍ବାଇ ୨୭।୧୨: ଋଷୀୟ ୟୁ ଟ୍ୟୁବରଙ୍କୁ ମୁମ୍ବାଇର ଉଚ୍ଚ ବିଲ୍ଡିଂରେ ସର୍କସ କରି ଭିଡିଓ ସୁଟିଂ କରିବା ମହଙ୍ଗା ପଡିଛି। ଉଭୟଙ୍କ ବିରୋଧରେ ପୋଲି କାର୍ଯ୍ୟାନୁଷ୍ଠାନ କରିଥିବା ବେଳେ ମାମଲା ରୁଜୁ ହୋଇଛି। ପୋଲିସ ସେମାନଙ୍କୁ କଷ୍ଟଡିକୁ ନେଇ ପଚରା ଉଚରା କରିବା ପରେ ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଋଷୀୟ ୟୁ ଟ୍ୟୁବର ୨ ଜଣ ମୁମ୍ବାଇର ଏକ ଉଚ୍ଚା ବିଲ୍ଡିଂ ଉପରେ ଷ୍ଟଣ୍ଟ କରୁଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିଛି।
ପୋଲିସ ଉଭୟଙ୍କ ବିରୋଧରେ ଆଇପିସିର ଧାରା ୪୫୨ ଓ ୩୪ରେ ମୋକଦ୍ଦମା ରୁଜୁ କରିଛି। ଦୁଇ ୟୁ ଟ୍ୟୁବର ସୋମବାର ଭିଡିଓ ସୁଟିଂ କରିବା ଲାଗି ତାରଦେବ ଅଞ୍ଚଳର ଇମ୍ପେରିୟାଲ ଟ୍ୱିନ୍ ଟାୱାରକୁ ପ୍ରବେଶ କରିଥିଲେ। ତେବେ ପ୍ରାୟ ଅଢେଇ ଘଣ୍ଟାର ଡ୍ରାମା ପରେ ପୋଲିସ ସେମାନଙ୍କୁ ଥାନାକୁ ଧରି ନେଇଥିଲା। ପଚରା ଉଚରା ପରେ ସେମାନଙ୍କୁ ମଙ୍ଗଳବାର ଗିରଫ କରାଯାଇଛି।

ତାରଦେବାରେ ୬୦ ମହଲାର ଟ୍ୱିନ୍ ଟାୱାର ସହରର ଧନିକଙ୍କ ଠିକଣା ଭାବେ ଜଣା। ଏଣୁ ଉଚ୍ଚ ସୁରକ୍ଷିତ ଟ୍ୱିନ୍ ଟାୱାରରେ ପ୍ରବେଶ ବେଳେ ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇଥିଲେ। ତେବେ ସେମାନଙ୍କ ସୁରକ୍ଷା କର୍ମୀଙ୍କ କଥା ନ ଶୁଣି ଲିଫ୍ଟ ଯୋଗେ ବିଲ୍ଡିଂର ୫୮ ମହଲାକୁ ଉଠିଥିଲେ। ଏଣୁ ସୁରକ୍ଷା କର୍ମୀ ପୋଲିସକୁ ଫୋନ କରିଥିଲେ। ସେମାନଙ୍କୁ ଶଚରବାକୋଭ (୨୫) ଓ ରୋମନ ପ୍ରୋଶିନ (୩୩) ଭାବେ ଚିହ୍ନଟ କରାଯାଇଛି। ଘଟଣା ନେଇ ମୁମ୍ବାଇ ପୋଲିସ ଋଷିୟା ବାଣିଜ୍ୟ ଦୂତାବାସଙ୍କୁ ସୂଚିତ କରିଦେଇଛି।
ସେମାନେ ବିଲ୍ଡିଂର ୫୮ ମହଲା ପର୍ଯ୍ୟନ୍ତ ସିଡିରେ ଯାଇ ଷ୍ଟଣ୍ଟ ପ୍ରଦର୍ଶନ କରି ବାହାରକୁ ବାହାରୁଥିବାର ଭିଡିଓ ସୁଟିଂ କରିଥାନ୍ତେ ବୋଲି ପୋଲିସକୁ କହିଛନ୍ତି। ପୋଲିସ ସେମାନଙ୍କ ବୟାନ ରେକର୍ଡ କରିବା ପରେ ଘରୋଇ ସମ୍ପତ୍ତିରେ ବେଆଇନ ପ୍ରବେଶ, ନିଜ ଜୀବନକୁ ବିପଦରେ ପକାଇବା ଓ ଷ୍ଟଣ୍ଟ ଭିଡିଓ ରେକର୍ଡ ଲାଗି ଉଦ୍ୟମ ଆଦି ଧାରାରେ ଏତଲା ରୁଜୁ କରିଛି।