ଶବଦାହ ପାଇଁ ଯାଇଥିବା ବେଳେ ମହୁମାଛି ଆକ୍ରମଣ, ଦୁଇ ଜଣ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | October 21, 2022 IST

ଦେବଗଡ: ଶୁକ୍ରବାର ଦେବଗଡ ପୌରାଞ୍ଚଳ ନଅ ନମ୍ବର ୱାର୍ଡ ପତ୍ରାପାଲି ସାହିରେ ମହୁମାଛି ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ପ୍ରାୟ ୩୦ ଜଣ ସାମାନ୍ୟ ଅସୁସ୍ଥ ହୋଇଛନ୍ତି । ଦୁଇ ଗୁରୁତରଙ୍କୁ  ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରି ସମୟରେ ପତ୍ରାପାଲି ସାହିର ଜୟ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଶୁକ୍ରବାର ପୂର୍ବାହ୍ନରେ ସାହି ଭାଇ ଓ ସମ୍ପର୍କୀୟ ମାନେ ଶବକୁ ନେଇ ସତ୍କାର ପାଇଁ ଶ୍ମଶାନକୁ ଯାଇଥିଲେ। ଶବ ସତ୍କାର ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଶ୍ମଶାନ ନିକଟରେ ଥିବା ଅର୍ଜୁନ ଗଛରେ ଥିବା  ମହୁ ଫେଣାରୁ ମହୁମାଛି ମାନେ ସେଠାରେ ଥିବା ଲୋକମାନଙ୍କୁ ଆକ୍ରମଣ କରିଥିଲେ। ଯୁବକ ମାନେ ଦୌଡି ପଳାଇଯାଇଥିବା ବେଳେ ମଧ୍ୟ ବୟସ୍କ ଓ ବୃଦ୍ଧ ମାନେ ମହୁମାଛିଙ୍କ ଆକ୍ରମଣ ର ଶୀକାର ହୋଇଥିଲେ।

ମହୁମାଛି ଆକ୍ରମଣ ପରେ ଶ୍ମଶାନକୁ ଯାଇଥିବା ଲୋକମାନେ ଶବକୁ ଛାଡି ସେଠାରୁ ପଳାଇ ଯାଇଥିଲେ । ପ୍ରାୟ ୩୦ ଜଣ ମହୁମାଛି ଆକ୍ରମଣର ଶୀକାର ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଦୁଇ ଜଣ ହେଲେ ପତ୍ରାପାଲି ସାହିର ୭୪ ବର୍ଷ ବୟସ୍କ କୁଞ୍ଜ ମୁଣ୍ଡା ଓ ୫୪ ବର୍ଷ ବୟସ୍କ ମନୋହର ମୁଣ୍ଡା । ଉଭୟ ଗୁରୁତର ଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ୱାର୍ଡ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସେପଟେ ମହୁମାଛିଙ୍କ ଦୌରାତ୍ମ୍ୟ କମିବା ପରେ ଶବକୁ ସଂସ୍କାର ପାଇଁ  ଅନ୍ୟତ୍ର ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.