ଯୁବକଙ୍କୁ ହତ୍ୟା ପରେ ଜଙ୍ଗଲରେ ପୋଡ଼ିଦେଲେ, ୨ ଜଣକୁ ଅଟକ ରଖି ତଦନ୍ତ କରୁଛି ପୋଲିସ୍
2/02/2023 at 11:03 PM

ଭଞ୍ଜନଗର, ୦୨/୦୨: ପ୍ରଥମେ ପିଟିପିଟି ହତ୍ୟା ପରେ ଜଙ୍ଗଲରେ ପୋଡ଼ି ଦେଲେ ଅଭିଯୁକ୍ତ। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ସାନଗୋଛା ଗାଁ ନିକଟ ମୁକିଡ଼ାମ ଘାଟି ନିକଟରେ। ଏଠାରେ ଜଣେ ଯୁବକଙ୍କୁ ହତ୍ୟା କରି ଜଙ୍ଗଲରେ ପୋଡ଼ି ଦେଇଛନ୍ତି ଅଭିଯୁକ୍ତ। ମୃତ ଯୁବକ ଜଣକ ହେଉଛନ୍ତି ସୋରଡ଼ା ଗ୍ରାମର ସନ୍ତୋଷ ବେହେରା (ବେଣା)।
ସୂଚନା ଅନୁଯାୟୀ, ଗତ ୨୪ ତାରିଖରେ ସନ୍ତୋଷ ନିଜ ମାମୁଁ ଘର କନ୍ଧମାଳ ଜିଲ୍ଲା କାଟିଙ୍ଗା ଯାଇଥିଲେ ସେଠି କିଛି ଦିନ ରହିବା ପରେ ୨୮ ତାରିଖରେ ଗାଁକୁ ଯିବି କହି ଜଣେ ଯୁବକଙ୍କ ସହ ଆସିଥିଲେ । କିନ୍ତୁ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ କେଉଁଠି ନ ପାଇବାରୁ ପ୍ରଥମେ ବ୍ରାହ୍ମଣି ଗାଁ ଥାନା ପରେ ବଡ଼ଗଡ଼ ଥାନାରେ ନିଖୋଜ ଥିବା ଏତଲା ଦେଇଥିଲେ।
ପୋଲିସ ତଦନ୍ତ ପ୍ରକିୟା ଆଗକୁ ବଢାଇଥିଲା । ଗତକାଲି ଏକ ଜଙ୍ଗଲ ଘାଟି ସ୍ଥାନରେ ମୃତଦେହକୁ ପୋଡା ଯାଇଥିବା ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଖପୁରୀ ଓ ହାଡ ଜବତ କରିଥିଲା।
ଅଭିଯୋଗ ହୋଇଛି ବଡ଼ ଗୋଛା ଗ୍ରାମର ସମୀର ପଡରା, ହରି ନାୟକଙ୍କ ସହ ସନ୍ତୋଷ ମିଶି ମଦ ପିଇଥିଲେ। ପରେ ସମୀର ଓ ସନ୍ତୋଷ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା ସମୀର କାଠ ଫାଳିଆରେ ପିଟି ପିଟି ସନ୍ତୋଷକୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ସମୀର ଓ ହରି ମିଶି ମୃତଦେହକୁ ପୋଡ଼ିଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l
ବଡ଼ଗଡ଼ ପୋଲିସ ଛାନଭିନ ଆରମ୍ଭ କରିଛି ଏବଂ ୨ ଜଣଙ୍କୁ ଅଟକ ରଖିବା ସହ ପୋଲିସ ଅନୁସନ୍ଧାନ ପରେ ହିଁ ଘଟଣାର ପକୃତ କାରଣ ଜଣାପଡିବ। ଏପଟେ ପରିବାର ଲୋକେ ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି।